Unknown

 

 

 

 

 

 

 

 

 

 

ଇତିହାସ ସହଚର

(ଦ୍ୱିତୀୟ ଭାଗ)

ଶ୍ରୀ କୁଳମଣି ଦାଶ

 

ସୂଚିପତ୍ର

 

୧.

ମହାପୁରୁଷ ମହମ୍ମଦ

୨.

ପୃଥ୍ୱୀରାଜ

୩.

ଆକ୍‌ବର

୪.

କଲମ୍ବସ୍ ଓ ଭାସ୍କୋଡିଗାମା

୫.

ସାର୍ ଟମାସ୍ ରୋ

୬.

ଶିବାଜି

୭.

କ୍ଳାଇବ୍

୮.

ଲର୍ଡ ଉଇଲିୟମ୍ ବେଣ୍ଟିକ୍

୯.

ମହାରାଣୀ ଭିକ୍‌ଟୋରିଆ

୧୦.

ଛାପାକଳ

୧୧.

ମଟରଗାଡ଼ି

୧୨.

ଡାକବିଭାଗର ଇତିହାସ

୧୩.

ଯିଶୁଖ୍ରୀଷ୍ଟ

୧୪.

ଆମ ଦେଶର ଶାସନପ୍ରଣାଳୀ

୧୫.

ରେଲଗାଡ଼ିର ଜନ୍ମକଥା

୧୬.

ପୃଥିବୀର ଗଠନ

୧୭.

ଉଡ଼ାଜାହାଜ

୧୮.

ଦେବଦାରୁ ଗଛର ନିଜ କଥା

୧୯.

ଆଫ୍ରିକାରେ କାଫ୍ରିଦେଶ

୨୦.

ମୁକୁନ୍ଦଦେବ

Image

 

ମହାପୁରୁଷ ମହମ୍ମଦ

 

ଆମ ଭାରତବର୍ଷରେ ଏବେ ହିନ୍ଦୁ ଓ ମୁସଲମାନ ଏହି ଦୁଇ ଗୋଟି ଜାତି ପ୍ରଧାନ । ହିନ୍ଦୁମାନଙ୍କ ସଂଖ୍ୟା ବେଶୀ; ମୁସଲମାନମାନଙ୍କ ସଂଖ୍ୟା ଅଳ୍ପ । ହିନ୍ଦୁମାନେ ଅତି ପ୍ରାଚୀନ କାଳରୁ ଏ ଦେଶରେ ବାସ କରିଅଛନ୍ତି । ପ୍ରାୟ ସାତଶହ ବର୍ଷ ହେଲା ଏ ଦେଶରେ ମୁସଲମାନମାନେ ବାସ କରୁଅଛନ୍ତି । ଆମ ଭାରତବର୍ଷର ପଶ୍ଚିମରେ ଆରବ, ପାରସ୍ୟ, ଆଫଗାନିସ୍ଥାନ, ବେଲୁଚିସ୍ଥାନ ପ୍ରଭୃତି କେତେଗୁଡ଼ିଏ ଦେଶ ଅଛି । ସେହି ସବୁ ଦେଶ ମୁସଲମାନମାନଙ୍କ ଆଦି ବାସସ୍ଥାନ ।

 

ସମଗ୍ର ବ୍ରହ୍ମଣ୍ଡର ସୃଷ୍ଟିକର୍ତ୍ତା ଓ ପାଳନକର୍ତ୍ତା ଈଶ୍ୱର ଜଣେ । ସେହି ଈଶ୍ୱରଙ୍କୁ ଲାଭ କରିବା ପାଇଁ ପୃଥିବୀର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଧର୍ମମତ ପ୍ରଚଳିତ ଅଛି । ଯେଉଁ ସବୁ ନଦୀ ହିମାଳୟ ପର୍ବତରୁ ବାହାରି ଅଛନ୍ତି, ସେମାନେ ସମସ୍ତେ ଏକ ବାଟରେ ଯାଇ ସମୁଦ୍ରରେ ପଡ଼ି ନାହାନ୍ତି । କେହି ସିଧା ବାଟରେ, କେହି ବା ନାନା ବାଟ ବୁଲି ସମୁଦ୍ର ସଙ୍ଗେ ମିଶିଅଛନ୍ତି । ସେହିପରି ଈଶ୍ୱରଙ୍କୁ ପାଇବା ପାଇଁ ପୃଥିବୀରେ ଯେତେ ପ୍ରକାର ଧର୍ମମତ ପ୍ରଚଳିତ ଅଛି, ସେ ସମସ୍ତଙ୍କର ଲକ୍ଷ୍ୟ ଏକ; ମାତ୍ର ବାଟ ଭିନ୍ନ ଭିନ୍ନ । ସମସ୍ତେ ଈଶ୍ୱରଙ୍କୁ ପାଇବେ, କିଏ ସିଧା ବାଟରେ ଯାଇ ପାଇବେ, କିଏ ବଙ୍କା ବାଟରେ ଯାଇ ପାଇବେ । ଏହି ସତ୍ୟ ଯେଉଁମାନେ ବୁଝିଅଛନ୍ତି, ସେମାନେ କହନ୍ତି, ବିଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ବିବାଦ କରିବା ମୂର୍ଖତା ଛଡ଼ା ଅନ୍ୟ କିଛି ନୁହେ-

 

ମହାପୁରୁଷ ମହମ୍ମଦ ଯେଉଁ ଧର୍ମ ପ୍ରଚାର କରିଥିଲେ, ତାହାର ନାମ ମୁସଲମାନ ଧର୍ମ । ମହମ୍ମଦ ଆରବ ଦେଶର ରାଜଧାନୀ ମକ୍କା ନଗରରେ ୫୭୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ଜନ୍ମର ଛ’ମାସ ଆଗରୁ ତାଙ୍କ ପିତା ମରି ଯାଇଥିଲେ ଓ ଜନ୍ମର ଛ’ବର୍ଷ ପରେ ତାଙ୍କର ମା ମଧ୍ୟ ମରିଗଲେ; ତେଣୁ ତାଙ୍କ ପିତାମହ ଅନାଥ ମହମ୍ମଦଙ୍କୁ ପାଳନ କଲେ । ସେ ମଧ୍ୟ ଅଳ୍ପ ଦିନରେ ପ୍ରାଣତ୍ୟାଗ କରିବାରୁ ତାଙ୍କ ବାପାଙ୍କ ବଡ଼ଭାଇ ତାଙ୍କୁ ମନୁଷ୍ୟ କରିଥିଲେ । ଆରବ ଦେଶ ମରୁଭୂମିରେ ପରିପୂର୍ଣ୍ଣ । ମେଣ୍ଢା, ଓଟ ପ୍ରଭୃତି ଜୀବ ପୋଷି ଓ ବାଣିଜ୍ୟ କରି ସେ ଦେଶ ଲୋକେ ଚଳନ୍ତି । ପିଲାଦିନେ ମହମ୍ମଦ ଏହି ପଶୁମାନଙ୍କୁ ଚରାଉଥିଲେ । ପାଠ ପଢ଼ିବାର ସୁଯୋଗ ତାଙ୍କ ଭାଗ୍ୟରେ ଘଟି ନ ଥିଲା । ସେତେବେଳେ ତାଙ୍କ ଦେଶବାସୀଙ୍କ ମଧ୍ୟରେ ନାନାପ୍ରକାର ଧର୍ମମତ ପ୍ରଚଳିତ ଥିଲା ଏବଂ ସେମାନଙ୍କ ସାମାଜିକ ଜୀବନ ବଡ଼ ବିଶୃଙ୍ଖଳ ହୋଇ ଉଠିଥିଲା । ସର୍ବଦା ଲୋକେ ପରସ୍ପରକୁ ହିଂସା କରୁଥିଲେ । ଚୋରି, ଡକାୟତି, ମାଡ଼ଗୋଳ କେତେବେଳେ ହେଲେ ବନ୍ଦ ନ ଥିଲା । ସ୍ୱଦେଶବାସୀଙ୍କର ଏହି ଅବସ୍ଥା ଦେଖି ମହମ୍ମଦଙ୍କ ମନରେ ଘୋର ଦୁଃଖ ଜାତ ହେଲା । କି ଉପାୟ କଲେ ଲୋକଙ୍କର ଦୁଃଖ ଦୂର ହେବ, ସେ ସବୁବେଳେ ଏହାହିଁ ଚିନ୍ତା କରୁଥିଲେ । ବାର ବର୍ଷ ବୟସରେ ମହମ୍ମଦ ତାଙ୍କ ଜ୍ୟେଷ୍ଠ ତାତଙ୍କ ସଙ୍ଗେ ସିରିୟା ଦେଶକୁ ବାଣିଜ୍ୟ କରିବାକୁ ଯାଇଥିଲେ । ସେଠାରେ ଅନେକ ତୀର୍ଥ ଦେଖି ଓ ସାଧୁ ସନ୍ନ୍ୟାସୀଙ୍କ ସଙ୍ଗେ ମିଶି ତାଙ୍କ ମନରେ ଧର୍ମଭାବ ଜାଗି ଉଠିଲା । ଯେପରି କ୍ଷୁଦ୍ର ଅଗ୍ନିକଣା ପ୍ରକାଣ୍ଡ ଅଗ୍ନିରେ ପରିଣତ ହୁଏ, ସେହିପରି ମହମ୍ମଦଙ୍କ ହୃଦୟରେ ଯେଉଁ ଧର୍ମଭାବ ଜାତ ହୋଇଥିଲା, ଦିନେ ତାହା ଆରବ ଦେଶର ପାପ ଦୁରାଚାର ଧ୍ୱଂସ କରି ସମଗ୍ର ପୃଥିବୀକୁ ଉଜ୍ଜ୍ୱଳ କରିଥିଲା ।

 

ସେତେବେଳେ ମକ୍‌କା ନଗରରେ ଖାଦେଜା ନାମରେ ଜଣେ ବିଧବା ସ୍ତ୍ରୀ ବାସ କରୁଥିଲେ । ତାଙ୍କର ଅନେକ ସମ୍ପତ୍ତି ଥିଲା । ଅଳ୍ପ ବୟସରେ ବିଧବା ହୋଇ ସେ ପବିତ୍ର ଭାବରେ ଜୀବନ ଯାପନ କରୁଥିଲେ । ସେ ମହମ୍ମଦଙ୍କର ଧର୍ମଭାବ ଦେଖି ସମସ୍ତ ସମ୍ପତ୍ତି ତାଙ୍କ ପଦରେ ସମର୍ପଣ କରି ତାଙ୍କୁ ବିବାହ କଲେ । ବିବାହ ପରେ ତାଙ୍କର ଧର୍ମଭାବ ଆହୁରି ବଢ଼ିଲା । ସେ ଘର ଛାଡ଼ି ମକ୍କାନଗର ନିକଟବର୍ତ୍ତୀ ପର୍ବତଗହ୍ୱରରେ ତପସ୍ୟା ଆରମ୍ଭ କଲେ । ଏ ଅବସ୍ଥାରେ ପରମେଶ୍ୱରଙ୍କୁ ପାଇବା ପାଇଁ ସେ ଏତେ ବ୍ୟାକୁଳ ହୋଇ ପଡ଼ିଥିଲେ ଯେ, ତାଙ୍କର କ୍ଷୁଧା ତୃଷା ବନ୍ଦ ହୋଇ ଯାଇଥିଲା । ଅନାହାରରେ ସେ ପାଗଳ ପରି ହୋଇଗଲେ; ଶେଷରେ ପରମେଶ୍ୱର ତାଙ୍କ ହୃଦୟରେ ପ୍ରକାଶିତ ହେଲେ । ଅଭିନବ ଜୀବନ ଲାଭ କରି ସେ ପ୍ରଥମେ ତାଙ୍କ ସ୍ୱଦେଶରେ ‘ଈଶ୍ୱର ଏକ, ଅଦ୍ୱିତୀୟ’ ଏହି ମହାବାଣୀ ପ୍ରଚାର କଲେ । ସେତେବେଳକୁ ତାଙ୍କର ବୟସ ୪୦ ବର୍ଷ ହୋଇଥିଲା ।

 

ମହମ୍ମଦଙ୍କ ମୁଖରୁ ଏହି ନୂତନ ଧର୍ମସଂବାଦ ଓ ଈଶ୍ୱରବାଣୀ ଶୁଣି ଆରବ ଦେଶରେ ଘୋର ପରିବର୍ତ୍ତନର ସୂତ୍ରପାତ ହେଲା । ପ୍ରଥମେ ତାଙ୍କ ପତ୍ନୀ ଖାଦେଜା ଦେବୀ ତାଙ୍କ ଧର୍ମ ଗ୍ରହଣ କଲେ ଓ ଚାହୁଁ ଚାହୁଁ ଶତ ଶତ ଲୋକ ତାଙ୍କର ଶିଷ୍ୟ ହେଲେ । ମାତ୍ର କେତେକ ଦୁର୍ବୁତ୍ତ ଓ ଅସଚ୍ଚରିତ୍ର ଲୋକ ତାଙ୍କ ବିପକ୍ଷରେ ଠିଆ ହୋଇ ତାଙ୍କର ଅନିଷ୍ଟ କରିବା ପାଇଁ ନାନାପ୍ରକାର ଚେଷ୍ଟା କଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ଓ ଜ୍ୟେଷ୍ଠ ତାତ ପ୍ରାଣତ୍ୟାଗ କଲେ । ମହମ୍ମଦଙ୍କୁ ଘୋର ଦୁଃଖରେ ପଡ଼ିବାକୁ ହେଲା; ମାତ୍ର ତାଙ୍କ ପ୍ରାଣରେ ଈଶ୍ୱର ବିଶ୍ୱାସ ଏପରି ଦୃଢ଼ ଥିଲା ଯେ, ସେ ସମସ୍ତ ଭୁଲିଯାଇ କେବଳ ଈଶ୍ୱରପ୍ରେମ ପ୍ରଚାର କରିବାରେ ଲାଗିଲେ । ପ୍ରକୃତରେ ଯେ ଥରେ ମହୁର ସ୍ୱାଦ ପାଇଅଛି, ସେ କେତେବେଳେ ହେଲେ ମହୁ ଭୁଲିପାରେ ନାହିଁ; ମାତ୍ର ଯେ ମହୁ ଆଦୌ ଚାଖି ନାହିଁ, ସେ ତା ସ୍ୱାଦ କିପରି ବୁଝିବ ?

 

ଏହି ସମୟରେ ଶତ୍ରୁମାନେ ତାଙ୍କର ଜୀବନନାଶ କରିବା ପାଇଁ ନାନା ଚେଷ୍ଟା କରିବାରୁ ସେ ବାଧ୍ୟ ହୋଇ ଅସ୍ତ୍ରଧାରଣ କରିବାକୁ ତାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଲେ ଓ ୬୨୨ ଖ୍ରୀଷ୍ଟାବ୍ଦରେ ମକ୍‌କାରୁ ଯାଇ ଆରବ ଦେଶର ଅନ୍ୟ ଗୋଟିଏ ପ୍ରଧାନ ନଗର ମଦିନାରେ ଧର୍ମପ୍ରଚାର କଲେ । ମହମ୍ମଦଙ୍କର ମଦିନାକୁ ପଳାଇଯିବା ସମୟରୁ ମୁସଲମାନମାନେ ହିଜିରି ସାଲ ଗଣନା କରନ୍ତି । ଶତ୍ରୁମାନଙ୍କ ସଙ୍ଗେ ତାଙ୍କର ଯୁଦ୍ଧ ହେଲା; ମାତ୍ର ମହମ୍ମଦ କେବେହେଲେ ଅଧର୍ମ ଯୁଦ୍ଧ କରିବାକୁ ତାଙ୍କର ଶିଷ୍ୟମାନଙ୍କୁ ଆଦେଶ ଦେଇ ନ ଥିଲେ । ଶେଷରେ ଶତ୍ରୁମାନେ ପରାସ୍ତ ହେଲେ ଓ ସମଗ୍ର ଆରବ ଦେଶରେ ମହମ୍ମଦ ‘‘ଈଶ୍ୱର ଏକ ଏବଂ ଅଦ୍ୱିତୀୟ’’ ଏହି ମହାବାଣୀ ପ୍ରଚାର କରି ଲୋକମାନଙ୍କୁ ନୂତନ ଜୀବନ ପ୍ରଦାନ କଲେ । ତାଙ୍କ ପ୍ରଚାରିତ ଧର୍ମର ନାମ ମୁସଲମାନ ଧର୍ମ ଓ ତାଙ୍କ ପ୍ରଣୀତ ଧର୍ମଗ୍ରନ୍ଥର ନାମ “କୋରାନ୍’’ । ହିନ୍ଦୁମାନେ ବେଦକୁ ଯେପରି ଈଶ୍ୱରବାଣୀ ବୋଲି ମନେ କରନ୍ତି, ମୁସଲମାନମାନେ ‘କୋରାନ୍’କୁ ସେହିପରି ଈଶ୍ୱରବାଣୀ ବୋଲି ବିଶ୍ୱାସ କରନ୍ତି । ୬୩୨ ଖ୍ରୀଷ୍ଟାବ୍ଦରେ ମହମ୍ମଦ ନଶ୍ୱର ଦେହ ତ୍ୟାଗ କରି ପରଲୋକ ପ୍ରାପ୍ତ ହେଲେ ।

 

ମହମ୍ମଦଙ୍କ ପରେ ମୁସଲମାନମାନେ ପୃଥିବୀର ଚାରିଆଡ଼େ ତାଙ୍କ ଧର୍ମମତ ପ୍ରଚାର କରିବାକୁ ଚେଷ୍ଟା କରିଥିଲେ ଓ ବିଭିନ୍ନ ଦେଶରେ ବହୁ ଲୋକ ସେ ଧର୍ମ ଗ୍ରହଣ କରିଥିଲେ । ଧର୍ମବଳରେ ବଳୀୟାନ୍ ହୋଇ ମୁସଲମାନମାନେ ଅନେକ ଦେଶ ଜୟ କରି ସେଥିମଧ୍ୟରୁ କେତେକ ଦେଶରେ ରାଜତ୍ୱ ମଧ୍ୟ କରିଥିଲେ । ଆମ ଭାରତବର୍ଷ ପ୍ରାୟ ୫୦୦ ବର୍ଷ ମୁସଲମାନମାନଙ୍କ ଅଧୀନ ଥିଲା । ମୁସଲମାନ ରାଜାମାନଙ୍କର ଅନେକ କୀର୍ତ୍ତି ଏ ଦେଶର ନାନା ସ୍ଥାନରେ ଏପର୍ଯ୍ୟନ୍ତ ରହିଅଛି । ଆରବ, ତାତାର ପ୍ରଭୃତି ଦେଶରୁ ଅନେକ ମୁସଲମାନ ସେମାନଙ୍କ ରାଜତ୍ୱ ସମୟରୁ ଏ ଦେଶରେ ଆସି ବାସ କରିଥିଲେ ଏବଂ ଏ ଦେଶବାସୀ ଅନେକ ହିନ୍ଦୁ ମଧ୍ୟ ସ୍ୱଧର୍ମ ଛାଡ଼ି ମୁସଲମାନ ଧର୍ମ ଗ୍ରହଣ କରିଥିଲେ । ଏହି ଭାବରେ ଭାରତବର୍ଷରେ ଏବେ ଅନେକ ମୁସଲମାନ ବାସ କରୁଅଛନ୍ତି ।

 

ପ୍ରଶ୍ନ

 

୧.

ମହମ୍ମଦଙ୍କ ଧର୍ମମତର ସାର କଥା ନିଜ ଭାଷାରେ କହ ।

୨.

ପୃଥିବୀରେ ସବୁ ଧର୍ମର ଲକ୍ଷ ଏକ–ଏହି କଥାଟିକୁ ଉଦାହରଣ ଦେଇ ବୁଝାଇଦିଅ ।

୩.

ସ୍ୱଦେଶରେ ଧର୍ମପ୍ରଚାର କରିବା ପାଇଁ କି ହେତୁରୁ ମହମ୍ମଦଙ୍କୁ ପ୍ରଥମେ କଷ୍ଟ ହୋଇଥିଲା-?

୪.

ବର୍ତ୍ତମାନ ପୃଥିବୀରେ କେଉଁ କେଉଁ ଦେଶରେ ମୁସଲମାନ ଧର୍ମ ପ୍ରଚଳିତ ଅଛି ?

Image

 

ପୃଥ୍ୱୀରାଜ

 

ଯେତେବେଳେ ମୁସଲମାନମାନେ ପୃଥିବୀରେ ଭାରି ବଳଶାଳୀ ହୋଇ ଉଠିଲେ, ସେତେବେଳେ ସେମାନେ ଅନ୍ୟାନ୍ୟ ଦେଶ ଆକ୍ରମଣ କରିବା ସଙ୍ଗେ ସଙ୍ଗେ ଭାରତ ଆକ୍ରମଣ କରିବାକୁ ମଧ୍ୟ ଭୁଲି ନ ଥିଲେ । କେତେକ ମୁସଲମାନ ରାଜା ଭାରତବର୍ଷର ପଶ୍ଚିମାଅଞ୍ଚଳ ଆକ୍ରମଣ କରି ହିନ୍ଦୁମାନଙ୍କ ଧର୍ମମନ୍ଦିରମାନ ନଷ୍ଟ କରି ଦେଉଥିଲେ; ଗ୍ରାମ, ନଗର ପୋଡ଼ି ଦେଉଥିଲେ ଓ ଲକ୍ଷ ଲକ୍ଷ ଲୋକଙ୍କୁ ମାରି ଧନରତ୍ନ ଲୁଟି କରି ତାଙ୍କ ଦେଶକୁ ଘେନି ଚାଲି ଯାଉଥିଲେ । ମାତ୍ର ଏ ଦେଶରେ ସେତେବେଳେ ବଡ଼ ବଡ଼ ହିନ୍ଦୁ ରାଜା ରାଜତ୍ୱ କରୁଥିବାରୁ ସେମାନଙ୍କୁ ପରାସ୍ତ କରି ରାଜ୍ୟ ଅଧିକାର କରି ପାରୁ ନ ଥିଲେ ।

 

ହର୍ଷବର୍ଦ୍ଧନଙ୍କ ପରେ ଉତ୍ତର ଭାରତରେ ତାଙ୍କ ଭଳି ପ୍ରସିଦ୍ଧ ରାଜା କେହି ରାଜତ୍ୱ କରି ନ ଥିଲେ । କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ଭିନ୍ନ ଭିନ୍ନ ରାଜପୁତ୍‌ବଂଶୀୟ ରାଜାମାନଙ୍କ ଅଧୀନ ଥିଲା । ଖ୍ରୀଷ୍ଟ ଦ୍ୱାଦଶ ଶତାବ୍ଦୀରେ ଦିଲ୍ଲୀ ରାଜ୍ୟରେ ଚୌହାନବଂଶୀୟ ପୃଥ୍ୱୀରାଜ ଓ କନୌଜ ବା କାନ୍ୟକୁବ୍‌ଜ ରାଜ୍ୟରେ ରାଠୋରବଂଶୀୟ ଜୟଚନ୍ଦ୍ର ରାଜତ୍ୱ କରୁଥିଲେ । ଏ ଦୁହେଁ ଦିଲ୍ଲୀର ପୂର୍ବ ରାଜା ଅନଙ୍ଗପାଳଙ୍କର ଦୌହିତ୍ର ବା ଝିଅଙ୍କ ପୁଅ ନାତି । ଅନଙ୍ଗପାଳ ମୃତ୍ୟୁ ପୂର୍ବରୁ ପୃଥ୍ୱୀରାଜଙ୍କୁ ତାଙ୍କର ଉତ୍ତରାଧିକାରୀ ମନୋନୀତ କରିଯାଇଥିଲେ; ତେଣୁ ଜୟଚନ୍ଦ୍ର ପୃଥ୍ୱୀରାଜଙ୍କୁ ତାଙ୍କ ଶତ୍ରୁ ବୋଲି ମନେ କରି ସବୁବେଳେ ତାଙ୍କର ଅମଙ୍ଗଳ ପଞ୍ଚୁଥିଲେ ।

 

ସେ ସମୟରେ ଏ ଦେଶର ବଡ଼ ବଡ଼ ରାଜାମାନେ ଯଜ୍ଞ କରୁଥିଲେ । ପୃଥ୍ୱୀରାଜ ଦିଲ୍ଲୀ ସିଂହାସନରେ ବସିବାବେଳେ ଗୋଟିଏ ଅଶ୍ୱମେଧ ଯଜ୍ଞ କରିଥିଲେ । ଏହାହିଁ ଭାରତରେ ଶେଷ ଅଶ୍ୱମେଧ ଯଜ୍ଞ । ଜୟଚନ୍ଦ୍ର ପୃଥ୍ୱୀରାଜଙ୍କୁ ଅପମାନ ଦେବା ଉଦ୍ଦେଶ୍ୟରେ ଗୋଟିଏ ରାଜସୂୟ ଯଜ୍ଞ ଆରମ୍ଭ କଲେ । ଏହି ଯଜ୍ଞରେ ଅଧୀନ ସାମନ୍ତ ରାଜାମାନଙ୍କୁ ଭୃତ୍ୟ ପରି କାର୍ଯ୍ୟ କରିବାକୁ ହୁଏ । ଜୟଚନ୍ଦ୍ର ଦ୍ୱାରୀ ହେବା ପାଇଁ ପୃଥ୍ୱୀରାଜଙ୍କୁ ନିମନ୍ତ୍ରଣ କଲେ । ମହାବୀର ପୃଥ୍ୱୀରାଜ ଅବଶ୍ୟ ସେହି ଅପମାନଜନକ ନିମନ୍ତ୍ରଣ ରକ୍ଷା କଲେନାହିଁ; କିନ୍ତୁ ଜୟଚନ୍ଦ୍ର ତାଙ୍କର ଗୋଟିଏ ପ୍ରତିମୂର୍ତ୍ତି ନିର୍ମାଣ କରାଇ ସିଂହଦ୍ୱାରରେ ଦ୍ୱାରୀ ବେଶରେ ବସାଇ ଦେଲେ । ଜୟଚନ୍ଦ୍ରଙ୍କର ସଂଯୁକ୍ତା ନାମରେ ଗୋଟିଏ ଭାରୀ ସୁନ୍ଦରୀ ଓ ଗୁଣବତୀ କନ୍ୟା ଥିଲେ । ଯଜ୍ଞ ଶେଷରେ ସଂଯୁକ୍ତାଙ୍କର ସ୍ୱୟଂବର ହେବାର କଥା ଥିଲା । ଏଥିପୂର୍ବରୁ ସଂଯୁକ୍ତା ପୃଥ୍ୱୀରାଜଙ୍କ ରୂପ ଗୁଣରେ ମୁଗ୍‌ଧ ହୋଇ ତାଙ୍କୁ ମନେ ମନେ ପତିପଦରେ ବରଣ କରିଥିଲେ । ପୃଥ୍ୱୀରାଜ ଏହା ଜାଣିପାରି ସୈନ୍ୟମାନଙ୍କ ସଙ୍ଗରେ କାନ୍ୟକୁବ୍‌ଜକୁ ଯାତ୍ରା କଲେ ଏବଂ ସୈନ୍ୟମାନଙ୍କୁ ପଥ ମଧ୍ୟରେ ସ୍ଥାନେ ସ୍ଥାନେ ରଖାଇ ଦେଇ ନିଜେ ଛଦ୍ମବେଶରେ ଯଜ୍ଞସଭା ନିକଟରେ ଲୁଚି ରହିଲେ । ସଂଯୁକ୍ତା ସଭାରେ ପୃଥ୍ୱୀରାଜଙ୍କୁ ନ ଦେଖି ଉପସ୍ଥିତ ଅନ୍ୟାନ୍ୟ ରାଜାଙ୍କୁ ଉପେକ୍ଷା କରି ସିଂହଦ୍ୱାରରେ ସ୍ଥାପିତ ପୃଥ୍ୱୀରାଜଙ୍କ ପ୍ରତିମୂର୍ତ୍ତି ଗଳାରେ ବରମାଲ୍ୟ ପ୍ରଦାନ କଲେ । ଏହି ସୁଯୋଗରେ ପୃଥ୍ୱୀରାଜ ଗୋପନ ସ୍ଥାନରୁ ବାହାରି ନିଜ ପାର୍ଶ୍ୱରେ ଅଶ୍ୱପୃଷ୍ଠରେ ସଂଯୁକ୍ତାଙ୍କୁ ବସାଇ ଅଶ୍ୱକୁ ଖୁବ୍ ଜୋରରେ ଚାବୁକ ମାଇଲେ । ଏହା ଦେଖି ଜୟଚନ୍ଦ୍ରଙ୍କ ସୈନ୍ୟମାନେ ତାଙ୍କ ପଛରେ ଦୌଡ଼ିଲେ । ବାଟରେ ସ୍ଥାନେ ସ୍ଥାନେ ପୃଥ୍ୱୀରାଜଙ୍କ ସୈନ୍ୟମାନେ ସେମାନଙ୍କୁ ପରାସ୍ତ କଲେ; ତେଣୁ ପୃଥ୍ୱୀରାଜ ନିରାପଦରେ ସଂଯୁକ୍ତାଙ୍କ ସଙ୍ଗେ ସପ୍ତମ ଦିନରେ ଦିଲ୍ଲୀରେ ପହଞ୍ଚିଲେ । ସେଠାରେ ମହାସମାରୋହରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା ।

 

ଜୟଚନ୍ଦ୍ର ପରାସ୍ତ ଓ ଲଜ୍ଜିତ ହୋଇ ଅନ୍ୟ ଉପାୟ ନ ଦେଖି ହିନ୍ଦୁଙ୍କୁ ଛାଡ଼ି ଘୋର୍ ଓ ଗଜନୀ ରାଜ୍ୟର ଅଧିପତି ମହମ୍ମଦ ଘୋରୀ ନାମକ ଜଣେ ମୁସଲମାନ ରାଜାଙ୍କ ଶରଣାପନ୍ନ ହେଲେ ଏବଂ ତାଙ୍କୁ ଦିଲ୍ଲୀ ଆକ୍ରମଣ କରିବା ପାଇଁ ନିମନ୍ତ୍ରଣ କଲେ । ହିନ୍ଦୁରାଜାଙ୍କ ସାହାଯ୍ୟରେ ହିନ୍ଦୁ ରାଜ୍ୟ ଆକ୍ରମଣ କରିବା ସୁବିଧାଜନକ ହେବ ବୋଲି ଭାବି ଘୋରୀ ଭାରି ଆନନ୍ଦରେ ତାଙ୍କ ନିମନ୍ତ୍ରଣ ରକ୍ଷାକଲେ ଓ ସସୈନ୍ୟରେ ଭାରତରେ ଆସି ଉପସ୍ଥିତ ହେଲେ । ପୃଥ୍ୱୀରାଜ ଏହି ସଂବାଦ ଶୁଣି ମୁସଲମାନମାନଙ୍କ ହସ୍ତରୁ ରାଜ୍ୟ ରକ୍ଷା କରିବା ପାଇଁ ଭିନ୍ନ ଭିନ୍ନ ପ୍ରଦେଶରେ ରାଜାଙ୍କୁ ନିମନ୍ତ୍ରଣ କଲେ ।

 

ଅନେକ ହିନ୍ଦୁରାଜା ପୃଥ୍ୱୀରାଜଙ୍କ ସଙ୍ଗେ ଯୋଗଦେଲେ । ଥାନେଶ୍ୱର ନିକଟ ତିରୋରୀ ନାମକ ସ୍ଥାନରେ ଦୁଇ ପକ୍ଷର ପ୍ରବଳ ଯୁଦ୍ଧ ହେଲା । ମୁସଲମାନମାନେ ପରାସ୍ତ ହେଲେ; ନିଜେ ଘୋରୀ ଗୁରୁତର ଆଘାତ ପାଇ କେବଳ ନିଜ ଜୀବନ ଘେନି ଅଶ୍ୱପୃଷ୍ଠରେ ପଳାୟନ କଲେ । ତାଙ୍କ ସୈନ୍ୟମାନେ ଛତ୍ରଭଙ୍ଗ ଦେଲେ । ଏହା ୧୧୯୧ ଖ୍ରୀଷ୍ଟାବ୍ଦର ଘଟନା ।

 

ଏହାର ଦୁଇ ବର୍ଷ ପରେ ଘୋରୀ ବିପୁଳ ସୈନ୍ୟ ଘେନି ପୁଣି ଭାରତ ଆକ୍ରମଣ କରିବାକୁ ବାହାରିଲେ । ପୃଥ୍ୱୀରାଜ ପୁଣି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ । ଚିତୋର ରାଜା ଅମର୍ଷୀ ଏ ଯୁଦ୍ଧରେ ପୃଥ୍ୱୀରାଜଙ୍କର ପ୍ରଧାନ ସହାୟ ହୋଇଥିଲେ । ସେହି ତିରୋରୀରେ ଆଉ ଥରେ ଭୟଙ୍କର ଯୁଦ୍ଧ ହେଲା । ଅମର୍ଷୀ ଯୁଦ୍ଧରେ ନିହତ ହେଲେ ଏବଂ ମହାବୀର ପୃଥ୍ୱୀରାଜ ଅସଂଖ୍ୟ ଯବନ ସୈନ୍ୟଙ୍କର ପ୍ରାଣ ସଂହାର କରି ଶେଷରେ ରଣଭୂମିରେ ପ୍ରାଣ ବିସର୍ଜନ କଲେ । ପତିପ୍ରାଣା ସଂଯୁକ୍ତା ସ୍ୱାମୀଙ୍କ ଚିତାନଳରେ ପ୍ରବେଶ କରି ଧର୍ମ ରକ୍ଷା କଲେ । ସେହି ୧୧୯୩ ଖ୍ରୀଷ୍ଟାବ୍ଦରେ ତିରୋରୀ ଯୁଦ୍ଧକ୍ଷେତ୍ରରେ ଭାରତର ସୌଭାଗ୍ୟରବି ଚିରକାଳ ପାଇଁ ଅସ୍ତମିତ ହୋଇଗଲେ । ଭାରତ ପରାଧୀନତା ଶୃଙ୍ଖଳରେ ବନ୍ଧା ହୋଇ ରହିଲା । ଦିଲ୍ଲୀର ହିନ୍ଦୁ ରାଜନବର ଉପରେ ବିଦେଶୀ ମୁସଲମାନମାନଙ୍କର ଜୟପତାକା ଉଡ଼ିଲା । ସ୍ୱଦେଶ-ବିଦ୍ରୋହୀ, ସ୍ୱଜାତିର କଳଙ୍କ ଜୟଚନ୍ଦ୍ର, ଶତ୍ରୁର ବିନାଶରେ ଭାରି ଆନନ୍ଦିତ ହୋଇଥିବେ ! ମାତ୍ର ତାଙ୍କର ସେ ଆନନ୍ଦ ବେଶି ଦିନ ସ୍ଥାୟୀ ହେଲା ନାହିଁ । ମହମ୍ମଦ ଘୋରୀ କିଛି ଦିନ ପରେ ଜୟଚନ୍ଦ୍ରଙ୍କ ରାଜ୍ୟ କାନ୍ୟକୁବ୍ଜ ଆକ୍ରମଣ କରି ତାଙ୍କୁ ପରାସ୍ତ କଲେ । ଜୟଚନ୍ଦ୍ର ସେ ଅପମାନ ସହି ନ ପାରି ନିଜେ ପାପର ପ୍ରାୟଶ୍ଚିତ୍ତ ରୂପେ ଗଙ୍ଗାଗର୍ଭକୁ ଡେଇଁ ପଡ଼ି ବୁଡ଼ିମଲେ ।

 

ଏହି ଭାବରେ ମୁସଲମାନମାନେ ଭାରତ ଅଧିକାର କରି ଏ ଦେଶରେ ପ୍ରାୟ ପାଞ୍ଚ ଶହ ବର୍ଷ ରାଜା ହୋଇଥିଲେ । ପ୍ରଥମେ ଏ ଦେଶରେ ଯେଉଁ ମୁସଲମାନମାନେ ରାଜା ହୋଇଥିଲେ, ସେମାନଙ୍କୁ ପଠାଣ ବୋଲାଯାଏ ।

 

ପରବର୍ତ୍ତୀ କାଳରେ ମୋଗଲ ନାମକ ଅନ୍ୟ ଏକ ସଂପ୍ରଦାୟର ମୁସଲମାନମାନେ ଏ ଦେଶରେ ରାଜତ୍ୱ କରିଥିଲେ । ମୁସଲମାନମାନେ ହିନ୍ଦୁମାନଙ୍କ ଉପରେ ବଡ଼ ଅତ୍ୟାଚାର କରୁଥିଲେ । ବିଶେଷରେ ହିନ୍ଦୁଧର୍ମ ପ୍ରତି ସେମାନଙ୍କର ବଡ଼ ବିଦ୍ୱେଷ ଥିଲା । ହିନ୍ଦୁ ମନ୍ଦିର ଭାଙ୍ଗିବା, ଦେବ ପ୍ରତିମାମାନଙ୍କୁ ଧ୍ୱଂସ କରିବା, ହିନ୍ଦୁ ଧର୍ମଗ୍ରନ୍ଥ ପୋଡ଼ିବା ଓ ହିନ୍ଦୁ ଧର୍ମର ଆଚାର୍ଯ୍ୟମାନଙ୍କୁ ମାରିବା ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜାଙ୍କର ବଡ଼ ପ୍ରିୟ କାର୍ଯ୍ୟ ଥିଲା । ମୁସଲମାନମାନଙ୍କ ମଧ୍ୟରେ ଆକବରଙ୍କ ପରି ଅତି ଅଳ୍ପ ହିନ୍ଦୁପ୍ରିୟ ରାଜା ଏ ଦେଶରେ ରାଜତ୍ୱ କରିଥିଲେ ।

 

ପ୍ରଶ୍ନ

 

୧.

କେବେ କିପରି ଭାରତର ସ୍ୱାଧୀନତା ଲୋପ ହେଲା ?

୨.

ସଂଯୁକ୍ତା ସ୍ୱୟଂବର କଥା ସଂକ୍ଷେପରେ ବର୍ଣ୍ଣନା କର ।

୩.

ଘର କଳିରେ ଉତ୍ତ୍ୟକ୍ତ ହୋଇ ବିଦେଶୀ ଶତ୍ରୁକୁ ଏ ଦେଶକୁ ନିମନ୍ତ୍ରଣ କରି ଆଣିବା ଜୟଚନ୍ଦ୍ରଙ୍କ ପକ୍ଷରେ କିପରି କାର୍ଯ୍ୟ ହୋଇଥିଲା ?

୪.

ତିରୋରୀ ଯୁଦ୍ଧ ଭାରତବାସୀଙ୍କ ପକ୍ଷରେ କି ହେତୁରୁ ଆଜିଯାଏ ସ୍ମରଣୀୟ ହୋଇ ରହିଛି-?

Image

 

ଆକ୍‌ବର

 

ଭାରତବର୍ଷରେ ଯେତେ ମୁସଲମାନ ସମ୍ରାଟ ରାଜତ୍ୱ କରିଥିଲେ, ସେମାନଙ୍କ ମଧ୍ୟରେ ଆକ୍‌ବର ବାଦଶାହ ସର୍ବଶ୍ରେଷ୍ଠ । ହିନ୍ଦୁ ଓ ମୁସଲମାନ ଉଭୟ ତାଙ୍କୁ ଭାରି ଭକ୍ତି କରୁଥିଲେ । ଆକ୍‌ବରଙ୍କ ପିତା ହୁମାୟୁନ ଦିଲ୍ଲୀର ସମ୍ରାଟ୍ ଥିଲେ; ମାତ୍ର ତାଙ୍କ ଶତ୍ରୁମାନେ ଆକ୍‌ବର ମା ପେଟରେ ଥିବା ସମୟରେ ତାଙ୍କ ରାଜ୍ୟ ଦଖଲ କରିନେଲେ; ତେଣୁ ସେ ଏ ଦେଶ ଛାଡ଼ି କେତେ ଜଣ ଚାକର ଓ ନିଜ ପରିବାରଙ୍କୁ ସାଙ୍ଗରେ ନେଇ କାବୁଲକୁ ପଳାଉଥିଲେ । ବାଟରେ ଅମରକୋଟ ନାମକ ନଗରରେ ୧୫୪୨ ଖ୍ରୀଷ୍ଟାବ୍ଦରେ ଏହି ମହାମନା ସମ୍ରାଟ ଜନ୍ମିଥିଲେ । ସେତେବେଳେ ହୁମାୟୁନଙ୍କ ଅବସ୍ଥା ଏପରି ଶୋଚନୀୟ ଥିଲା ଯେ, ପୁଅଟିଏ ଜନ୍ମ ହୋଇଛି-ଏ ସମ୍ବାଦରେ ତାଙ୍କ ବନ୍ଧୁମାନଙ୍କୁ କିଛି ଉପହାର ଦେଇପାରି ନ ଥିଲେ । ତାଙ୍କ ପାଖରେ କେବଳ ଡିବାଏ କସ୍ତୁରୀ ଥିଲା-। ସେ ଉପସ୍ଥିତ ବନ୍ଧୁମାନଙ୍କ ମଧ୍ୟରେ ସେହି ମୃଗନାଭିତକ ବିତରଣ କରି କହିଲେ, ‘ଏହାର ସୌରଭ ପରି ନବଜାତ ଶିଶୁଟିର ଯଶଃ-ସୌରଭ ଚାରିଆଡ଼େ ବ୍ୟାପିଯାଉ-ଆପଣମାନେ ଏହି ଆଶୀର୍ବାଦ କରନ୍ତୁ ।’ ପ୍ରକୃତରେ ତାଙ୍କ ଜନକଙ୍କ ଏହି ଭବିଷ୍ୟତ୍‌ ବାକ୍ୟ ଅକ୍ଷରେ ଅକ୍ଷରେ ସତ୍ୟ ହୋଇଥିଲା ।

 

ଅଳ୍ପ ଦିନରେ ହୁମାୟୁନ ଅମରକୋଟ ଛାଡ଼ି ପାରସ୍ୟ ଆଡ଼କୁ ପଳାଇଲେ । କିନ୍ତୁ ଗଲାବେଳେ ସ୍ତ୍ରୀପୁତ୍ରଙ୍କୁ ହୀରାଟ ନାମକ ସହରରେ ତାଙ୍କ ସାନ ଭାଇଙ୍କ ପାଖରେ ଛାଡ଼ି ଦେଇ ଗଲେ । ଚାରି ବର୍ଷ ପରେ ଯେତେବେଳେ ସେ ପାରସ୍ୟ ରାଜାଙ୍କ ସାହାଯ୍ୟରେ କାନ୍ଦାହାର ଜୟ କରି ସେଠାରେ ରାଜା ହେଲେ, ସେତେବେଳେ ସ୍ତ୍ରୀପୁତ୍ରଙ୍କ ସଙ୍ଗେ ତାଙ୍କର ଦେଖାହେଲା । ଏହି ସମୟ ମଧ୍ୟରେ ତାଙ୍କର ଶତ୍ରୁମାନେ ଶିଶୁ ଆକ୍‌ବରଙ୍କ ପ୍ରାଣ ନାଶ କରିବା ପାଇଁ ଦୁଇ ଥର ଚେଷ୍ଟା କରିଥିଲେ; ସୌଭାଗ୍ୟକ୍ରମେ ଆକ୍‌ବର ରକ୍ଷା ପାଇଯାଇଥିଲେ । ତା ପରେ ତାଙ୍କର ପିତା କାବୁଲ ଅଧିକାର କରି ସେଠାରେ ରାଜା ହେଲେ । ଯେଉଁ ଶେରସାହା ତାଙ୍କ ଦିଲ୍ଲୀ ସିଂହାସନ ଅଧିକାର କରିଥିଲେ, ସେ ମରିଯିବାରୁ ହୁମାୟୁନ ତାଙ୍କ ପୁଅ ଆଦିଲ୍‌ ସାହାଙ୍କୁ ପରାସ୍ତ କରି ଏହି ସମୟରେ ପୁଣି ଦିଲ୍ଲୀ ସିଂହାସନ ଦଖଲ କରିନେଲେ । ମାତ୍ର ତା ପରବର୍ଷ ଅର୍ଥାତ୍ ୧୫୫୬ ଖ୍ରୀଷ୍ଟାବ୍ଦରେ ହୁମାୟୁନ ପ୍ରାଣତ୍ୟାଗ କଲେ; ତେଣୁ ଆକ୍‌ବର ସିଂହାସନରେ ବସିଲେ । ସେତେବେଳକୁ ତାଙ୍କର ବୟସ ଥିଲା ୧୪ ।

 

ଆଦିଲ ସାହାଙ୍କର ହିମୁ ନାମରେ ଜଣେ ହିନ୍ଦୁ ସେନାପତି ଥିଲେ । ସେ ଅନେକ ସୈନ୍ୟ ଘେନି ଆକ୍‌ବରଙ୍କୁ ଦିଲ୍ଲୀ ସିଂହାସନରୁ ତଡ଼ିଦେବା ପାଇଁ ଯୁଦ୍ଧ କଲେ । ଆକ୍‌ବର ସେତେବେଳେ ୧୪ ବର୍ଷର ପିଲା । ପିତାଙ୍କ ସମୟରୁ ବୈରାମ ଖାଁ ନାମରେ ତାଙ୍କର ଜଣେ ମନ୍ତ୍ରୀ ଓ ମୁରବୀ ଥିଲେ । ତାଙ୍କ ସାହାଯ୍ୟରେ ପାଣିପଥ ନାମକ ବିଖ୍ୟାତ ଯୁଦ୍ଧକ୍ଷେତ୍ରରେ ଆକ୍‌ବର ହିମୁଙ୍କୁ ପରାସ୍ତ କରି ବନ୍ଦୀ କଲେ । ପରେ ବିଚାରରେ ଦଣ୍ଡ ଦେବା ପାଇଁ ହିମୁଙ୍କୁ ଆକବରଙ୍କ ପାଖକୁ ଅଣାଗଲା । ବୈରାମ ଖୋପରୁ ଖଣ୍ଡା ବାହାର କରି ଆକ୍‌ବରଙ୍କ ହାତରେ ଦେଇ କହିଲେ, ‘ଏହି ଖଣ୍ଡାରେ ଶୀଘ୍ର ଏହି କାଫେରର ମୁଣ୍ଡ କାଟ ।’ ଆକ୍‌ବରଙ୍କ ହୃଦୟ ବଡ଼ କୋମଳ ଥିଲା; ସେ ଖଣ୍ଡାକୁ ହିମୁଙ୍କ ମୁଣ୍ଡରେ ଛୁଆଁଇ ଦେଇ ଘେନି ଆସିଲେ । ଏହା ଦେଖି ବୌରାମ ତତ୍‌କ୍ଷଣାତ୍ ଏକ ଆଘାତରେ ହିମୁଙ୍କ ମୁଣ୍ଡକୁ କାନ୍ଧରୁ ଅଲଗା କରିଦେଲେ । ଏ ଘଟଣା ଦେଖି ଆକ୍‌ବରଙ୍କର ଭାରି କଷ୍ଟ ହେଲା । ବୈରାମ ଗର୍ବିତ ହୋଇ ରାଜ୍ୟବାସୀ ଅନେକ ବଡ଼ ଲୋକଙ୍କୁ ମଧ୍ୟ ହତ୍ୟା କଲେ । ତାଙ୍କର ଏହି ସମସ୍ତ ନିଷ୍ଠୁର କାର୍ଯ୍ୟ ଓ ଉଦ୍ଧତ ବ୍ୟବହାରରେ ଆକ୍‌ବର ଏକାନ୍ତ ଅସନ୍ତୁଷ୍ଟ ହେଲେ । ଏଥିରେ ବୈରାମ ଆକ୍‌ବରଙ୍କ ବିପକ୍ଷରେ ଯୁଦ୍ଧ ଘୋଷଣା କଲେ; ମାତ୍ର ପରେ ପରାସ୍ତ ହୋଇ ଆକବରଙ୍କ ନିକଟରେ ଶରଣ ପଶିଲେ । ଉଦାରହୃଦୟ ଆକ୍‌ବର ବୈରାମଙ୍କୁ କ୍ଷମା ଦେଲେ ଏବଂ ମକ୍କା ତୀର୍ଥରେ ଶେଷଜୀବନ କଟାଇବା ପାଇଁ ଅନୁମତି ଦେଲେ; ମାତ୍ର ମକ୍କା ଯାଉଁ ଯାଉଁ ବାଟରେ ଗୁଜୁରାଟଠାରେ ତାଙ୍କର ଜଣେ ପୂର୍ବ ଶତ୍ରୁ ତାଙ୍କୁ ମାରି ପକାଇଲେ ।

 

ରାଜ୍ୟରେ ଶାନ୍ତି ଆସିବାବେଳକୁ ଆକ୍‌ବରଙ୍କ ବୟସ ୨୫ ବର୍ଷ ହୋଇଥିଲା । ସେ ଦେଖିଲେ ଯେ, ରାଜପୁତ୍‌ମାନେ ଏ ଦେଶରେ ବଳବାନ ଜାତି । ସେମାନଙ୍କ ସଙ୍ଗେ ମିଳିମିଶି ନ ରହିଲେ ତାଙ୍କ ରାଜ୍ୟରେ ପ୍ରକୃତ ଶାନ୍ତି ସ୍ଥାପିତ ହୋଇପାରିବ ନାହିଁ । ତେଣୁ ସେ ସେମାନଙ୍କ ସଙ୍ଗେ ବିବାହ ସମ୍ବନ୍ଧ ସ୍ଥାପନ କଲେ । ତାଙ୍କର ବଡ଼ ପୁଅ ସେଲିମ୍ ଜାହାଙ୍ଗିର ଯେ ପରେ ଭାରତର ସମ୍ରାଟ୍ ହୋଇଥିଲେ, ତାଙ୍କ ହିନ୍ଦୁରାଣୀ ଯୋଧପୁର ରାଜକନ୍ୟାଙ୍କ ଗର୍ଭଜାତ ପୁତ୍ର । ରାଜପୁତ୍‌ ବୀରମାନଙ୍କୁ ସେ ବଡ଼ ବଡ଼ ରାଜକାର୍ଯ୍ୟରେ ନିଯୁକ୍ତ କରିବାରୁ ଓ ପୂର୍ବ ମୁସଲମାନ ରାଜାଙ୍କ ଅମଳରେ ରାଜ୍ୟର ହିନ୍ଦୁ ପ୍ରଜାମାନଙ୍କୁ ‘ଜିଜିୟା’ ନାମକ ଯେଉଁ କର ଦେବାକୁ ପଡ଼ୁଥିଲା ତାହା ଉଠାଇ ଦେବାରୁ ହିନ୍ଦୁ ପ୍ରଜାମାନେ ତାଙ୍କୁ ଦେବତା ପରି ଭକ୍ତି କଲେ । ହିନ୍ଦୁମାନଙ୍କ ସାହାଯ୍ୟ ପାଇ ସେ ଭାରତରେ ଅଧିକାଂଶ ରାଜ୍ୟ ଜୟ କରିନେଲେ । ଆମ ଓଡ଼ିଶା ମଧ୍ୟ ଆକ୍‌ବର ଅଧିକାର କରିଥିଲେ । ତୋଡ଼ରମଲ୍ଲ ତାଙ୍କର ରାଜସ୍ୱମନ୍ତ୍ରୀ ଥିଲେ । ସେ ସମଗ୍ର ରାଜ୍ୟ ଜରୀବ କରି ରାଜସ୍ୱ ବନ୍ଦୋବସ୍ତ କରିଥିଲେ ।

 

ଆକ୍‌ବରଙ୍କ ରାଜତ୍ୱରେ ଭାରତରେ ପ୍ରଜାମାନେ ବଡ଼ ସୁଖରେ ଥିଲେ । ହିନ୍ଦୁଧର୍ମ ପ୍ରତି ତାଙ୍କର ବିଦ୍ୱେଷ ନ ଥିଲା । ସେ ମୁସଲମାନ୍ ସମ୍ରାଟମାନଙ୍କ ଭୂଷଣ ସ୍ୱରୂପ; ଯେପରି ମିଷ୍ଟଭାଷୀ, ଦାତା ଓ ଉଦାର ସେହିପରି କାର୍ଯ୍ୟଦକ୍ଷ, ବିଦ୍ୱାନ୍ ଓ ବିଦ୍ୟୋସ୍ଥାହୀ ଥିଲେ । ହିନ୍ଦୁ ଓ ମୁସଲମାନ ପଣ୍ଡିତଙ୍କୁ ସେ ସମାନ ଭାବରେ ସମାଦର କରୁଥିଲେ । ସଂସ୍କୃତଜ୍ଞ ପଣ୍ଡିତମାନଙ୍କୁ ସେ ଅନେକ ପୁରସ୍କାର ଦେଉଥିଲେ । ପ୍ରସିଦ୍ଧ ଇତିହାସ-ଲେଖକ ଅବୁଲଫାଜଲ ଆକ୍‌ବରଙ୍କ ସଭାପଣ୍ଡିତ ଥିଲେ-। ତାଙ୍କ ଛଡ଼ା ଅନ୍ୟ କେତେକ ବଡ଼ ବଡ଼ ପାରସ୍ୟବାସୀ କବି ମଧ୍ୟତାଙ୍କ ରାଜସଭା ଅଂଳକୃତ କରିଥିଲେ । ତାଙ୍କ ରାଜ୍ୟ ମଧ୍ୟରେ ପଥରେ ଦସ୍ୟୁଭୟ ନ ଥିଲା । ରାଜକରର ପରିମାଣ ବେଶୀ ନ ଥିବାରୁ ପ୍ରଜାମାନେ ତାଙ୍କ ରାଜ୍ୟରେ ସୁଖରେ ଥିଲେ । ପଠାଣ ରାଜାମାନଙ୍କର ଦୀର୍ଘ ରାଜତ୍ୱରେ ପ୍ରଜାମାନଙ୍କ ଉପରେ ବଡ଼ ଅତ୍ୟାଚାର ହେଉଥିଲା । ଆକ୍‌ବରଙ୍କ ରାଜତ୍ୱରେ ରାଜ୍ୟରେ ପୂର୍ଣ୍ଣ ଶାନ୍ତି ବିରାଜିବାରୁ ଲୋକେ ପରମ ସୁଖରେ କାଳ କଟାଇଲେ । ସେ ଯେତେ ରାଜ୍ୟ ଅଧିକାର କରିଥିଲେ, ତାହାର ରାଜାମାନଙ୍କୁ ମାରି ନ ପକାଇ ଅଧୀନତା ସ୍ୱୀକାର କରାଇ ଛାଡ଼ି ଦେଉଥିଲେ ।

 

ଆକ୍‌ବର ଆଗ୍ରାରେ ବିଚିତ୍ର ଶୋଭାପୂର୍ଣ୍ଣ ଗୋଟିଏ ମନୋହର ରାଜପ୍ରାସାଦ ନିର୍ମାଣ କରାଇଥିଲେ । ସେଠାରେ ପାଞ୍ଚ ହଜାର ହାତୀ ଓ ବାର ହଜାର ଘୋଡ଼ା ପୋଷା ହୋଇଥିଲେ । ଶିକାରରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏକହଜାର ଚିତାବାଘ (Leopards) ମଧ୍ୟ ସେଠାରେ ରଖାଯାଇଥିଲେ । ଫତେପୁର ଶିକ୍ରିଠାରେ ସେ ଯେଉଁ ବିଚିତ୍ର ନଗର ନିର୍ମାଣ କରାଇଥିଲେ, ସେଠାରେ ବହୁମୂଲ୍ୟ ମଣି ମୁକ୍ତା, ହୀରା, ନୀଳା ଆଦି ରତ୍ନ ପ୍ରଚୁର ପରିମାଣରେ ସଞ୍ଚିତ ଥିଲା । ରାଜପ୍ରାସାଦର ମାର୍ବଲ ପ୍ରସ୍ତର ନିର୍ମିତ ଅଗଣାରେ ପ୍ରତିଦିନ ଶତ ଶତ କବି, ବିଦ୍ୱାନ, ବୀର ଓ ରାଜନୀତିଜ୍ଞ ମନୋହର ବେଶଭୂଷାରେ ସଜ୍ଜିତ ହୋଇ ସମ୍ମିଳିତ ହେଉଥିଲେ । ଦୀର୍ଘ ୫୦ ବର୍ଷ ରାଜତ୍ୱ କରି ସେହି ମହାମନା ସମ୍ରାଟ ୧୬୦୫ ଖ୍ରୀଷ୍ଟାବ୍ଦରେ ଇହଲୀଳା ସାଙ୍ଗ କଲେ । ଐତିହାସିକ ଆବୁଲ୍‌ଫାଜଲ ‘ଆଇନ୍-ଇ-ଆକବରି’ ନାମକ ଗ୍ରନ୍ଥରେ ତାଙ୍କ ଜୀବନଚରିତ ଲେଖି ଯାଇଅଛନ୍ତି ।

 

ମୁସଲମାନ ଧର୍ମପ୍ରବର୍ତ୍ତକ ମହମ୍ମଦ ୬୨୨ ଖ୍ରୀଷ୍ଟାବ୍ଦରେ ମଦିନାକୁ ପଳାଇ ଯାଇଥିଲେ-। ସେହିଦିନରୁ ମୁସଲମାନମାନଙ୍କ ହିଜିରି ସାଲ ଗଣନା କରାଯାଏ । ଆକବରଙ୍କ ରାଜତ୍ୱ ପର୍ଯ୍ୟନ୍ତ ଚାନ୍ଦ୍ରବର୍ଷ ହିସାବରେ ଅର୍ଥାତ୍ ବର୍ଷକ ୨୫୪ ଦିନ ହିସାବରେ ଗଣାହୋଇ ଥିବା ହିଜିରି ୯୬୩ ବର୍ଷ ହୋଇଥିଲା । ସେହି ୯୬୩ ବର୍ଷକୁ ମୂଳପିଣ୍ଡ କରି ଆକ୍‌ବର ତାଙ୍କ ରାଜତ୍ୱ ଆରମ୍ଭ ୧୫୫୬ ଖ୍ରୀଷ୍ଟାବ୍ଦରୁ ଭାରତବର୍ଷରେ ପ୍ରଚଳିତ ସୌରବର୍ଷ ହିସାବରେ ଅର୍ଥାତ୍ ବର୍ଷକ ୩୬୫ ଦିନ ହିସାବରେ ଯେଉଁ ସାଲ ଚଳାଇଲେ, ତାହା ଆଜିଯାଏ ଆମ ଓଡ଼ିଶାରେ ଓ ବଙ୍ଗଳାରେ ଚଳୁଅଛି । ବର୍ତ୍ତମାନ ୧୩୪୫ସାଲ (୧୯୩୮ ଖ୍ରୀଷ୍ଟାବ୍ଦ)।

 

ପ୍ରଶ୍ନ

 

୧.

କେଉଁ କେଉଁ ଗୁଣ ଥିବାରୁ ଆକବର ଭାରତର ଆଦର୍ଶ ରାଜା ହୋଇଥିଲେ ?

୨.

ବର୍ତ୍ତମାନ ଏ ଦେଶର ଜମିଦାରୀ କଚେରୀ ପ୍ରଭୃତିରେ ଯେଉଁ ସାଲ ଚଳୁଅଛି, ତାହା କିପରି ଭାବରେ ଆରମ୍ଭ ହୋଇଥିଲା ?

୩.

ହିମୁ ଓ ବୈରାମଙ୍କ ସମ୍ବନ୍ଧରେ ଯାହା ଜାଣ କହ ।

Image

 

କଲମ୍ବସ ଓ ଭାସ୍କୋଡିଗାମା

 

ଆଲେକ୍‌ଜାଣ୍ଡରଙ୍କ ଭାରତ ଆଗମନ ସମୟରୁ ଭାରତର ପ୍ରଶଂସା ଇଉରୋପରେ ପ୍ରଚାରିତ ହୋଇଥିଲା; ମାତ୍ର ଇଉରୋପରୁ ଭାରତକୁ ସମୁଦ୍ରରେ ଆସିବାର ବାଟ ଜଣା ନ ଥିବାରୁ ଇଉରୋପର ଲୋକମାନେ ଭାରତକୁ ଆସିପାରୁ ନ ଥିଲେ । ଇଉରୋପ ମହାଦେଶରେ ମରିଚ, ଜିରା, ଲଙ୍କା ପ୍ରଭୃତି ମସଲା ଉତ୍ପନ୍ନ ହୁଏ ନାହିଁ । ଭାରତରେ ଏହି ସବୁ ପଦାର୍ଥ ପ୍ରଚୁର ପରିମାଣରେ ଜନ୍ମେ । ଆଗେ ଆରବବାସୀ ମୁସଲମାନମାନେ ଭାରତର ମାଲବାର ଉପକୂଳରୁ ଛୋଟ ପାଲବନ୍ଧା ଜାହାଜମାନଙ୍କରେ ଏହି ସବୁ ଜିନିଷ ନେଇ ଆରବସାଗର, ଲୋହିତସାଗର ବାଟେ ମିଶର ଦେଶର ବନ୍ଦରମାନଙ୍କରେ ନଙ୍ଗର କରୁଥିଲେ । ସେତେବେଳେ ସୁଏଜ କେନାଲ୍ ଖୋଳା ହୋଇ ନ ଥିଲା; ତେଣୁ ସେଠାରୁ ଓଟମାନଙ୍କ ସାହାଯ୍ୟରେ କାଇରୋ ଓ ଆଲେକ୍‌ଜାଣ୍ଡ୍ରିୟା ଯାଏ ବାଣିଜ୍ୟଦ୍ରବ୍ୟ ନିଆ ହୋଇ ପରେ ଜାହାଜରେ ଭୂମଧ୍ୟସାଗର ବାଟେ ଇଉରୋପକୁ ଯାଉଥିଲା । ଆରବମାନେ ଏ ଦେଶର ମସଲା, ମୁକ୍ତା, ହୀରା ଓ ଅନ୍ୟାନ୍ୟ ଅନେକ ମନୋହର ଜିନିଷ ଏହି ଭାବରେ ଇଉରୋପରେ ବିକି ପ୍ରଚୁର ଅର୍ଥ ଉପାର୍ଜନ କରୁଥିଲେ । ଇଉରୋପ ମହାଦେଶର ସ୍ପେନ ଓ ପର୍ଟୁଗାଲ ରାଜ୍ୟର ନାବିକମାନେ ଆରବମାନଙ୍କର ସେହି ଏକଚାଟିଆ ବାଣିଜ୍ୟ ନଷ୍ଟ କରିବାକୁ ପ୍ରଥମେ ଚେଷ୍ଟା କରିଥିଲେ ।

 

କଲମ୍ବସ୍ ଇଟାଲି ଦେଶର ଲୋକ । ସେତେବେଳେ ପୃଥିବୀର ଭୂଗୋଳ ବିବରଣ ଲୋକଙ୍କୁ ଜଣା ନ ଥିଲା । ସେ ଭାରତବର୍ଷକୁ ଆସିବା ପାଇଁ ଅନେକ ଦିନରୁ ଚେଷ୍ଟା କରୁଥିଲେ; ମାତ୍ର ଇଉରୋପର ଲୋକମାନେ ତାଙ୍କର ଏ ପ୍ରସ୍ତାବ ଶୁଣି ତାଙ୍କୁ ଉପହାସ କଲେ । ଅନନ୍ତ ସମୁଦ୍ର ମଧ୍ୟରେ ପାଲବନ୍ଧା ଜାହାଜରେ ବସି ସମ୍ପୂର୍ଣ୍ଣ ଅପରିଚିତ ଦେଶ ଭାରତକୁ ଆସିବା ପ୍ରକୃତରେ ସେତେବେଳେ ଏକାନ୍ତ ଅସମ୍ଭବ ଓ ସାହାସିକତାର କାର୍ଯ୍ୟ ବୋଲି ଜଣାଯାଉଥିଲା । ତଥାପି କଲମ୍ବସ୍ ତାଙ୍କ ସଂକଳ୍ପ ଛାଡ଼ିଲେ ନାହିଁ । ସ୍ପେନ ଦେଶର ତତ୍‌କାଳୀନ ରାଜା ଫାର୍ଡିନାଣ୍ଡ୍ ଓ ରାଣୀ ଇସାବେଲାଙ୍କ ସାହାଯ୍ୟରେ ଭାରତବର୍ଷକୁ ଆସିବାର ସମୁଦ୍ରପଥ ଆବିଷ୍କାର କରିବା ପାଇଁ ସେ ୧୪୯୨ ଖ୍ରୀଷ୍ଟାବ୍ଦରେ ପାଲୋ ନାମକ ବନ୍ଦରରୁ ଅନ୍ୟ କେତେ ଜଣ ନାବିକଙ୍କ ସଙ୍ଗରେ ସମୁଦ୍ରଯାତ୍ରା ଆରମ୍ଭ କଲେ ।

 

ଅଜଣା ଅନିର୍ଦ୍ଦିଷ୍ଟ ଦିଗକୁ ଯାତ୍ରା ଆରମ୍ଭ ହେଲା; ପାଲବନ୍ଧା ଜାହାଜ ବାୟୁଗତିରେ ଚାଲୁଥିଲା । ବହୁଦିନ ସମୁଦ୍ରପଥରେ ଯାଇ ଯାଇ ସେମାନେ ସ୍ଥଳଭାଗ ଆଦୌ ପାଇଲେ ନାହିଁ । ତାଙ୍କ ସଙ୍ଗରେ ଥିବା ନାବିକମାନେ ବିଦ୍ରୋହୀ ହୋଇ ତାଙ୍କୁ ମାରି ପକାଇବାକୁ ବସିଥିଲେ । ଶେଷରେ ସେମାନେ ଆମେରିକା ମହାଦେଶର ପଶ୍ଚିମରେ ଥିବା କିଉବା ଦ୍ୱୀପରେ ଜାହାଜ ନଙ୍ଗର କଲେ । ସେ ପ୍ରଥମେ ଆମେରିକାକୁ ଭାରତବର୍ଷ ବୋଲି ମନେ କରିଥିଲେ; ତେଣୁ କିଉବା ପ୍ରଭୃତି ଦ୍ୱୀପକୁ ‘ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ’ ନାମ ଦେଲେ । ଏ ପର୍ଯ୍ୟନ୍ତ ମଧ୍ୟ ସେସବୁ ଦ୍ୱୀପ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ’ ନାମରେ ଅଭିହିତ ହେଉଅଛି । ଆମେରିକା ବୋଲି ଗୋଟାଏ ଦେଶ ଅଛି-ସେତେବେଳଯାଏ ଏ କଥା ଇଉରୋପରେ କେହି ଜାଣି ନ ଥିଲେ । କଲମ୍ବସ୍ ଏହି ଭାବରେ ଆମେରିକା ମହାଦେଶ ଆବିଷ୍କାର କରି ପୃଥିବୀରେ ଚିରସ୍ମରଣୀୟ ହୋଇଅଛନ୍ତି ।

 

କଲମ୍ବସ୍ ଭାରତକୁ ଆସିବା ପଥ ଆବିଷ୍କାର କରି ନ ପାରିବାରୁ ପର୍ତ୍ତୁଗାଲର ରାଜା ସେ ବିଷୟରେ ଚେଷ୍ଟା କରିବା ପାଇଁ ତାଙ୍କ ଦେଶବାସୀ ଭାସ୍କୋଡିଗାମା ନାମକ ପ୍ରସିଦ୍ଧ ନାବିକଙ୍କ ୧୪୯୭ ଖ୍ରୀଷ୍ଟାବ୍ଦରେ ରାଜଧାନୀ ଲିସ୍‌ବନ୍ ନଗରରୁ ଭାରତକୁ ପଠାଇଲେ । ତାଙ୍କ ସାଙ୍ଗରେ ସେ ୪ ଖଣ୍ଡ ଛୋଟ ଜାହାଜ ଓ ଦଳେ ଲୋକ ଦେଇଥିଲେ । କଲମ୍ବସ ଯେଉଁ ଦିଗରେ ଜାହାଜ ଛାଡ଼ିଥିଲେ, ଗାମା ତାହାର ବିପରୀତ ଦିଗରେ ଜାହାଜ ଛାଡ଼ିଲେ । ପ୍ରାୟ ୧୧ ମାସ କାଳ ସମୁଦ୍ରଜଳରେ ଭାସି ଭାସି ଆଫ୍ରିକାର ଦକ୍ଷିଣରେ ଥିବା ଉତ୍ତମାଶା ଅନ୍ତରୀପ ବେଷ୍ଟନ କରି ଗାମା ୧୪୯୮ ଖ୍ରୀଷ୍ଟାବ୍ଦରେ ଭାରତର ପଶ୍ଚିମ ଉପକୂଳସ୍ଥ କାଲିକଟ ନଗରରେ ଉପସ୍ଥିତ ହେଲେ । ଆରବମାନେ ଭାସ୍କୋଡିଗାମାଙ୍କ ଆସିବା ଦେଖି ସ୍ୱାର୍ଥନାଶ ଭୟରେ ତାଙ୍କର ବିଦ୍ରୋହାଚରଣ କଲେ । ମାତ୍ର ଗାମା କାଲିକଟର ତତ୍‌କାଳୀନ ରାଜା ଜାମୋରିନଙ୍କ ଅନୁଗ୍ରହ ଲାଭ କରିବାରୁ ସେମାନେ ତାଙ୍କର କୌଣସି ଅନିଷ୍ଟ କରିପାରିଲେ ନାହିଁ । ସେଠାରେ ୬ମାସ ରହି ସେ ଜାମୋରିନଙ୍କଠାରୁ ପର୍ତ୍ତୁଗାଲ ରାଜାଙ୍କ ପାଖକୁ ପତ୍ର ଘେନି ସ୍ୱଦେଶକୁ ଫେରିଲେ । ଏହି ଭାବରେ ପର୍ତ୍ତୁଗିଜମାନେ ସର୍ବପ୍ରଥମେ ଭାରତ ସଙ୍ଗେ ଇଉରୋପର ବାଣିଜ୍ୟ-ସମ୍ବନ୍ଧ ପ୍ରତିଷ୍ଠା କଲେ । ଗାମା ତତ୍ପରେ ଅନେକ ଥର ଭାରତକୁ ଆସି ବାଣିଜ୍ୟ କରିଥିଲେ ଏବଂ ଶେଷରେ ୧୫୨୭ ଖ୍ରୀଷ୍ଟାବ୍ଦରେ ଭାରତର କୋଚିନ ନଗରରେ ପ୍ରାଣତ୍ୟାଗ କଲେ ।

 

ପର୍ତ୍ତୁଗିଜମାନଙ୍କ ଦେଖାଦେଖି ଇଉରୋପର ଓଲନ୍ଦାଜ, ଦିନାମାର, ଫରାସୀ ଓ ଇଂରେଜ ପ୍ରଭୃତି ଜାତି ଭାରତ ସଙ୍ଗେ ପରବର୍ତ୍ତୀ କାଳରେ ବାଣିଜ୍ୟ କଲେ । ଶେଷରେ ଇଂରେଜମାନେ ବାଣିଜ୍ୟ କରୁ କରୁ ଏ ଦେଶକୁ ଅଧିକାର କରି ଏବେ ଏଠାରେ ରାଜତ୍ୱ କରୁଅଛନ୍ତି-

 

ପ୍ରଶ୍ନ

 

୧.

କି ହେତୁରୁ ଇଉରୋପବାସୀମାନେ ଭାରତବର୍ଷ ସଙ୍ଗେ ବାଣିଜ୍ୟ କରିବା ପାଇଁ ଲାଳାୟିତ ଥିଲେ ?

୨.

କଲମ୍ବସ୍ ଓ ଭାସ୍କୋଡିଗାମାଙ୍କ କାର୍ଯ୍ୟକୁ କାହିଁକି ସାହସିକ କାର୍ଯ୍ୟ ବୋଲାଯାଏ ?

୩.

ସୁଏଜ କେନାଲ ଖୋଳା ହେବାଦ୍ୱାରା ବାଣିଜ୍ୟର କିପରି ସୁବିଧା ହୋଇଅଛି ?

Image

 

ସାର୍ ଟମାସ୍ ରୋ

 

ଆକବର ବାଦସାହଙ୍କ ପୁଅ ଜାହାଙ୍ଗୀର ମଧ୍ୟ ଜଣେ ବିଖ୍ୟାତ ମୋଗଲ ସମ୍ରାଟ୍ ଥିଲେ-। ତାଙ୍କ ରାଜତ୍ୱବେଳକୁ ଇଉରୋପର ବିଭିନ୍ନ ଦେଶର ବେପାରୀମାନେ ଭାରତବର୍ଷ ସଙ୍ଗେ ବାଣିଜ୍ୟ କରିବାକୁ ଆରମ୍ଭ କରିଥିଲେ । ଇଂଲଣ୍ଡର ରାଜା ପ୍ରଥମ ଜେମ୍‌ସ୍‌ ଇଂରେଜ ବଣିକମାନଙ୍କର ବାଣିଜ୍ୟର ସୁବିଧା କରାଇବା ପାଇଁ ତାଙ୍କ ଦେଶରୁ ସାର୍ ଟମାସ୍‌ ରୋ ନାମରେ ଜଣେ ବିଦ୍ୱାନ୍ ଓ କୁଳୀନ ଇଂରେଜଙ୍କୁ ଜାହାଙ୍ଗୀରଙ୍କ ଦରବାରକୁ ‘ରାଜଦୂତ’ ରୂପେ ପଠାଇଥିଲେ । ୧୬୧୫ ଖ୍ରୀଷ୍ଟାବ୍ଦରେ ସାର୍ ଟମାସ ରୋ ସୁରାଟରେ ପହଞ୍ଚିଲେ । ସେଠାରେ ଆଗରୁ ଇଂରେଜମାନେ ବାଣିଜ୍ୟକୋଠି ପ୍ରତିଷ୍ଠା କରି ବ୍ୟବସାୟ ଚଳାଇଥିଲେ । ସେଠାରୁ ସେ ସମ୍ରାଟଙ୍କ ସଙ୍ଗେ ଦେଖା କରିବାପାଇଁ ଆଗ୍ରା ଯାଇଥିଲେ । ରୋ ସାହେବ ସମ୍ରାଟ ଜାହାଙ୍ଗୀରଙ୍କ ଦରବାରରେ ପ୍ରାୟ ୪ ବର୍ଷ ଅବସ୍ଥାନ କରି ୧୬୧୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡକୁ ଫେରିଗଲେ । ଜାହାଙ୍ଗୀରଙ୍କ ରାଜତ୍ୱ ଓ ଏ ଦେଶର ତତ୍‌କାଳୀନ ଅବସ୍ଥା ସମ୍ବନ୍ଧରେ ସେ ଅନେକ କଥା ଲେଖି ଯାଇଅଛନ୍ତି । ସେତେବେଳେ ପର୍ତ୍ତୁଗିଜମାନେ ଭାରତ ସଙ୍ଗେ ବାଣିଜ୍ୟ କରୁଥିଲେ । ଇଂରେଜମାନଙ୍କୁ ଏ ଦେଶରେ ଯେପରି କୌଣସି ପ୍ରକାର ବାଣିଜ୍ୟ ସୁବିଧା ନ ମିଳେ, ସେଥିପାଇଁ ସେମାନେ ଜାହାଙ୍ଗୀରଙ୍କ ଦରବାରରେ ଅଳ୍ପ ଚେଷ୍ଟା କରି ନ ଥିଲେ; ମାତ୍ର ରୋ ସାହେବଙ୍କ ଚେଷ୍ଟାରେ ସେ ସମସ୍ତ ବ୍ୟର୍ଥ ହୋଇଥିଲା । ରୋ ସାହେବ ଲେଖିଛନ୍ତି–

 

‘‘ସେତେବେଳେ ରାଜ୍ୟଶାସନ ବିଷୟରେ କୌଣସି ଆଇନ ଲିପିବଦ୍ଧ ହୋଇ ନ ଥିଲା । ସମ୍ରାଟଙ୍କ ମୌଖିକ ଆଦେଶ ଅନୁସାରେ ଶାସନକାର୍ଯ୍ୟ ଚଳୁଥିଲା । ପ୍ରାଦେଶିକ ଶାସନକର୍ତ୍ତାମାନେ ମଧ୍ୟ ସେହିପରି ଶାସନକାର୍ଯ୍ୟ ଚଳାଉଥିଲେ । ସପ୍ତାହରେ ଥରେ ସମ୍ରାଟ୍‌ ବିଚାର କରିବା ପାଇଁ ଧୈର୍ଯ୍ୟ ଧରି ବସୁଥିଲେ ଏବଂ ଫୌଜଦାରୀ ଓ ଅଦାଲତ ମକଦ୍ଦମାମାନ ବିଚାର କରୁଥିଲେ । ରାଜ୍ୟର କୌଣସି ଲୋକ ନିଃସନ୍ତାନ ହୋଇ ମରିଗଲେ, ସମ୍ରାଟ୍‌ ତାହାର ସମଗ୍ର ସମ୍ପତ୍ତିର ଉତ୍ତରାଧିକାରୀ ହେଉଥିଲେ । ଏହିପରି ଭାବରେ ସମ୍ରାଟ୍‌ଙ୍କ ସମ୍ପତ୍ତି ବଢ଼ୁଥିଲା; ମାତ୍ର ଦେଶର ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ୁଥିଲା । ପ୍ରିୟ ଲୋକମାନେ ସମ୍ରାଟଙ୍କ ଅନୁଗ୍ରହ ଲାଭ କରି ଖୁବ୍‌ ଧନଶାଳୀ ହୋଇଥିଲେ । ତାଙ୍କର ରାଜ୍ୟ ଖୁବ୍‌ ପ୍ରକାଣ୍ଡ ଥିଲା । ରାଜସ୍ୱ, ଭେଟି, ବାଣିଜ୍ୟ ଶୁଳ୍‌କ ଓ ନିଃସନ୍ତାନ ପ୍ରଜାଙ୍କ ଉତ୍ତରାଧିକାର ରୂପରେ ପ୍ରଚୁର ଅର୍ଥ ରାଜକୋଷକୁ ଆସୁଥିଲା । ସମ୍ରାଟ୍‌ଙ୍କର ଅମାୟିକ, ଅହଙ୍କାରଶୂନ୍ୟ ବ୍ୟବହାର ଓ ସଦାପ୍ରସନ୍ନ ବଦନମଣ୍ଡଳ ଦେଖି ସମସ୍ତେ ଭାରି ଖୁସି ହେଉଥିଲେ । ସେ ପ୍ରତିଦିନ ମଧ୍ୟାହ୍ନରେ ହାତୀ ଏବଂ ଅନ୍ୟ ଗୃହପାଳିତ ପଶୁଙ୍କ ଯୁଦ୍ଧ ଦେଖିବା ପାଇଁ ଏକ ସ୍ଥାନରେ ବସୁଥିଲେ । ଅପରାହ୍ନରେ ଉପସ୍ଥିତ ଆଗନ୍ତୁକମାନଙ୍କୁ ଦେଖା ଦେଉଥିଲେ । ରାତ୍ର ୯ଟାରୁ ୧୨ଟା ଯାଏ ରାଜ୍ୟର ବଡ଼ଲୋକଙ୍କ ସଙ୍ଗେ ନାନାପ୍ରକାର ଆମୋଦ ପ୍ରମୋଦରେ କଟାଉଥିଲେ । ପ୍ରାଦେଶିକ ଶାସନକର୍ତ୍ତାମାନଙ୍କ ଅତ୍ୟାଚାରରେ ପ୍ରଜାମାନେ ଘୋର ଦୁଃଖରେ ଥିଲେ ।’’

 

ସାର୍‌ ଟମାସ ରୋ ସମ୍ରାଟ୍‌ ଜାହାଙ୍ଗୀରଙ୍କ ରାଜତ୍ୱର ଐଶ୍ୱର୍ଯ୍ୟ, ଆଡ଼ମ୍ବର ପ୍ରଭୃତି ସମ୍ବନ୍ଧରେ ଅନେକ କଥା ଲେଖିଯାଇଅଛନ୍ତି । ସମ୍ରାଟଙ୍କ ଜନ୍ମଦିନ ଉତ୍ସବ ସମ୍ବନ୍ଧରେ ସେ ଲେଖିଅଛନ୍ତି :- ‘‘ପ୍ରତିବର୍ଷ ସେପ୍‌ଟେମ୍ବର ମାସ ୧ ତାରିଖରେ ସମ୍ରାଟ୍‌ଙ୍କ ଜନ୍ମଦିନ ଉତ୍ସବ ହେଉଥିଲା । ନାନା ବୃକ୍ଷ, ଲତା, ଫଳ, ପୁଷ୍ପ ଓ ଝରଣାପୂର୍ଣ୍ଣ ଗୋଟିଏ ମନୋହର ବଗିଚାରେ ବିଶୁଦ୍ଧ ସୁନାରେ ତିଆରି କେତେଗୁଡ଼ିଏ ପ୍ରକାଣ୍ଡ ତୁଳାଯନ୍ତ୍ର ବା ତରାଜୁ ରଖାଯାଉଥିଲା । ତରାଜୁର ଦୁଇ ପଲାରେ ମଣି ମୁକ୍ତା ପ୍ରଭୃତି ମୂଲ୍ୟବାନ୍‌ ପ୍ରସ୍ତରସବୁ ଖଚିତ ହୋଇଥିଲା । ସମ୍ରାଟ୍‌ ବିଜେ କରିବାଯାଏ ରାଜ୍ୟର ବଡ଼ ବଡ଼ ଲୋକମାନେ ଚାରିଆଡ଼େ ଗାଲିଚା ଉପରେ ବସୁଥିଲେ । ଶେଷରେ ସମ୍ରାଟ୍‌ ହୀରା, ନୀଳା, ମୋତି, ମାଣିକ୍ୟ, ପଦ୍ମରାଗ, ବୈଦୁର୍ଯ୍ୟ ପ୍ରଭୃତି ବହୁ ମୂଲ୍ୟବାନ୍‌ ମଣି ମୁକ୍ତାରେ ଭୂଷିତ ହୋଇ ପୂର୍ବକଥିତ ଉଦ୍ୟାନରେ ଦର୍ଶନ୍‌ ଦେଉଥିଲେ । ତାଙ୍କର ମୁଣ୍ଡ, ବେକ, ଛାତି, ବାହୁ, ମଣିବନ୍ଧ ଓ ପ୍ରତ୍ୟେକ ଆଙ୍ଗୁଠି ରତ୍ନରେ ମଣ୍ଡିତ ହୋଇ ରହିଥିଲା । ପ୍ରକାଣ୍ଡ ପ୍ରକାଣ୍ଡ ପଦ୍ମରାଗ, ମଣି, ମୁକ୍ତା ତାଙ୍କ ଦେହଯାକ ଝୁଲୁଥିଲା । ହୀରକଖଣ୍ଡମାନଙ୍କର ଉଜ୍ଜ୍ୱଳ ଜ୍ୟୋତି ସବୁ ରତ୍ନର ଜ୍ୟୋତିଠାରୁ ସୁନ୍ଦର ଦେଖାଯାଉଥିଲା । ସମ୍ରାଟ୍‌ ଉପସ୍ଥିତ ହୋଇ ସେହି ସୁନା ତରାଜୁର ଗୋଟିଏ ପଲାରେ ବସୁଥିଲେ । ଅନ୍ୟ ପଲାରେ ତାଙ୍କ ସମାନ ଓଜନର ରୂପା ରଖାଯାଉଥିଲା । ତତ୍ପରେ ଅନ୍ୟ ତରାଜୁମାନଙ୍କରେ କ୍ରମେ ସୁନା ଏବଂ ରତ୍ନ ସାଙ୍ଗରେ, ସ୍ୱର୍ଣ୍ଣାଦି ଖଚିତ ମୂଲ୍ୟବାନ୍‌ ରେଶମ ଓ କାପାସ ବସ୍ତ୍ର ସାଙ୍ଗେ ଏବଂ ଶେଷରେ ସମପରିମାଣ ଲହୁଣୀ ସାଙ୍ଗରେ ସେ ଓଜନ ହେଉଥିଲେ । ଶେଷରେ ସେହି ସମସ୍ତ ବସ୍ତୁ ଲୋକଙ୍କୁ ଦାନ କରାଯାଉଥିଲା ।’’

 

ଜାହାଙ୍ଗୀରଙ୍କ ରାଜତ୍ୱରେ ତାଙ୍କର ପ୍ରିୟତମା ପତ୍ନୀ ନୁର୍‌ଜାହାନ୍‌ ଯଥାର୍ଥରେ ରାଜକାର୍ଯ୍ୟ ପରିଚାଳନା କରୁଥିଲେ । ସମ୍ରାଟ୍‌ ତାଙ୍କର ଏକାନ୍ତ ବଶୀଭୂତ ହୋଇ ରହିଥିଲେ । ନୁର୍‌ଜାହାନ୍‌ ଯେପରି ବୁଦ୍ଧିମତୀ, ସେହିପରି ଗୁଣବତୀ, ଦୟାବତୀ ଓ ରୂପବତୀ ରମଣୀ ଥିଲେ । ବିଳାସ ଓ ପାନ ଦୋଷରେ ସମ୍ରାଟ୍‌ ସବୁବେଳେ ବୁଡ଼ି ରହିଥିଲେ । ଫଳତଃ ନୂର୍‌ଜାହାନହିଁ ରାଜ୍ୟରେ ସର୍ବେସର୍ବା ହୋଇଥିଲେ ।

 

ପ୍ରଶ୍ନ

 

୧.

ଜାହାଙ୍ଗୀରଙ୍କ ରାଜତ୍ୱରେ ଶାସନକାର୍ଯ୍ୟ କିପରି ଚଳୁଥିଲା ?

୨.

ମୋଗଲ ସମ୍ରାଟ୍‌ମାନେ କିଭଳି ଧନଶାଳୀ ଥିଲେ-ଏ ସମ୍ବନ୍ଧରେ ରୋ ସାହେବ କଣ ଲେଖିଛନ୍ତି ?

୩.

ସେତେବେଳେ ଆମ ଦେଶରେ ସାମୁଦ୍ରିକ ବାଣିଜ୍ୟର ଅବସ୍ଥା କିପରି ଥିଲା ?

Image

 

ଶିବାଜି

 

ସମ୍ରାଟ୍‌ ଜାହାଙ୍ଗୀରଙ୍କ ନାତି ଓ ସାହାଜାହାନଙ୍କ ପୁଅ ଆଓରଙ୍ଗଜେବ ଦିଲ୍ଲୀର ସମ୍ରାଟ୍‌ ହୋଇ ଶାନ୍ତିରେ ରାଜ୍ୟ ଶାସନ କରିପାରି ନ ଥିଲେ । ସେ ଯେପରି ଦୃଢ଼ପ୍ରତିଜ୍ଞ, ସେହିପରି ସ୍ୱଧର୍ମବିଶ୍ୱାସୀ ଥିଲେ । ତାଙ୍କ ରାଜ୍ୟର ପ୍ରଜାମାନେ ଯେବେ କେବଳ ମୁସଲମାନ ହୋଇଥାନ୍ତେ, ତେବେ ସେ ଆଦର୍ଶ ସମ୍ରାଟ୍‌ ରୂପେ ପ୍ରଶଂସା ଲାଭ କରିପାରିଥାନ୍ତେ; ମାତ୍ର ତାଙ୍କ ରାଜ୍ୟବାସୀ ଅଧିକାଂଶ ପ୍ରଜା ହିନ୍ଦୁ ଥିଲେ । ସେ ହିନ୍ଦୁ ଧର୍ମକୁ ଯେପରି ଘୃଣା କରୁଥିଲେ, ହିନ୍ଦୁ ପ୍ରଜାମାନଙ୍କୁ ମଧ୍ୟ ସେହିପରି ଅବିଶ୍ୱାସ କରୁଥିଲେ । ପୂର୍ବବର୍ତ୍ତୀ ପଠାଣ ରାଜାମାନେ ହିନ୍ଦୁମାନଙ୍କ ଉପରେ ଯେଉଁ ଘୃଣ୍ୟ ଜିଜିୟା କର ବସାଇଥିଲେ, ଆକବର ବାଦସା ତାକୁ ଉଠାଇଦେଇ ହିନ୍ଦୁମାନଙ୍କ ଭକ୍ତିର ପାତ୍ର ହୋଇଥିଲେ । ଦୁର୍ବୁଦ୍ଧି ଆଓରଙ୍ଗଜେବ ପୁଣି ହିନ୍ଦୁମାନଙ୍କୁ ସେହି କର ଦେବାକୁ ବାଧ୍ୟ କଲେ; ଏଥିରେ ରାଜ୍ୟ ମଧ୍ୟରେ ଘୋର ଅସନ୍ତୋଷ ଦେଖାଗଲା । ଉତ୍ତରରେ ରାଜପୁତ୍‌ ଜାତି ଓ ଦକ୍ଷିଣରେ ମରହଟ୍ଟା ଜାତି ଏହି କୁତ୍ସିତ କର ଦେବାକୁ ପ୍ରକାଶ୍ୟ ଭାବରେ ଅସ୍ୱୀକାର କଲେ।

 

ସେତେବେଳେ ମୋଗଲ ସମ୍ରାଟ୍‌ଙ୍କ ଭ୍ରୂଭଙ୍ଗୀରେ ସାରା ଭାରତ କମ୍ପି ଉଠିଥିଲା । ସମ୍ରାଟ୍‌ଙ୍କ ପଦେ କଥାରେ ହଜାର ହଜାର ସୈନ୍ୟ ଅସ୍ତ୍ରଶସ୍ତ୍ର ଧରି ଜମା ହୋଇ ଯାଉଥିଲେ; ତେଣୁ ତାଙ୍କ ବିପକ୍ଷରେ ପଦେ କଥା କହିବାକୁ ସାହସ ହେବ କାହାର ? ତଥାପି ଦାକ୍ଷିଣାତ୍ୟର ଜଣେ ବାଳକ ମୋଗଲ ସମ୍ରାଟଙ୍କ ଅତ୍ୟାଚାରରେ ଏକାନ୍ତ ଉତ୍ତେଜିତ ହୋଇ କୌଶଳରେ ଏପରି କାର୍ଯ୍ୟ କଲେ, ଯଦ୍ଦ୍ୱାରା ସମଗ୍ର ମୋଗଲ ସାମ୍ରାଜ୍ୟର ମୂଳଦୁଆ ମଧ୍ୟ କମ୍ପି ଉଠିଲା ଏବଂ ଶେଷରେ ବିଶାଳ ମୋଗଲ ସାମ୍ରାଜ୍ୟ ଚୂର୍ଣ୍ଣ ହୋଇଗଲା । ସେହି ମହାବୀର ବାଳକଙ୍କ ନାମ ଶିବାଜୀ । ଶିବାଜୀଙ୍କ ବାପାଙ୍କ ନାଁ ସାହାଜି, ସେ ଜାତିରେ ମରହଟ୍ଟା କ୍ଷତ୍ରିୟ । ପୁନା ନିକଟବର୍ତ୍ତୀ ଶିଭନରି ନାମକ ଦୁର୍ଗରେ ଶିବାଜୀ ୧୬୨୭ ଖ୍ରୀଷ୍ଟାବ୍ଦରେ ଜନ୍ମିଥିଲେ । ତାଙ୍କ ପିତା ବିଜାପୁର ସୁଲତାନଙ୍କର ଜଣେ ସେନାପତି ଥିଲେ ଓ ପରେ ସେଠାରେ ଗୋଟିଏ କ୍ଷୁଦ୍ର ରାଜ୍ୟ ସ୍ଥାପନ କରି ତାହାର ଶାସନ କାର୍ଯ୍ୟ ଚଳାଉଥିଲେ । ସେତେବେଳେ ମରହଟ୍ଟାମାନେ ପୁସ୍ତକଗତ ବିଦ୍ୟା ଅପେକ୍ଷା ଯୁଦ୍ଧବିଦ୍ୟା ଶିଖିବାକୁ ବେଶି ପସନ୍ଦ କରୁଥିଲେ । ତେଣୁ ଶିବାଜି ପିଲାଦିନେ ପୁସ୍ତକଗତ ବିଦ୍ୟା ଅଭ୍ୟାସ ନ କରି ଅସ୍ତ୍ରଶସ୍ତ୍ର ଚାଳନାର କୌଶଳ ଶିଖିଥିଲେ । ଦାକ୍ଷିଣାତ୍ୟରେ ପଶ୍ଚିମଘାଟ ପର୍ବତମାଳାରେ ରାୟଗଡ଼ ନାମରେ ଗୋଟିଏ ଗିରିଦୁର୍ଗ ନିର୍ମାଣ କରି ଶିବାଜି ସେହିଠାରେ ସୈନ୍ୟ ସଂଗ୍ରହ କରିବାକୁ ଲାଗିଲେ । ସାଧାରଣ ଦୁର୍ଗଠାରୁ ରାୟଗଡ଼ ଦୁର୍ଗର ଅନେକ ବିଶେଷତ୍ୱ ଥିଲା । ଦୁର୍ଲଙ୍ଘ୍ୟ ଗଡ଼ାଣିଆ ପର୍ବତମାଳା ମଧ୍ୟରେ ତାହା ଏପରି କୌଶଳରେ ନିର୍ମିତ ହୋଇଥିଲା ଯେ, ଅଳ୍ପସଂଖ୍ୟକ ସୈନ୍ୟ ସେଠାରେ ଅବସ୍ଥାନ କରି ପ୍ରଚୁର ସୈନ୍ୟଙ୍କୁ ପରାସ୍ତ କରିପାରୁଥିଲେ । ତାଙ୍କର କଷ୍ଟସହିଷ୍ଣୁ ଶିକ୍ଷିତ ମରହଟ୍ଟା ସୈନ୍ୟମାନେ କ୍ଷୁଦ୍ରକ୍ଷୁଦ୍ର ଅଶ୍ୱ ପୃଷ୍ଠରେ ବସି ପର୍ବତରୁ ତଳକୁ ଓହ୍ଲାଇ ଆସୁଥିଲେ ଏବଂ ଶତ୍ରୁମାନଙ୍କ ସଙ୍ଗେ ଯୁଦ୍ଧ କରି ଅଦୃଶ୍ୟ ହୋଇ ଯାଉଥିଲେ । ବିପଦ ବା ଭୟର କାରଣ ଯେତେବେଳେ ନ ଥିଲା, ସେତେବେଳେ ସେମାନେ ପୁଣି ଏକତ୍ର ଜମା ହୋଇଯାଉଥିଲେ । ଶିବାଜି ଯୁବକ ହେଲେହେଁ ଭାରି କୌଶଳୀ ଓ ବୁଦ୍ଧିମାନ୍‌ ଥିଲେ ଏବଂ ସେନା ଚାଳକର ଯେଉଁ ଯେଉଁ ଗୁଣ ଆବଶ୍ୟକ, ତାଙ୍କଠାରେ ସେ ସମସ୍ତ ଗୁଣ ଥିଲା । ତେଣୁ ସୈନ୍ୟମାନେ ତାଙ୍କୁ ସମ୍ପୂର୍ଣ୍ଣରୂପେ ବିଶ୍ୱାସ କରୁଥିଲେ; କିନ୍ତୁ ଶତ୍ରୁମାନେ ତାଙ୍କୁ ନିର୍ଦ୍ଦୟ ଓ ବିଶ୍ୱାସଘାତକ ବୋଲି ମନେ କରୁଥିଲେ । ମରହଟ୍ଟାମାନଙ୍କ ମଧ୍ୟରେ ଶିବାଜିହିଁ ପ୍ରଥମେ ଜାତୀୟ ଜୀବନ ଆଣିଥିଲେ ଏବଂ ତାଙ୍କରି ସାହସରେ ମରହଟ୍ଟାମାନେ ମୋଗଲ ରାଜଧାନୀ ଦିଲ୍ଲୀ ନଗରକୁ ମଧ୍ୟ ଅଧିକାର କରି ପାରିଥିଲେ ।

 

ଶିବାଜି ବିଜାପୁର ଏବଂ ମୋଗଲ ରାଜ୍ୟର ଅନେକ ନଗର ଓ ଗ୍ରାମ ଲୁଣ୍ଠନ କରି ପ୍ରଚୁର ଧନରତ୍ନ ସଂଗ୍ରହ କଲେ ଏବଂ ମୋଗଲ ସୈନ୍ୟଙ୍କୁ ନାନାସ୍ଥାନରେ ପରାସ୍ତ କରି ଏକାନ୍ତ ବ୍ୟତିବ୍ୟସ୍ତ କରି ପକାଇଲେ । ଯେତେବେଳେ ଶିବାଜି ଆଓରଙ୍ଗାବାଦ ନଗର ଲୁଣ୍ଠନ କରି ଅଧିକାର କରିନେଲେ, ସେତେବେଳେ ସମ୍ରାଟ୍‌ ଆଓରଙ୍ଗଜେବ କ୍ରୋଧରେ ଜଳିଉଠି ତାଙ୍କୁ ଧରିଆଣିବା ପାଇଁ ବିପୁଳ ସୈନ୍ୟବାହିନୀ ପଠାଇଲେ; ମାତ୍ର ମୋଗଲମାନେ ମରହଟ୍ଟାଙ୍କ ଦ୍ୱାରା ପରାସ୍ତ ହୋଇ ପଳାଇଗଲେ । ଏଥିରେ ଆଓରଙ୍ଗଜେବ ଏକାନ୍ତ ବିସ୍ମିତ ହୋଇ କୌଶଳକ୍ରମେ ତାଙ୍କୁ ଚିରଦିନ ବନ୍ଦୀ କରି ରଖିବାକୁ ପରାମର୍ଶ କଲେ । ଅନନ୍ତର ସମ୍ରାଟ୍‌ ନାନାଭାବରେ ତାଙ୍କର ପ୍ରଶଂସା କରି ତାଙ୍କୁ ପତ୍ରଦ୍ୱାରା ଦିଲ୍ଲୀକୁ ଆସିବାପାଇଁ ନିମନ୍ତ୍ରଣ କରି ପଠାଇଲେ । ଶିବାଜି ସମ୍ରାଟ୍‌ଙ୍କ କୁଟିଳସ୍ୱଭାବ ବିଷୟ ଉତ୍ତମରୂପେ ଜାଣିଥିଲେ; ତେଣୁ ଦିଲ୍ଲୀକୁ ଯିବାପାଇଁ ତାଙ୍କର ଆଦୌ ଇଚ୍ଛା ନ ଥିଲା । ଶେଷରେ ରାଜା ଜୟସିଂହଙ୍କ ପ୍ରରୋଚନାରେ ସମ୍ରାଟଙ୍କ ନିମନ୍ତ୍ରଣ ରକ୍ଷା କରିବା ପାଇଁ ନବମବର୍ଷୀୟ ପୁତ୍ର ଶମ୍ଭୂଜିଙ୍କ ସଙ୍ଗେ ଏକାନ୍ତ ସନ୍ଧିଗ୍‌ଧ ଚିତ୍ତରେ ଦିଲ୍ଲୀ ଯାତ୍ରା କଲେ । ଦିଲ୍ଲୀରେ ଉପସ୍ଥିତ ହୋଇ ଶିବାଜି ନିରସ୍ତ୍ର ଭାବରେ ମୋଗଲ ଦରବାରରେ ପ୍ରବେଶ କଲେ । କୁଟିଳ ପ୍ରକୃତି ସମ୍ରାଟ୍‌ ଦରବାରରେ ଅପମାନ ଦେଇ ଚିରଦିନ ବନ୍ଦୀ କରି ରଖିବା ଉଦ୍ଦେଶ୍ୟରେ ତାଙ୍କୁ ପୂର୍ବ ନିର୍ଦ୍ଦିଷ୍ଟ ଗୋଟିଏ ଗୃହକୁ ପଠାଇଦେଲେ । ଶିବାଜି ନିଜର ବିଚାରଶୂନ୍ୟ କାର୍ଯ୍ୟ ସକାଶେ ବଡ଼ ଅନୁତପ୍ତ ହେଲେ; କିନ୍ତୁ ଉତ୍ସାହଶୂନ୍ୟ ହେଲେ ନାହିଁ । ଆଓରଙ୍ଗଜେବଙ୍କ ଅପେକ୍ଷା ସେ ଧୂର୍ତ୍ତତାରେ ବହୁଗୁଣରେ ଶ୍ରେଷ୍ଠ ଥିଲେ । ସେ ସମ୍ରାଟ୍‌ଙ୍କ ଅନୁମତି ଗ୍ରହଣ କରି ନିଜ ସୈନ୍ୟମାନଙ୍କୁ ସ୍ୱଦେଶକୁ ଫେରାଇଦେଲେ ଏବଂ ନିଜେ ଅସୁସ୍ଥ ଥିବାର ଛଳନା କରି ଔଷଧ ସେବନ କଲେ ଏବଂ ପରେ ସୁସ୍ଥ ହୋଇଥିବା ପ୍ରଚାର କରି ଆନନ୍ଦରେ ହିନ୍ଦୁ ମୁସଲମାନ ଦୁଃଖୀ ଲୋକଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରିବାକୁ ଆରମ୍ଭ କଲେ । ଟୋକେଇ ଟୋକେଇ ମିଷ୍ଟାନ୍ନ ତାଙ୍କ ବସାଘରୁ ଆସି ଦାଣ୍ଡରେ ବଣ୍ଟାହେଲା । ପ୍ରହରୀମାନେ ପ୍ରଥମେ ପ୍ରଥମେ ଟୋକେଇ ପରୀକ୍ଷା କରି ଦେଖୁଥିଲେ; ମାତ୍ର ପରେ ନିଃସନ୍ଦେହ ହୋଇ ଆଉ ପରୀକ୍ଷା କଲେ ନାହିଁ । ଶେଷରେ ସେ ନିଜେ ଗୋଟିଏ ଟୋକେଇରେ ଓ ତାଙ୍କ ପୁଅ ଶମ୍ଭୂଜି ଆଉ ଗୋଟିଏ ଟୋକେଇରେ ବସି ରାତିରେ କରାଗୃହର ବାହାରକୁ ଚାଲିଆସିଲେ; ପରେ ସଙ୍କେତ ସ୍ଥାନରେ ଗୋଟିଏ ଦ୍ରୁତଗାମୀ ଅଶ୍ୱପୃଷ୍ଠରେ ବସି ତାହାକୁ ସବେଗରେ କଷାଘାତ କଲେ । ରାତି ପାହିଲା ବେଳକୁ ପ୍ରାୟ ପଚାଶ କୋଶ ଦୂରକୁ ଚାଲି ଆସି ସେଠାରେ ଜଣେ ପରିଚିତ ବ୍ରାହ୍ମଣଙ୍କ ନିକଟରେ ପୁଅକୁ ରଖିଦେଇ ନିଜ ମୁଣ୍ଡକୁ ସମ୍ପୂର୍ଣ୍ଣରୂପେ ଖିଅର କରି ପକାଇଲେ ଏବଂ ସନ୍ନ୍ୟାସୀ ଭାବରେ ନାନାସ୍ଥାନରେ ବୁଲି ବୁଲି ଶେଷରେ ଏକବର୍ଷ ପରେ ରାୟଗଡ଼ରେ ଆସି ପହଞ୍ଚିଲେ ।

 

ଆଓରଙ୍ଗଜେବଙ୍କ ବିଶ୍ୱାସଘାତକତାରେ ଏକାନ୍ତ ଉତ୍ତ୍ୟକ୍ତ ହୋଇ ଶିବାଜି ଦ୍ୱିଗୁଣ ଉତ୍ସାହରେ ପୁଣି ମୋଗଲରାଜ୍ୟ ଲୁଣ୍ଠନ କରିବାରେ ଲାଗିଲେ ଓ ଅନେକ ସ୍ଥାନ ଅଧିକାର କରିଥିଲେ । ସମ୍ରାଟ୍‌ ଶତ ଚେଷ୍ଟା କଲେହେଁ ତାଙ୍କୁ ପରାସ୍ତ କରିପାରିଲେ ନାହିଁ ଏବଂ ଶେଷରେ ତାଙ୍କ ସଙ୍ଗେ ସନ୍ଧି କରି ତାଙ୍କୁ ରାଜା ବୋଲି ସ୍ୱୀକାର କଲେ ଓ ପୂର୍ବେ ଅଧିକାର କରିଥିବା କେତେକ ସ୍ଥାନ ତାଙ୍କୁ ଫେରାଇ ଦେଲେ । ବିଜାପୁର ଓ ଗୋଲକୁଣ୍ଡାର ସୁଲତାନମାନେ ମଧ୍ୟ ତାଙ୍କ ଚୌଥ ବା ରାଜସ୍ୱ ୧/୪ ଅଂଶ ଦେବାକୁ ସ୍ୱୀକାର କରି ତାଙ୍କ ସଙ୍ଗେ ସନ୍ଧି ସ୍ଥାପନ କରିଥିଲେ ।

 

ଅନନ୍ତର ଶିବାଜି ରାଜ୍ୟର ଆଭ୍ୟନ୍ତରୀଣ ଉନ୍ନତି କରିବାରେ ଲାଗିଗଲେ । ସେହି ହିନ୍ଦୁ ମହାବୀର ଏହିପରି ପ୍ରବଳ ପ୍ରତାପରେ ରାଜତ୍ୱ କରି ୧୬୮୦ ଖ୍ରୀଷ୍ଟାବ୍ଦରେ ମାନବଲୀଳା ସମ୍ବରଣ କଲେ ।

 

ପ୍ରଶ୍ନ

 

୧.

ଆଓରଙ୍ଗଜେବଙ୍କ ରାଜତ୍ୱରେ କାହିଁକି ହିନ୍ଦୁମାନେ ବିରକ୍ତ ହୋଇଥିଲେ ?

୨.

ଶିବାଜି କିପରି କୌଶଳରେ କାରାଗୃହରୁ ପଳାଇ ଆସିଥିଲେ ?

୩.

ପାଠ ପଢ଼ି ପଣ୍ଡିତ ହେବା ଓ ଯୁଦ୍ଧବିଦ୍ୟା ଶିଖି ବୀର ହେବା-ଏ ଦୁଇ ଗୋଟି ମଧ୍ୟରୁ କେଉଟି ଭଲ ? କାହିଁକି ?

Image

 

କ୍ଲାଇବ୍‌

 

ଇଉରୋପ ମହାଦେଶରୁ ଭାରତବର୍ଷକୁ ଯିବା ଆସିବା କରିବାର ସମୁଦ୍ରପଥ ଜଣା ପଡ଼ିବାରୁ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଇଉରୋପର ଅନେକ ଜାତି ଭାରତବର୍ଷ ସଙ୍ଗେ ବାଣିଜ୍ୟ କରିବା ପାଇଁ ଏ ଦେଶକୁ ଆସୁଥିଲେ । ଅନ୍ୟାନ୍ୟ ଜାତିର ଲୋକେ ଇଂରେଜ ଓ ଫରାସୀମାନଙ୍କ ସଙ୍ଗେ ସମକକ୍ଷ ହୋଇ ନ ପାରି କ୍ରମେ ଏ ଦେଶ ସଙ୍ଗେ ବାଣିଜ୍ୟ ବନ୍ଦ କରିଦେଲେ । କେବଳ ଇଂରେଜ ଓ ଫରାସୀ ଏହି ଦୁଇଜାତି ଏ ଦେଶରେ ବାଣିଜ୍ୟ କଲେ । ଭାରତବର୍ଷର ପଶ୍ଚିମ ଉପକୂଳରେ ଏମାନେ ପ୍ରଥମେ ବାଣିଜ୍ୟ କୋଠିମାନ ପ୍ରତିଷ୍ଠା କରି ଶାନ୍ତିପୂର୍ଣ୍ଣ ଭାବରେ ବ୍ୟବସାୟ ଚଳାଉଥିଲେ । ପ୍ରଥମେ ସୁରାଟ ଓ ପରେ ବମ୍ବେ ଏମାନଙ୍କ ବାଣିଜ୍ୟର କେନ୍ଦ୍ର ଥିଲା । ଇଂରେଜ ବଣିକଦଳ ଇଷ୍ଟଇଣ୍ଡିଆ କମ୍ପାନୀ ନାମ ଗ୍ରହଣ କରି ବାଣିଜ୍ୟ କରୁଥିଲେ । ଫରାସୀ ଓ ଦିନାମାରମାନଙ୍କର ମଧ୍ୟ ବାଣିଜ୍ୟ ଜାହାଜ ଚଳୁଥିଲା । ଇଉରୋପୀୟ ବଣିକମାନେ କ୍ରମେ ପୂର୍ବ ଉପକୂଳରେ ବାଣିଜ୍ୟ କୋଠି ପ୍ରତିଷ୍ଠା କରି ମାନ୍ଦ୍ରାଜ ଓ କଲିକତାରେ ମଧ୍ୟ ବାଣିଜ୍ୟ କଲେ ।

 

ଏହି ସମୟରେ ମୋଗଲମାନଙ୍କ କ୍ଷମତା ଦେଶରେ କମି ଆସିଥିଲା । ମରହଟ୍ଟା ଓ ଆଫଗାନ୍‌ମାନେ ଦିଲ୍ଲୀରେ ପ୍ରବେଶ କରି ନାନା ପ୍ରକାର ଅତ୍ୟାଚାର କରୁଥିଲେ । ଦେଶର ସବୁଠାରେ ଯୁଦ୍ଧନିଆଁ ଜଳୁଥିଲା । ବର୍ତ୍ତମାନ ଇଉରୋପ ବେପାରୀମାନଙ୍କ ମଧ୍ୟରେ ସମୁଦ୍ର ଉପକୂଳରେ ମଧ୍ୟ ଯୁଦ୍ଧ ଲାଗିଗଲା । ସେମାନେ ସମୁଦ୍ର ଉପକୂଳରେ କେତେକ ସ୍ଥାନ ଅଧିକାର କରି ସେ ସ୍ଥାନମାନଙ୍କରେ ଏକ ପ୍ରକାର ରାଜତ୍ୱ କରୁଥିଲେ । ଡୁପ୍ଲେ ନାମକ ଜଣେ ବିଖ୍ୟାତ ଫରାସୀ ଏହି ସମୟରେ ଭାରତରେ ଫରାସୀ ଅଧିକୃତ ସ୍ଥାନମାନଙ୍କର ଶାସନକର୍ତ୍ତା ଥିଲେ । ସେ ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିଦେଇ ଏକଚାଟିଆ ବାଣିଜ୍ୟ ଚଳେଇବେ ବୋଲି ଆଗରୁ ଏ ଦେଶର ପ୍ରଧାନ ପ୍ରଧାନ ରାଜଶକ୍ତି ସଙ୍ଗେ ମିତ୍ରତାସୂତ୍ରରେ ଆବଦ୍ଧ ହୋଇଥିଲେ । ସେତେବେଳେ ଇଉରୋପରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ସର୍ବଦା ଯୁଦ୍ଧ ଲାଗି ରହିଥିଲା; ତେଣୁ ଭାରତରେ ଥିବା ଏହି ଦୁଇ ଜାତିଙ୍କ ମଧ୍ୟରେ ଯୁଦ୍ଧ ହେଲା । ଇଂରେଜମାନେ ଫରାସୀମାନଙ୍କର ଭାରତୀୟ ଅଧିକାରର କେନ୍ଦ୍ର ପଣ୍ଡିଚେରୀ ଅଧିକାର କଲେ ।

 

ସେତେବେଳେ ଦାକ୍ଷିଣାତ୍ୟରେ ହାଇଦ୍ରାବାଦର ନିଜାମ ଓ ଆର୍କଟର ନବାବ ଅଧିକ କ୍ଷମତାଶାଳୀ ଥିଲେ । ଡୁପ୍ଲେ ତାଙ୍କ ମିତ୍ର ରାଜାମାନଙ୍କୁ ଉଚ୍ଚ ସ୍ଥାନ ଦେବାକୁ ଓ ଇଂରେଜମାନେ ତାଙ୍କ ମିତ୍ରଶକ୍ତିକୁ ଉଚ୍ଚ ସ୍ଥାନ ଦେବାକୁ ସର୍ବଦା ଚେଷ୍ଟା କରୁଥିଲେ । ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଅନେକ ଯୁଦ୍ଧ ହୋଇଗଲା; ମାତ୍ର କେହି କାହାକୁ ସମ୍ପୂର୍ଣ୍ଣ ପରାସ୍ତ କରିପାରିଲେ ନାହିଁ । ଡୁପ୍ଲେ ଭାରି ଚତୁର ଓ ଯୁଦ୍ଧନିପୁଣ ଥିଲେ । ତାଙ୍କ କୌଶଳରେ ଇଂରେଜମାନଙ୍କର ହୃତ୍‌କମ୍ପ ଜାତ ହେଲା ।

 

ଏହି ସମୟରେ ଆର୍କଟ ନବାବଙ୍କ ମୃତ୍ୟୁ ହେବାରୁ ଫରାସୀମାନେ ସେହି ରାଜଗାଦିରେ ଚାନ୍ଦାସାହେବଙ୍କୁ ଓ ଇଂରେଜମାନେ ମହମ୍ମଦ ଆଲିଙ୍କୁ ବସାଇବାକୁ ଚେଷ୍ଟା କଲେ । ଇଂରେଜମାନଙ୍କ ପକ୍ଷରେ ସେତେବେଳେ ଏ ଦେଶରେ ବଡ଼ ସେନାପତି କେହି ନ ଥିଲେ । କ୍ଲାଇବ୍‌ ଜଣେ ଇଂରେଜ ଯୁବକ; ଇଷ୍ଟଇଣ୍ଡିଆ କମ୍ପାନୀଙ୍କ କାରବାରରେ ମୋହରୀର କାମ କରିବାକୁ ଏ ଦେଶକୁ ଆସିଥିଲେ । ୧୭୫୧ ଖ୍ରୀଷ୍ଟାବ୍ଦରେ ଯେତେବେଳେ ଯୁଦ୍ଧ ଆରମ୍ଭ ହୋଇଗଲା, ସେତେବେଳେ କ୍ଲାଇବ କଲମ ଛାଡ଼ି ବନ୍ଧୁକ ଧଇଲେ ଏବଂ ଆର୍କଟ ଅବରୋଧ କରି ଚାନ୍ଦାସାହେବ ଓ ଫରାସୀମାନଙ୍କୁ ସମ୍ପୂର୍ଣ୍ଣରୂପେ ପରାସ୍ତ କରିଦେଲେ । ଏଥିରେ ଦାକ୍ଷିଣାତ୍ୟରେ ଇଂରେଜ କ୍ଷମତା ବଢ଼ିଗଲା । ଫଳତଃ କ୍ଲାଇବ୍‌ ସମୁଚ୍ଚ ସମ୍ମାନ ଓ କ୍ଷମତା ଲାଭ କଲେ ।

 

ଏହି ସମୟରେ ବଙ୍ଗଦେଶରେ ସିରାଜଉଦ୍ଦୌଲା ନାମରେ ଜଣେ ଯୁବକ ନବାବ ଥିଲେ-। କଲିକତା ଓ ତନ୍ନିକଟବର୍ତ୍ତୀ ପ୍ରଦେଶରେ ବାଣିଜ୍ୟ କରୁଥିବା ଇଂରେଜମାନଙ୍କ ଉପରେ ସେ ଅତ୍ୟାଚାର କରିବାରୁ ଇଂରେଜମାନେ ତାଙ୍କ ବିପକ୍ଷରେ ଗଲେ । ସିରାଜ ବଡ଼ ଅତ୍ୟାଚାରୀ ଥିଲେ; ତେଣୁ ବଙ୍ଗଦେଶର ତତ୍‌କାଳୀନ ଅନେକ ବିଖ୍ୟାତ ଲୋକ ସିରାଜଙ୍କୁ ସିଂହାସନଚ୍ୟୁତ କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ । କ୍ଲାଇବ ମାନ୍ଦ୍ରାଜରୁ ଯାଇ ବଙ୍ଗଦେଶରେ ପହଞ୍ଚି ଏହି ଷଡ଼୍‌ଯନ୍ତ୍ରରେ ଯୋଗଦେଲେ । ୧୭୫୭ ଖ୍ରୀଷ୍ଟାବ୍ଦରେ ପଲାସି ନାମକ ସ୍ଥାନରେ ଇଂରେଜ ସୈନ୍ୟଙ୍କ ସଙ୍ଗେ ନବାବ ସୈନ୍ୟଙ୍କର ଯୁଦ୍ଧ ହେଲା । ନବାବ ପରାସ୍ତ ହୋଇ ଶେଷରେ ନିହତ ହେଲେ । କ୍ଲାଇବ ମିର୍‌ଜାଫରଙ୍କୁ ବଙ୍ଗର ନବାବଗାଦିରେ ବସାଇ ସ୍ୱୟଂ ଏକପ୍ରକାର ଶାସନକାର୍ଯ୍ୟ ଚଳାଇଲେ । ଏହି ସମୟରୁ ଇଂରେଜ ରାଜଶକ୍ତି ଭାରତରେ ପ୍ରତିଷ୍ଠିତ ହେଲା । କ୍ରମେ କ୍ଲାଇବ୍‌ ତତ୍‌କାଳୀନ ଦିଲ୍ଲୀ ସମ୍ରାଟ ସାହାଆଲମଙ୍କଠାରୁ ରାଜସ୍ୱ ଆଦାୟର କ୍ଷମତା ଗ୍ରହଣ କରି ସର୍ବେସର୍ବା ହୋଇ ଉଠିଲେ । ସେ କ୍ରମେ କ୍ରମେ ଇଷ୍ଟଇଣ୍ଡିଆ କମ୍ପାନୀଙ୍କ ଅଧୀନରେ ବଙ୍ଗଦେଶର ଗଭର୍ଣ୍ଣର ଓ ପ୍ରଧାନ ସେନାପତି ହୋଇଥିଲେ ।

 

ପ୍ରଶ୍ନ

 

୧.

କିଏ କେବେ ଇଉରୋପରୁ ଭାରତକୁ ଆସିବାର ଜଳପଥ ଆବିଷ୍କାର କରିଥିଲେ ?

୨.

ପ୍ରଥମାବସ୍ଥାରେ କେଉଁ ବାଟରେ ଇଉରୋପରୁ ଜାହାଜସବୁ ଭାରତକୁ ଆସୁଥିଲା ? ବର୍ତ୍ତମାନ ସେ ବାଟରେ କାହିଁକି ଆସୁ ନାହିଁ ?

୩.

କ୍ଲାଇବଙ୍କୁ କାହିଁକି ଭାରତରେ ଇଂରେଜରାଜ୍ୟର ପ୍ରତିଷ୍ଠାତା ବୋଲି କହନ୍ତି ?

Image

 

ଲର୍ଡ ଇଉଲିୟମ ବେଣ୍ଟିକ୍‌

 

ଇଂଲଣ୍ଡର ଅଧୀଶ୍ୱର ମହାରାଣୀ ଭିକ୍‌ଟୋରିୟା ୧୮୫୮ ଖ୍ରୀଷ୍ଟାବ୍ଦରେ ଭାରତର ଶାସନକାର୍ଯ୍ୟ ସ୍ୱହସ୍ତରେ ଗ୍ରହଣ କଲେ । ତା ପୂର୍ବେ ପ୍ରାୟ ୧୦୦ ବର୍ଷ କାଳ ଇଷ୍ଟଇଣ୍ଡିଆ କମ୍ପାନୀ ଏ ଦେଶର ଶାସନକାର୍ଯ୍ୟ ଚଳାଉଥିଲେ । କମ୍ପାନୀ ତାଙ୍କ ଅଧିକୃତ ଭାରତର ଶାସନକାର୍ଯ୍ୟ ଚଳାଇବା ପାଇଁ ଜଣେ ଜଣେ ଗଭର୍ଣ୍ଣର ଜେନେରାଲ୍‌ ନିଯୁକ୍ତ କରୁଥିଲେ । ସେହି ଗଭର୍ଣ୍ଣର ଜେନେରାଲ୍‌ମାନଙ୍କ ମଧ୍ୟରେ ଲର୍ଡ ଉଇଲିୟମ୍‌ ବେଣ୍ଟିକ୍‌ ଏ ଦେଶ ଲୋକମାନଙ୍କ ମଙ୍ଗଳ କାମନାରେ ଅନେକ ଭଲ ଭଲ କାର୍ଯ୍ୟ କରିଯାଇଥିଲେ ।

 

ଆମ୍ଭେମାନେ ଅନେକ ପୁସ୍ତକରେ ପଢ଼ିଅଛୁଁ ଯେ, ରାଜପୁତ୍‌ ଯୋଦ୍ଧାମାନେ ଯେତେବେଳେ ଶତ୍ରୁମାନଙ୍କ ଦ୍ୱାରା ପରାସ୍ତ ହେଉଥିଲେ, ସେତେବେଳେ ତାଙ୍କର ପତ୍ନୀମାନେ ଶତ୍ରୁମାନଙ୍କ ହାତରେ ପଡ଼ିବା ପୂର୍ବରୁ ସ୍ୱାମୀମାନଙ୍କ ସଙ୍ଗେ ଚିତାନଳରେ ପ୍ରବେଶ କରି ପ୍ରାଣତ୍ୟାଗ କରୁଥିଲେ । ଏହି ପ୍ରଥାକୁ ‘ସତୀ’ ପ୍ରଥା କହନ୍ତି । ସେ ଯୁଗରେ ସ୍ତ୍ରୀମାନଙ୍କର ଏହି କାର୍ଯ୍ୟକୁ ସତିତ୍ୱ ଓ ସ୍ୱାମୀଙ୍କ ପ୍ରତି ଅଚଳା ଭକ୍ତିର ନିଦର୍ଶନ ରୂପେ ଭାରି ପ୍ରଶଂସା କରାଯାଉଥିଲା; କିନ୍ତୁ ବର୍ତ୍ତମାନ ଯୁଗରେ ଲୋକେ ସେହି କାର୍ଯ୍ୟକୁ ଭାରି ନିନ୍ଦା କରନ୍ତି । କାରଣ ଏହି ଯୁଗରେ ଲୋକମାନଙ୍କର ଶିକ୍ଷା ଓ ରୁଚି ପରିବର୍ତ୍ତିତ ହୋଇଅଛି । ଏହି ସତୀ ପ୍ରଥା ଏତେ ପ୍ରାଚୀନ ଯେ, କେବେ କେଉଁ ଯୁଗରେ ଏ ପ୍ରଥା ଏ ଦେଶରେ ଆରମ୍ଭ ହୋଇଥିଲା, ତାହା ଜାଣିବାର କୌଣସି ଉପାୟ ନାହିଁ । ସ୍ତ୍ରୀ ଇଚ୍ଛା କରି ମୃତ ସ୍ୱାମୀଙ୍କ ସଙ୍ଗେ ଚିତାନଳରେ ପ୍ରବେଶ କରିବା ଭିନ୍ନ କଥା; ମାତ୍ର କାଳକ୍ରମେ ପରିବାରର ଲୋକ ସ୍ତ୍ରୀର ଅନିଚ୍ଛାରେ ମଧ୍ୟ ତାକୁ ବାଧ୍ୟ କରାଇ ସ୍ୱାମୀଙ୍କ ଚିତାରେ ପ୍ରବେଶ କରାଉଥିଲେ । ଅନେକ ସମୟରେ ମୃତ୍ୟୁଯନ୍ତ୍ରଣା ସହି ନ ପାରି ସ୍ତ୍ରୀମାନେ ଚିତାମଧ୍ୟରୁ ପଳାଇ ଯାଉଥିଲେ । ଏହାଦ୍ୱାରା ପରିବାରର ଅମଙ୍ଗଳ ହେବ ବୋଲି ଲୋକେ ସେହି ପଳାଇ ଆସିବା ସ୍ତ୍ରୀକୁ ଘରେ ପୂରାଉ ନ ଥିଲେ । ବେଳେ ବେଳେ ସ୍ତ୍ରୀକୁ ସ୍ୱାମୀର ଚିତାନଳରେ ପକାଇ ତା ଉପରେ ଦୁଇ ଚାରିଟା କଞ୍ଚା ବାଉଁଶ ରଖି ଲୋକେ ସେ ସବୁକୁ ଦୁଇ ପାଖରୁ ମାଡ଼ି ବସୁଥିଲେ ଓ ସ୍ତ୍ରୀର କାନ୍ଦିବା ଶବ୍ଦ ଯେପରି ଶୁଣା ନ ଯିବ, ସେଥିପାଇଁ ନାନାପ୍ରକାରର ବାଜା ଉଚ୍ଚସ୍ୱରରେ ବଜାଉଥିଲେ-। ହିନ୍ଦୁସମାଜରେ ଏହି ନୃଶଂସ କାର୍ଯ୍ୟର କୌଣସି ପ୍ରତିକାର ହେଉ ନ ଥିଲା । କରୁଣାହୃଦୟ ମହାମନା ସମ୍ରାଟ୍‌ ଆକ୍‌ବର ତାଙ୍କ ରାଜ୍ୟରେ କୌଣସି ସ୍ତ୍ରୀକୁ ସତୀ ଯିବାପାଇଁ ବାଧ୍ୟ କରିବା ଦୋଷାବହ ବୋଲି ଘୋଷଣା କରାଇଥିଲେ । ଲର୍ଡ ଉଇଲିୟମ୍‌ ବେଣ୍ଟିକ୍‌ ଗଭର୍ଣ୍ଣର ଜେନେରାଲ୍‌ ହୋଇ ଏହି ନିଷ୍ଠୁର ପ୍ରଥାକୁ ସମ୍ପୂର୍ଣ୍ଣରୂପେ ଉଠାଇ ଦେବା ପାଇଁ ଗୋଟିଏ ଆଇନ୍‌ ତିଆରି କଲେ । ଏହି କାର୍ଯ୍ୟରେ ବଙ୍ଗଦେଶର ପ୍ରସିଦ୍ଧ ସଂସ୍କାରକ ମହାତ୍ମା ରାଜା ରାମମୋହନ ରାୟ ତାଙ୍କୁ ଯଥେଷ୍ଟ ସାହାଯ୍ୟ କରିଥିଲେ । ସେହିଦିନଠାରୁ ସତୀ ଯିବା ପ୍ରଥା ଏ ଦେଶରୁ ଏକାବେଳକେ ଉଠିଯାଇଅଛି-

 

ସେହି କରୁଣାହୃଦୟ ବଡ଼ଲାଟ ଏତିକି ମାତ୍ର ସଂସ୍କାର କରି ନିବୃତ୍ତ ହୋଇ ନ ଥିଲେ । ସେତେବେଳେ ଏ ଦେଶରେ ‘ଠଗ’ ବୋଲି ଏକ ପ୍ରକାର ଡକାୟତଦଳ ବାଟୋଇମାନଙ୍କ ଉପରେ ବଡ଼ ଅତ୍ୟାଚାର କରୁଥିଲେ । ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ନ ଥିଲା । ବାଟୋଇ ସାଙ୍ଗରେ ସାଥୀହୋଇ କିଛିଦୂର ଯିବା ପରେ ସେମାନେ ନିର୍ଜ୍ଜନ ସ୍ଥାନ ଦେଖି ବାଟୋଇର ଗଳାରେ ରୁମାଲ ବାନ୍ଧି ନିଶ୍ୱାସ ବନ୍ଦ କରାଇ ମାରି ପକାଉଥିଲେ ଓ ତାହାର ସର୍ବସ୍ୱ ଚୋରିକରି ନେଇ ଯାଉଥିଲେ । ବେଣ୍ଟିକ୍‌ ଏହି ନିଷ୍ଠୁର ଉପଦ୍ରବ ବନ୍ଦ କରାଇବା ପାଇଁ ଗୋଟିଏ ସ୍ୱତନ୍ତ୍ର ବିଭାଗ ପ୍ରତିଷ୍ଠା କଲେ । କର୍ଣ୍ଣେଲ ଶ୍ମିମାନ୍‌ ଛଅବର୍ଷ ମଧ୍ୟରେ ପ୍ରାୟ ପନ୍ଦରଶହ ଠଗଙ୍କୁ ଧରି ଦଣ୍ଡ ଦେବାରୁ ଏ ଉପଦ୍ରବ ଏକାବେଳକେ ଶାନ୍ତ ହୋଇଗଲା ।

 

ଆମ ଓଡ଼ିଶାର କନ୍ଧମାଳରେ କନ୍ଧ ନାମକ ଏକ ପ୍ରକାର ଅନାର୍ଯ୍ୟ ଜାତି ବାସ କରନ୍ତି । ସେମାନେ ହଳଦୀ କିଆରୀରେ ନରବଳି ଦେଉଥିଲେ । ବେଣ୍ଟିକ୍‌ ନାନା ଭାବରେ ଚେଷ୍ଟା କରି ଏହି କୁତ୍ସିତ ପ୍ରଥା ସେଠାରୁ ଉଠାଇ ଦେଇଥିଲେ।

 

ବେଣ୍ଟିକ୍‌ଙ୍କ ସମୟରୁ ଏ ଦେଶରେ ଇଂରାଜୀ ଭାଷା ରାଜକୀୟ ଭାଷା ରୂପେ ଗୃହୀତ ହେଲା । ଶିକ୍ଷାବିସ୍ତାର ଦିଗରେ ବେଣ୍ଟିକ୍‌ ଅନେକ କାର୍ଯ୍ୟ କରି ଏ ଦେଶ ଲୋକଙ୍କର ଚିରସ୍ମରଣୀୟ ହୋଇ ରହିଅଛନ୍ତି । କଲିକତାରେ ମେଡିକାଲ୍‌ କଲେଜ୍‌ ଏହି ଉଦାରଚେତା ବଡ଼ଲାଟଙ୍କ କୀର୍ତ୍ତି ।

 

ପ୍ରଶ୍ନ

 

୧.

ସତୀଦାହ ପ୍ରଥାକୁ ଏ ଯୁଗରେ ଲୋକେ କାହିଁକି ଘୃଣା କରନ୍ତି ?

୨.

କେଉଁ କେଉଁ ଭଲ କାର୍ଯ୍ୟ କରିଥିବାରୁ ଲର୍ଡ ଉଇଲିୟମ୍‌ ବେଣ୍ଟିକ୍‌ ଆମ୍ଭମାନଙ୍କର ସ୍ମରଣୀୟ ହୋଇ ରହିଅଛନ୍ତି ?

୩.

ରାଜା ରାମମୋହନ ରାୟଙ୍କ ସମ୍ବନ୍ଧରେ କିଛି ଜାଣିଥିଲେ କହ ।

Image

 

ମହାରାଣୀ ଭିକ୍ଟୋରିୟା

 

ଇତିହାସ ଆଲୋଚନା କଲେ ଜଣାଯାଏ ଯେ, ପୃଥିବୀରେ ବେଳେ ବେଳେ ଏପରି ଜଣେ ଜଣେ ରାଜା ବା ରାଣୀ ଜନ୍ମଗ୍ରହଣ କରନ୍ତି, ଯାହାଙ୍କ ରାଜତ୍ୱରେ ଲୋକେ ପରମ ସୁଖଶାନ୍ତିରେ କାଳ କଟାଇଯାଆନ୍ତି । ତାଙ୍କ ପୁଣ୍ୟବଳରୁ ହେଉ ବା ଦୃଢ଼ ଈଶ୍ୱରବିଶ୍ୱାସ କିମ୍ବା ଚରିତ୍ରବତ୍ତା ହେତୁରୁ ହେଉ, ତାଙ୍କ ରାଜ୍ୟରେ ଲୋକସାଧାରଣଙ୍କ ସୁଖସୌଭାଗ୍ୟ ବୃଦ୍ଧି ହୁଏ, ଜ୍ଞାନଚକ୍ଷୁ ଫୁଟି ଉଠେ ଏବଂ ପୃଥିବୀ କାମଧେନୁ ପରି ଲୋକଙ୍କ ଅଭିଳାଷ ପୂରଣ କରେ । ଆମର ପ୍ରାତଃସ୍ମରଣୀୟା ମହାରାଣୀ ଭିକ୍‌ଟୋରିୟାଙ୍କ ରାଜତ୍ୱ ଏହି ମହାରାଣୀ ଭିକ୍‌ଟୋରିୟା କଥାର ଉଜ୍ଜ୍ୱଳ ଉଦାହରଣ । ସେ ଇଂଲଣ୍ଡ ଦେଶର ରାଣୀ; ସୌଭାଗ୍ୟ ହେତୁରୁ ତାଙ୍କ ପବିତ୍ର ରାଜତ୍ୱରେ ପ୍ରଜା ହେବା ଆମ ଭାରତୀୟଙ୍କ ମଧ୍ୟରୁ କେତେକଙ୍କ ଭାଗ୍ୟରେ ଘଟିଲା ।

 

ମହାରାଣୀଙ୍କ ରାଜତ୍ୱକାଳକୁ ‘ଭିକ୍‌ଟୋରିୟା ଯୁଗ’ ବୋଲାଯାଏ । ବୈଜ୍ଞାନିକ ଯନ୍ତ୍ରମାନଙ୍କର ଉଦ୍‌ଭାବନଦ୍ୱାରା ଏବେ ପୃଥିବୀରେ ଯେଉଁ ଯୁଗାନ୍ତର ଉପସ୍ଥିତ ହୋଇଅଛି, ସେ ସମସ୍ତ ଭିକ୍ଟୋରିୟାଙ୍କ ରାଜତ୍ୱରେହିଁ ଘଟିଅଛି । ରେଲଓୟେ, ଟ୍ରେନ୍‌, ଟେଲିଗ୍ରାଫ୍‌, ଫଟୋଗ୍ରାଫ୍‌ ପ୍ରଭୃତି ଯେଉଁ ବିସ୍ମୟକର ଘଟନାମାନ ଏବେ ଆମ ଆଖିରେ ପଡ଼ୁଅଛି, ସେସବୁ ଦ୍ୱାରା ପ୍ରକୃତରେ ଆମ ଭାଗ୍ୟ ପରିବର୍ତ୍ତନ ହୋଇ ନାହିଁ କି ?

 

ଭିକ୍ଟୋରିୟା ୧୮୧୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ରାଜବଂଶରେ ଜନ୍ମିଥିଲେ । ତାହାଙ୍କ ପିତୃବ୍ୟ ଇଂଲଣ୍ଡର ରାଜା ଚତୁର୍ଥ ଉଇଲିୟମଙ୍କ ଦେହତ୍ୟାଗ ପରେ ୧୮ ବର୍ଷ ବୟସରେ ସେ ଇଂଲଣ୍ଡ ସିଂହାସନରେ ବସିଲେ । ଏତେ ଅଳ୍ପ ବୟସରେ ଗୋଟିଏ ବିଶାଳ ରାଜ୍ୟର ସିଂହାସନ ଆରୋହଣ କରି ସେ ଏପରି ଧୀର ସ୍ଥିର ଭାବରେ ସାମ୍ରାଜ୍ୟ ଶାସନ କରିଥିଲେ ଯେ, ଲୋକେ ତାହା ଦେଖି ବିସ୍ମିତ ହୋଇ ଯାଇଥିଲେ । ପ୍ରିନ୍‌ସ ଆଲବର୍ଟଙ୍କ ସଙ୍ଗେ ଏହାଙ୍କର ବିବାହ ହୋଇଥିଲା-। ରାଜଦମ୍ପତି ପ୍ରାୟ ୨୦ ବର୍ଷ ପରମସୁଖରେ ସଂସାରଧର୍ମ ପାଳନ ପରି ଅନେକଗୁଡ଼ିଏ ସନ୍ତାନଙ୍କର ପିତାମାତା ହୋଇଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ଭିକ୍‌ଟୋରିୟା ବ୍ରତଧାରିଣୀ ବିଧବାଙ୍କ ପରି ଜୀବନ କଟାଇଥିଲେ ଓ ପୂର୍ବପରି ରାଜକାର୍ଯ୍ୟ ପରିଚାଳନା କରିଥିଲେ-

 

ବାଣିଜ୍ୟ କରୁ କରୁ ତାଙ୍କ ଦେଶର ଇଷ୍ଟଇଣ୍ଡିଆ କମ୍ପାନୀ ନାମକ ବେପାରୀଦଳ ଏ ଦେଶ ଅଧିକାର କରି ଏଠାରେ ରାଜତ୍ୱ ଚଳାଇଥିଲେ । ତାଙ୍କ ରାଜତ୍ୱରେ ଶାସନକାର୍ଯ୍ୟ ସୁଚାରୁରୂପେ ନ ଚଳିବାରୁ ଦେଶରେ ଭୟଙ୍କର ଗୋଳମାଳ ଆରମ୍ଭ ହେଲା । ସୈନ୍ୟମାନେ ବିଦ୍ରୋହୀ ହୋଇ ଅନେକ ଲୋକଙ୍କର ପ୍ରାଣନାଶ କଲେ । ଏହି ଘଟନାକୁ ଇତିହାସରେ ‘ସିପାହୀ ବିଦ୍ରୋହ’ କୁହାଯାଏ । ଯେତେବେଳେ ଏ ଖବର ମହାରାଣୀ ଶୁଣିଲେ, ସେତେବେଳେ ତାଙ୍କ ମନରେ ଘୋର ଦୁଃଖ ଜାତ ହେଲା । ସେ ତାଙ୍କ ମନ୍ତ୍ରୀମାନଙ୍କ ସଙ୍ଗେ ପରାମର୍ଶ କରି ୧୮୫୮ ଖ୍ରୀଷ୍ଟାବ୍ଦରୁ ଭାରତର ଶାସନଭାର ନିଜ ହାତରେ ନେଲେ । ସିପାହୀ ବିଦ୍ରୋହ ପରେ ସେ ଯେଉଁ ଘୋଷଣା ପ୍ରଚାର କରିଥିଲେ, ତାହାରି ଫଳରେ ଭାରତବର୍ଷରେ ଚିର ଶାନ୍ତି ପ୍ରତିଷ୍ଠିତ ହେଲା । ସେ ଘୋଷଣାରେ ମହାରାଣୀ ସ୍ପଷ୍ଟାକ୍ଷରରେ ପ୍ରକାଶ କରିଥିଲେ ଯେ, ‘‘ଭାରତୀୟମାନଙ୍କ ଧର୍ମରେ ଆମ୍ଭେ ହସ୍ତକ୍ଷେପ କରିବୁଁ ନାହିଁ, ଇଂରେଜ ପ୍ରଜାଙ୍କ ସଙ୍ଗେ ଭାରତୀୟ ପ୍ରଜାମାନେ ସମାନ ଅଧିକାର ପାଇବେ ଓ ଯୋଗ୍ୟ ହେଲେ ଜାତି ଧର୍ମ ନିର୍ବିଶେଷରେ ଯେ କୌଣସି ଲୋକ ଉଚ୍ଚ ରାଜପଦ ଲାଭ କରିପାରିବେ’’-ଇତ୍ୟାଦି । ତାଙ୍କର ଏହି ଉଦାର ଘୋଷଣାର ଫଳ ଆଜିଯାଏ ଆମଦେଶ ଲୋକେ ଉପଭୋଗ କରୁଅଛନ୍ତି।

 

ଏ ଯୁଗରେ ଭାରତର ଯେଉଁ ସବୁ ଉନ୍ନତି ହୋଇଅଛି, ସେ ସମସ୍ତ ଭିକ୍ଟୋରିୟାଙ୍କ ଚେଷ୍ଟାର ଫଳ । ନୂଆ ନୂଆ ସ୍କୁଲ ବସାଇ ପ୍ରଜାମାନଙ୍କୁ ଶିକ୍ଷିତ କରାଇବା, ବିନା ବ୍ୟୟରେ ଦୀନ ଦରିଦ୍ରମାନଙ୍କ ପାଇଁ ଚିକିତ୍ସାର ବ୍ୟବସ୍ଥା କରିବା ପ୍ରଭୃତି ନାନାବିଧ କାର୍ଯ୍ୟ ଏ ଦେଶରେ ଆରମ୍ଭ କରାଇବାଦ୍ୱାରା ସେ ଭାରତବାସୀ ପ୍ରଜାଙ୍କ ପ୍ରତି ଯଥେଷ୍ଟ ସ୍ନେହ ଦେଖାଇଥିଲେ । ସେ ନିଜେ ଭାରତକୁ ଆସି ନ ଥିଲେ, ମାତ୍ର ତାଙ୍କ ପୁଅମାନଙ୍କୁ ଅନେକ ଥର ଭାରତ ଭ୍ରମଣରେ ପଠାଇଥିଲେ-। ଏହାଙ୍କ ରାଜତ୍ୱରେ ସୁଏଜ କେନାଲ ଖୋଳା ହେବାରୁ ଭାରତରୁ ଇଂଲଣ୍ଡ ଯିବା ସୁଗମ ହୋଇଥିଲା ।

 

ଗତ ୧୯୦୧ ଖ୍ରୀଷ୍ଟାବ୍ଦରେ ଏହି ପୁଣ୍ୟବତୀ ରମଣୀ ଯେତେବେଳେ ଦେହତ୍ୟାଗ କଲେ, ସେତେବେଳେ ଭାରତବାସୀମାନେ ଯଥାର୍ଥରେ ମାତୃବିୟୋଗ ଦୁଃଖ ଅନୁଭବ କରିଥିଲେ । ସେ ପ୍ରାୟ ୬୪ ବର୍ଷକାଳ ସାମ୍ରାଜ୍ୟ ଶାସନ କରିଥିଲେ । ଇଂଲଣ୍ଡ କିମ୍ବା ଭାରତରେ କୌଣସି ରାଜା ବା ରାଣୀ ଏତେ ଦୀର୍ଘକାଳ ରାଜତ୍ୱ କରି ନ ଥିଲେ ।

 

ପ୍ରଶ୍ନ

 

୧.

ମହାରାଣୀ ଭିକ୍‌ଟୋରିୟାଙ୍କୁ ଭାରତବାସୀ ପ୍ରଜାମାନେ କାହିଁକି ଏତେ ଭକ୍ତି କରନ୍ତି ?

୨.

ଭିକ୍‌ଟୋରିୟାଙ୍କ ପରେ କିଏ ଭାରତରେ ସମ୍ରାଟ ହୋଇଥିଲେ ? ବର୍ତ୍ତମାନ ଭାରତ ସମ୍ରାଟ୍‌ କିଏ ? ସେ ଭିକ୍‌ଟୋରିୟାଙ୍କର କଅଣ ହୁଅନ୍ତି ?

୩.

ସିପାହୀ ବିଦ୍ରୋହ ପରେ ଏ ଦେଶରେ କିପରି ଶାନ୍ତି ପ୍ରତିଷ୍ଠିତ ହେଲା ?

Image

 

Unknown

ଛାପାକଳ

 

ଆଜିକାଲି କେତେ ନୂଆ ନୂଆ ବହି ଓ ଖବରକାଗଜ ପ୍ରତିଦିନ ଛାପା ହେଉଅଛି । ଆଗେ ଆମ ଦେଶ ଲୋକେ ଲେଖନ ସାହାଯ୍ୟରେ ତାଳପତ୍ରରେ ଲେଖୁଥିଲେ । କେହି କେହି ଭୁର୍ଜ ନାମକ ଗଛର ବକଳାରେ ମଧ୍ୟ ଲେଖୁଥିଲେ; କିନ୍ତୁ ଏଭଳି ଲେଖିବାରେ ଅନେକ ପରିଶ୍ରମ କରିବାକୁ ପଡ଼ୁଥିଲା; ତେଣୁ ପୁସ୍ତକର ମୂଲ୍ୟ ମଧ୍ୟ ଅନେକ ବେଶୀ ହେଉଥିଲା । ଲୋକେ ବେଶୀ ପଇସା ଦେଇ ସେସବୁ କିଣି ପାରୁ ନ ଥିଲେ । ଫଳରେ ଅଧିକାଂଶ ଲୋକ ବହି ପଢ଼ି ଶିକ୍ଷିତ ହୋଇ ପାରୁ ନ ଥିଲେ । ଖାଲି ଆମ ଦେଶରେ ନୁହେଁ; ପୃଥିବୀର ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ଅବସ୍ଥା ଥିଲା । ଏବେ ଛାପାକଳ ବାହାରିବାରୁ ବହିସବୁ ଏତେ ଶସ୍ତା ହୋଇଛି ଯେ, କି ଧନୀ, କି ଦରିଦ୍ର ସମସ୍ତେ ବହି କିଣି ପାଠ ପଢ଼ି ପାରୁଛନ୍ତି ।

 

ପ୍ରଥମେ କେଉଁ ଦେଶରେ କିପରି ଭାବରେ ଛାପାକଳ ବାହାରିଥିଲା, ତାହା ଠିକ୍‌ ରୂପେ କହିହେବ ନାହିଁ । ଚୀନ ଓ କୋରିଆ ଦେଶର ଲୋକେ ପୂର୍ବକାଳରେ କାଠରେ ଓ ମାଟିରେ ଅକ୍ଷର ତିଆରି କରି ବହି ଛାପୁଥିବା କଥା ଶୁଣାଯାଏ; ମାତ୍ର ସେମାନେ ଏ କାର୍ଯ୍ୟରେ କେତେ ଦୂର ଅଗ୍ରସର ହୋଇଥିଲେ ଭଲରୂପେ ଜଣାଯାଏ ନାହିଁ ।

 

ଜନ୍‌ ଗୁଟେନ୍‌ବର୍ଗ ନାମରେ ଜଣେ ଜର୍ମାନୀ ଲୋକ ସର୍ବପ୍ରଥମେ ଇଉରୋପରେ ଏ ଯନ୍ତ୍ରର ସୃଷ୍ଟି କରିଥିଲେ ବୋଲି ପଣ୍ଡିତମାନେ ସ୍ଥିର କରିଅଛନ୍ତି । ୧୪୦୦ ଖ୍ରୀଷ୍ଟାବ୍ଦରେ ଏହାଙ୍କ ଜନ୍ମ-। ଗୁଟେନ୍‌ବର୍ଗ ତାଙ୍କ ବୈଠକଖାନାରେ ବସି ତାଙ୍କ ସ୍ତ୍ରୀଙ୍କ ସଙ୍ଗେ ଦିନେ ଖୁସି ଗପ କରୁଥିଲେ; ଏହି ସମୟରେ ଖଣ୍ଡେ ଚିତ୍ର ତାସ ଉପରେ ତାଙ୍କ ଆଖି ପଡ଼ିଲା । ସେହି ତାସର ଚିତ୍ରକୁ ଦେଖି ଦେଖି ସେ ସ୍ଥିର କଲେ, ଯେଉଁ ଉପାୟରେ ତାସ ଉପରେ ଏହି ଚିତ୍ର କରାଯାଇଅଛି, ସେହି ଉପାୟରେ ଯେବେ କାଠରେ ଅକ୍ଷର ଖୋଳି ତା ଉପରେ କାଗଜ ଦେଇ ମାଡ଼ିଦିଆଯାଏ, ତେବେ ନିଶ୍ଚୟ ଅକ୍ଷର କାଗଜରେ ଛାପି ହୋଇଯିବ । ଏହି କଥା ଭାବି ସେ ପ୍ରଥମେ ତାଙ୍କ ସ୍ତ୍ରୀଙ୍କ ନାମ ଖଣ୍ଡିଏ କାଠରେ ଖୋଳି ତହିଁରେ କାଳି ଦେଇ କାଗଜ ଉପରେ ଛାପିଦେଲେ । ନାମଟି ସୁନ୍ଦର ରୂପେ ଛାପି ହୋଇଗଲା; ତାହା ଦେଖି ତାଙ୍କ ସ୍ତ୍ରୀ ଭାରି ଖୁସି ହେଲେ । ଏଥିରେ କୃତକାର୍ଯ୍ୟ ହେବାରୁ ଗୁଟେନ୍‌ବର୍ଗଙ୍କ ମନରେ ଭାରି ଆନନ୍ଦ ହେଲା । ସେ କେତେଗୁଡ଼ିଏ ସୁନ୍ଦର କାଠ ବାଛି ନେଇ ସେଥିରେ ନାନା ପ୍ରକାର ଛବି ଖୋଳିଲେ । ମୋଟା କାଳିରେ ଛାପିବାରୁ ଅକ୍ଷରଗୁଡ଼ିକ ବେଶ ସୁନ୍ଦର ଦେଖାଗଲା । ଯେଉଁ କାଠରେ ସେ ପ୍ରଥମେ ଚିତ୍ର ଖୋଳିଥିଲେ, ତାହାର ନାମ ‘ବ୍ଲକ୍‌’ । ଏହିପରି ଅନେକ ବ୍ଲକ୍‌ ତିଆରି କରି ଗୁଟେନ୍‌ବର୍ଗ ନାନା ପ୍ରକାର ଚିତ୍ର ଛାପି ଗୋଟିଏ ଦୋକାନରେ ନେଇ ସଜାଇ ରଖିଲେ । ଲୋକେ ସେସବୁ ଦେଖି ଭାରି ଖୁସି ହେଲେ ଓ କେହି କେହି ସେ ଚିତ୍ର କିଣିନେଲେ । ଏଥିରେ ଗୁଟେନ୍‌ବର୍ଗଙ୍କ ମନରେ ବେଶି ଉତ୍ସାହ ଜାତ ହେଲା । ତାଙ୍କ ଘରପାଖରେ ଗୋଟିଏ ପାଦ୍ରୀ ମଠ କରି ରହିଥାଆନ୍ତି । ଗୁଟେନ୍‌ବର୍ଗ ଦିନେ ଅନେକଗୁଡ଼ିଏ ଚିତ୍ର ନେଇ ପାଦ୍ରୀ ସାହେବଙ୍କୁ ଭେଟିଲେ । ପାଦ୍ରୀ ସାହେବ ସେଗୁଡ଼ିକ ଦେଖି ଭାରି ଖୁସି ହୋଇ କିଣିନେଲେ । ତା ପରେ ସେ ୬୦ ପୃଷ୍ଠାର ଖଣ୍ଡିଏ ବହିର ପ୍ରତ୍ୟେକ ପୃଷ୍ଠାରେ ଥିବା ବିଷୟକୁ ଖଣ୍ଡିଏ ଖଣ୍ଡିଏ କାଠପଟାରେ ଖୋଳି ବ୍ଲକ୍‌ କରିନେଲେ ଓ ପୂର୍ବ ପରି ଛାପି ବଜାରରେ ବିକ୍ରି କଲେ । ଲୋକେ ଏ ନୂଆ ବହି ଦେଖି ଅବାକ୍‌ ହୋଇଗଲେ । ଏଭଳି ଛାପାକାର୍ଯ୍ୟ କଥା ସେ ଏପର୍ଯ୍ୟନ୍ତ ଅନ୍ୟକୁ କହି ନ ଥିଲେ । କାମ ବେଶି ପଡ଼ିବାରୁ ସେ ଏକା ହୋଇ କାଠରେ ଖୋଳିବା କାର୍ଯ୍ୟ କରିପାରିଲେ ନାହିଁ । ଆଉ ଦୁଇ ଜଣ ଲୋକ ଏ କାର୍ଯ୍ୟରେ ନିଯୁକ୍ତ କରି ସେ ସମୁଦାୟ କାର୍ଯ୍ୟକୁ ଗୋପନ ରଖିଲେ ।

 

ଏହି ଉପାୟରେ ସେ ଖଣ୍ଡେ ୫୦ ପୃଷ୍ଠାରେ ବ୍ୟାକରଣ ଛାପି ଯେତେବେଳେ ବଜାରରେ ବିକ୍ରି କଲେ, ସେତେବେଳେ ଲୋକେ କହିଲେ, ଏ ନିଶ୍ଚୟ କୌଣସି ଭୋଜବିଦ୍ୟାଳୟରେ ଏ କାର୍ଯ୍ୟ କରୁଅଛନ୍ତି । ଯେଉଁ ପାଦ୍ରୀ ସାହେବ ତାଙ୍କଠାରୁ ଛବି କିଣି ନେଇଥିଲେ, ଏଥର ସେ ତାଙ୍କୁ ବାଇବେଲ ଖଣ୍ଡେ ଛାପି ଆଣିବାକୁ ଅନୁରୋଧ କଲେ । ଗୁଟେନ୍‌ବର୍ଗ ଦେଖିଲେ ଯେ, ଏହିପରି ଭାବରେ କାଠରେ ପ୍ରତି ପୃଷ୍ଠାକୁ ବ୍ଲକ୍‌ କରି ସମୁଦାୟ ବାଇବେଲକୁ ଛାପୁ ଛାପୁ ସେ ବୁଢ଼ା ହୋଇଯିବେ; ତେଣୁ ସେ ଅନେକ ଲୋକ ନିଯୁକ୍ତ କରି କାର୍ଯ୍ୟ ଆରମ୍ଭ କଲେ । ପ୍ରଥମ ପୃଷ୍ଠାର ବ୍ଲକ୍‌ ହୋଇଗଲା । ଏହି ସମୟରେ ସେ ଯେଉଁ ଛୁରୀ ସାହାଯ୍ୟରେ ବ୍ଲକ୍‌ ତିଆରି କରୁଥିଲେ, ସେ ଛୁରୀଖଣ୍ଡ ବ୍ଲକ୍‌ କାଠ ଉପରେ ତାଙ୍କ ହାତରୁ ହଠାତ୍‌ ଖସି ପଡ଼ିବାରୁ ବ୍ଲକ୍‌ଟା ଭାଙ୍ଗି ଦୁଇ ଖଣ୍ଡ ହୋଇଗଲା । ଏଥିରେ ଗୁଟେନ୍‌ବର୍ଗ ଏକାବେଳକେ ହତୋତ୍ସାହ ହୋଇ ପଡ଼ିଲେ । ବହୁ ପରିଶ୍ରମ ବୃଥା ହୋଇଗଲେ କାହା ମନରେ କଷ୍ଟ ନ ହୁଏ ? କିନ୍ତୁ ଅନେକ ସମୟରେ ଦେଖାଯାଏ, ମଙ୍ଗଳ ବିପଦରୂପେ ଆମର ସମ୍ମୁଖୀନ ହୁଏ । ବ୍ଲକ୍‌ଟା ଭାଙ୍ଗିଯିବା କଥା ଭାବୁଁ ଭାବୁଁ ଗୁଟେନ୍‌ବର୍ଗଙ୍କ ମନରେ ହଠାତ୍‌ ଏହି ଭାବ ଆସିଲା ଯେ, ଯେବେ ଏହି ଭଙ୍ଗା ବ୍ଲକ୍‌ର ପ୍ରତ୍ୟେକ ଅକ୍ଷରକୁ ଅଲଗା କରି ନିଆଯାଏ ଏବଂ ଏହି ଭାବରେ ପ୍ରତ୍ୟେକ ଅକ୍ଷରକୁ ଅଲଗା ଅଲଗା କରି କାଠରେ ଖୋଳାଯାଏ, ତେବେ ଛାପା କାର୍ଯ୍ୟ ତ ଆହୁରି ସହଜ ହେବ । ଏହା ଭାବି ସେ ବନ୍ଧୁମାନଙ୍କ ସାହାଯ୍ୟରେ ପ୍ରତ୍ୟେକ ଅକ୍ଷରକୁ ଅଲଗା ଅଲଗା ଖୋଳି ଜମା କଲେ । ଏହିପରି ଅକ୍ଷରଗୁଡ଼ିକୁ ‘ଟାଇପ୍‌’ କୁହାଗଲା । ଗୁଟେନ୍‌ବର୍ଗ ତାପରେ ଏହି ଟାଇପ୍‌ଗୁଡ଼ାକୁ ଶବ୍ଦ ଆକାରରେ ସଜାଇ ଖଣ୍ଡେ ଦଉଡ଼ିରେ ଦୃଢ଼କରି ବାନ୍ଧି ନେଲେ । ଏ ଅକ୍ଷରକୁ ଯୋଡ଼ି ପ୍ରଥମେ ସେ ଛାପି ଥିଲେ, ‘ଭଲଲୋକ’ । ତା ପରେ ଭିନ୍ନ ଭିନ୍ନ ପ୍ରକାର ଅକ୍ଷରଗୁଡ଼ିକୁ ରଖିବା ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ବାକ୍‌ସ ତିଆରି କରି ନେଲେ ଏବଂ ଶେଷରେ ସହଜରେ ଛାପିବା ପାଇଁ କାଠରେ ଗୋଟିଏ ମୁଦ୍ରାଯନ୍ତ୍ର ବା ପ୍ରେସ୍‌ ତିଆରି କଲେ ।

 

ଗୁଟେନ୍‌ବର୍ଗ ସେପରି ଧନବାନ୍‌ ଲୋକ ନ ଥିଲେ । ଅନ୍ୟ ଲୋକଙ୍କଠାରୁ ଧନ କରଜ କରି ସେ ଏହିପରି ଭାବରେ ଛାପା କାର୍ଯ୍ୟ ଚଳାଉଥିଲେ । ସବୁ କାଳରେ ସବୁ ଦେଶରେ ଈର୍ଷୀ ଲୋକ ଥାଆନ୍ତି । ସେ ଯାହାଙ୍କଠାରୁ ଟଙ୍କା କରଜ କରି ଏହି କାଠ ଛାପାକଳ ଚଳାଉଥିଲେ, ସେ ତାଙ୍କ ନାମରେ ନାଲିସ କରି ତାଙ୍କ ଛାପାଖାନାକୁ ନିଲାମ କରି ନେଇଗଲେ ଏବଂ ଗୁଟେନ୍‌ବର୍ଗଙ୍କୁ ସେଠାରୁ ବାହାର କରିଦେଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ମରିଗଲେ । ସେ ଏ ବିଷୟରେ କିଛି ଆଉ କରି ନ ପାରି ଘୋର ଦୁଃଖରେ ପଡ଼ିଲେ । ତାଙ୍କ ଶତ୍ରୁମାନେ ନିଜେ ଏପରି ଛାପାକଳ ବାହାର କରିଅଛନ୍ତି ବୋଲି ଚାରିଆଡ଼େ ପ୍ରଚାର କଲେ; ମାତ୍ର ପ୍ରକୃତ ସତ୍ୟ ଲୁଚି ରହିଲା ନାହିଁ । ଇଉରୋପ ମହାଦେଶରେ ସମସ୍ତେ ଜାଣିଲେ ଯେ, ଗୁଟେନ୍‌ବର୍ଗ ଏହି ଛାପାକଳର ଉଦ୍ଭାବନକର୍ତ୍ତା । ଏହି ବିଚିତ୍ର କାର୍ଯ୍ୟପାଇଁ ସମସ୍ତେ ତାଙ୍କୁ ସମ୍ମାନ ଦେଖାଇଲେ । ଜର୍ମାନୀର ରାଜା ଏହା ଶୁଣି ତାଙ୍କ ପାଇଁ ଗୋଟିଏ ବୃତ୍ତି ନିର୍ଦ୍ଦିଷ୍ଟ କରିଦେଲେ; ତେଣୁ ସେ ବଞ୍ଚିଥିବାଯାଏ ଆଉ ଅର୍ଥକଷ୍ଟ ଭୋଗ କରି ନ ଥିଲେ ।

 

କ୍ରମେ ଏହି ଯନ୍ତ୍ର ଇଉରୋପରେ ସବୁ ଦେଶରେ ଚଳିଲା । ପ୍ରାୟ ୩୫୦ ବର୍ଷ କାଳ କାଠରେ ତିଆରି ମୁଦ୍ରାଯନ୍ତ୍ର ଚଳୁଥିଲା । ପରେ ତାହାର ଉନ୍ନତି କରି ଷ୍ଟେନ୍‌ହୋପ୍‌ ନାମକ ଜଣେ ଲୋକ ଲୁହାର ମୁଦ୍ରା ଯନ୍ତ୍ର ତିଆରି କଲେ । କ୍ରମେ ନାନା ଭାବରେ ଏହାର ଉନ୍ନତି ହୋଇଅଛି । ଏବେ ଟାଇପସବୁ ଯନ୍ତ୍ରରେ ତିଆରି ହେଉଅଛି ଏବଂ ଟାଇପ୍‌ ଯୋଡ଼ିବା ଓ ଛାପିବା କାର୍ଯ୍ୟ ମଧ୍ୟ ସେହି ଯନ୍ତ୍ରମାନଙ୍କ ସାହାଯ୍ୟରେ ହେଉଅଛି । ସେ ଯାହା ହେଉ, ଏହାର ପ୍ରଥମ ଉଦ୍ଭାବନକର୍ତ୍ତା ଯେ ଜଜ୍‌ ଗୁଟେନ୍‌ବର୍ଗ, ଏକଥା କେହି ଭୁଲି ନାହାନ୍ତି ।

 

ପ୍ରଶ୍ନ

 

୧.

ଜର୍ମାନି ଦେଶ ଇଉରୋପର କେଉଁ ଦିଗରେ ?

୨.

ବାଇବେଲର ପ୍ରଥମପୃଷ୍ଠାର ବ୍ଳକଟି ଭାଙ୍ଗିଯିବାରୁ ଗୁଟେନ୍‌ବର୍ଗଙ୍କର କି ଉପକାର ହୋଇଥିଲା ?

୩.

ଟାଇପ୍‌ ଓ ବ୍ଳକ-ଏହାର ଅର୍ଥ ଓଡ଼ିଆରେ ବୁଝାଇ ଦିଅ ।

Image

 

ମଟରଗାଡ଼ି

 

ରେଲ ସଡ଼କ ନ ହେଲେ ରେଲଗାଡ଼ି ଚାଲିପାରିବ ନାହିଁ । ସାଧାରଣ ସଡ଼କରେ ଚାଲିପାରିବା ଭଳି ଯାନ ବାହାର କରିବା ପାଇଁ ମନୁଷ୍ୟ ବହୁ ଦିନରୁ ଚେଷ୍ଟା କରୁଥିଲା । ଜର୍ମାନି ଓ ଫ୍ରାନ୍‌ସରେ ପେଟ୍ରୋଲ ଚାଳିତ ଇଞ୍ଜିନ୍‌ ସାହାଯ୍ୟରେ ପ୍ରଥମେ ମଟରଗାଡ଼ି ନିର୍ମାଣ କରିବାର ଚେଷ୍ଟା ହୋଇଥିଲା । ମାତ୍ର ସେସବୁ ଗାଡ଼ି ଏପରି ଅସୁନ୍ଦର ଓ ଦୋଷପୂର୍ଣ୍ଣ ଥିଲା ଯେ, ଲୋକେ ସେଗୁଡ଼ାକ ଆଦୌ ପସନ୍ଦ କଲେ ନାହିଁ । ପେଟ୍ରୋଲ ଇଞ୍ଜିନ୍‌ ଆବିଷ୍କାର ପୂର୍ବେ ବାଷ୍ପବଳରେ ଯେଉଁସବୁ ଇଞ୍ଜିନ୍‌ ଚାଲୁଥିଲା, ସେସବୁ ବଡ଼ ଭାରି ଓ ଅସୁନ୍ଦର ଥିବାରୁ ସାଧାରଣ ରାସ୍ତାରେ ଆଦୌ ଚାଲିପାରୁ ନ ଥିଲା ।

 

ଇଂଲଣ୍ଡ ମଟରଗାଡ଼ି ସମ୍ବନ୍ଧରେ ପ୍ରଥମେ ଆଦୌ ଚେଷ୍ଟା କରି ନ ଥିଲା । କଳଗାଡ଼ି ଦେଖିଲେ ସେ ଦେଶର ଲୋକେ ଭାରି ବିରକ୍ତ ହେଉଥିଲେ । ଇଂଲଣ୍ଡ ସରକାର ସେତେବେଳେ ଏହିସବୁ କଳଗାଡ଼ି ଚଳାଇବା ବିଷୟରେ ଆଇନ କରିଥିଲେ ଯେ, ଘଣ୍ଟାରେ ୪ ମାଇଲରୁ ଅଧିକ ବେଗରେ କେହି ଗାଡ଼ି ଚଳାଇ ପାରିବେ ନାହିଁ ଓ ଗାଡ଼ି ଚାଲିବାବେଳେ ଜଣେ ଲୋକ ହାତରେ ଗୋଟିଏ ଲାଲ ପତାକା ଧରି ଗାଡ଼ି ଆଗେ ଆଗେ ଦଉଡ଼ିବ । ଏପରି ବିଚିତ୍ର ଆଇନ ଫଳରେ ସେ ଦେଶରେ କଳଗାଡ଼ିର ବିଶେଷ ଉନ୍ନତି ହୋଇପାରି ନ ଥିଲା । ଆନନ୍ଦର କଥା ଯେ ୧୮୯୬ ଖ୍ରୀଷ୍ଟାବ୍ଦରେ ଏହି ଆଇନ ରବ୍ଦ୍‌ କରି ଦିଆଗଲା ।

 

କାର୍ଲବେନ୍‌ଜ୍‌ ନାମକ ଜଣେ ଜର୍ମାନ ପେଟ୍ରୋଲଚାଳିତ ତିନିଚକିଆ ଖଣ୍ଡେ ମଟରଗାଡ଼ି ଉଦ୍ଭାବନ କରିଥିଲେ । ଏ ଗାଡ଼ିଖଣ୍ଡ ଦେଖିବାକୁ ଅସୁନ୍ଦର ନ ଥିଲା ଓ ଏଥିରୁ ବିକୃତ ଶବ୍ଦ ମଧ୍ୟ ବାହାରୁ ନ ଥିଲା । ଏହି ସମୟରେ ଡେମଲାର୍‌ ନାମକ ଆଉ ଜଣେ ଜର୍ମାନ୍‌ ବେନ୍‌ଜ୍‌ଙ୍କ ଗାଡ଼ି ଅପେକ୍ଷା ଉନ୍ନତ ଧରଣର ଆଉ ଖଣ୍ଡିଏ ଗାଡ଼ି ନିର୍ମାଣ କଲେ । ଏହି ଦୁଇ ଜଣ ଜର୍ମାନଙ୍କ ଚେଷ୍ଟାରେ ସେ ସମୟରେ ପେଟ୍ରୋଲଚାଳିତ ଗାଡ଼ିର ଖୁବ୍‌ ଉନ୍ନତି ହୋଇଥିଲା; ମାତ୍ର ସେସବୁ ଗାଡ଼ି ଘଣ୍ଟାକେ ୮।୧୦ ମାଇଲରୁ ଅଧିକ ବେଗରେ ଚାଲିପାରୁ ନ ଥିଲା ।

 

ଫ୍ରାନ୍‌ସ ଦେଶରେ ମଟରଗାଡ଼ିର ଉନ୍ନତି ପାଇଁ ନାନାଭାବରେ ଚେଷ୍ଟା ହୋଇଥିଲା ଏବଂ ପ୍ରଥମେ ମଟରସାଇକେଲ୍‌ ଫ୍ରାନ୍‌ସରୁ ବାହାରିଲା ଓ ତାହା ଆଦର୍ଶରେ ପାନାର୍‌ ନାମକ ଅନ୍ୟ ଜଣେ ଫରାସୀ ଆଉ ଏକ ପ୍ରକାର ସୁନ୍ଦର ମଟରଗାଡ଼ି ନିର୍ମାଣ କଲେ । ଫ୍ରାନ୍‌ସର ଗୋଟିଏ ସଂବାଦପତ୍ରର ସମ୍ପାଦକ ମଟରଗାଡ଼ିର ଉନ୍ନତି ପାଇଁ ଏହି ସମୟରେ ମଟରଗାଡ଼ି ଦୌଡ଼ର ପ୍ରତିଯୋଗିତାର ବନ୍ଦୋବସ୍ତ କଲେ । ପାରିସ୍‌ ନଗରରୁ ରୁୟାଁ (Rouen) ନଗର ପର୍ଯ୍ୟନ୍ତ ଯାଇଥିବା ପଥ ଏହି ପ୍ରତିଯୋଗିତା ପାଇଁ ନିର୍ଦ୍ଦିଷ୍ଟ ହେଲା । ଦଁ ଦିୟାଁ ନାମକ ଜଣେ ଫରାସୀ ଘଣ୍ଟାରେ ୧୨ ମାଇଲ ବେଗରେ ମଟର ଚଳାଇ ଏହି ପ୍ରତିଯୋଗିତାରେ ପୁରସ୍କାର ପାଇଲେ । ବର୍ତ୍ତମାନ ମଟରଗାଡ଼ି ଘଣ୍ଟାକେ ୮୦ ମାଇଲ ବେଗରେ ଦୌଡ଼ିପାରେ; କିନ୍ତୁ ସେ କାଳରେ ୧୨ ମାଇଲ ବେଗରେ ଦୌଡ଼ୁଥିବା ମଟର ପୁରସ୍କାର ପାଇବାର ଉପଯୁକ୍ତ ହୋଇଥିଲା । ୧୯୦୨ ଖ୍ରୀଷ୍ଟାବ୍ଦରେ ପାରିସ୍‌ଠାରୁ ବର୍ଲିନ୍‌ ପର୍ଯ୍ୟନ୍ତ ଯାଇଥିବା ପଥରେ ପୁଣି ଯେଉଁ ପ୍ରତିଯୋଗିତା ହେଲା, ସେଥିରେ ୫୦ଟା ଘୋଡ଼ାଗାଡ଼ି ବଳର ଖଣ୍ଡେ ନାପିୟାର୍‌ ମଟରଗାଡ଼ି ସାହାଯ୍ୟରେ ଏଜ୍‌ ନାମରେ ଜଣେ ଇଂରେଜ ପ୍ରଥମ ପୁରସ୍କାର ଲାଭ କରିଥିଲେ । ପ୍ରଥମେ ନିଦା ରବରରେ ମଟରଗାଡ଼ି ଚକରେ ବ୍ୟବହୃତ ଟାୟାର ନିର୍ମିତ ହେଉଥିଲା । ଏବେ ମଧ୍ୟ ମଟର ଲରୀ ଓ ଅନ୍ୟାନ୍ୟ ଭାରି ଗାଡ଼ିରେ ନିଦା ରବର ଟାୟାର ବ୍ୟବହୃତ ହୁଏ । ପରେ ବାୟୁପୂର୍ଣ୍ଣ ଟାୟାର ବ୍ୟବହୃତ ହେବାରୁ ମଟରରେ ଯିବା ଆସିବା କରିବା ଶତଗୁଣରେ ଶାନ୍ତିପ୍ରଦ ଓ ସୁବିଧାଜନକ ହୋଇଅଛି । ଆହୁରି ମଧ୍ୟ କ୍ରମେ ରାସ୍ତାର ଉନ୍ନତି ହେବାରୁ ମଟର ଚାଲିବା ଏବେ ଅପେକ୍ଷାକୃତ ନିରାପଦ ହୋଇ ଆସୁଅଛି ।

 

ପ୍ରଥମାବସ୍ଥାରେ ମଟର ଇଞ୍ଜିନ୍‌ ଚାଲିବାବେଳେ ତାହାର ଭିନ୍ନ ଭିନ୍ନ ଅଂଶ ନିଆଁପରି ତାତି ଯାଉଥିଲା ଏବଂ ବେଳେ ବେଳେ ଇଞ୍ଜିନ୍‌ର ବିଭିନ୍ନ ଅଂଶ ମଧ୍ୟ ଅତିରିକ୍ତ ତାପ ହେତୁରୁ ଫାଟି ଯାଉଥିଲା । ପରେ ସମୁଦାୟ ଇଞ୍ଜିନ୍‌କୁ ତୈଳାକ୍ତ କରିବାର ବ୍ୟବସ୍ଥା କରାଯିବାରୁ ତାହା ଆଉ ଉତ୍ତପ୍ତ ହୋଇପାରୁ ନାହିଁ । ସେ କାଳରେ ମଟରଗାଡ଼ିର ଇଞ୍ଜିନରୁ ଗାଡ଼ିର ପଛ ଚକ ଦୁଇଟିରେ ଶକ୍ତି ସଞ୍ଚାଳିତ କରିବା ପାଇଁ ଏକପ୍ରକାର ଦୃଢ଼ଶିକୁଳି ବ୍ୟବହୃତ ହେଉଥିଲା; କିନ୍ତୁ ଆଜିକାଲି ଶିକୁଳି ପରିବର୍ତ୍ତରେ ଗୋଟିଏ ପରିଚାଳକ ଲୌହଦଣ୍ଡ ବ୍ୟବହୃତ ହେଉଅଛି । ଏହି ଲୌହଦଣ୍ଡଟି ଇଞ୍ଜିନ୍‌ ଦେହରେ ସଂଯୁକ୍ତ ହୋଇ ପଛ ଚକ ଦୁଇଗୋଟିର ଅଖ ମଝିରେ ଆଉ ଗୋଟିଏ ଦନ୍ତଯୁକ୍ତ ଚକ ସଙ୍ଗେ ଖୁବ୍‌ ଦୃଢ଼ଭାବରେ ସଂଲଗ୍ନ ଥାଏ । ତେଣୁ ପଛ ଅଖ ମଝିରେ ଥିବା ଦନ୍ତଯୁକ୍ତ ଚକ ସାହାଯ୍ୟରେ ଗାଡ଼ିକୁ ବୁଲାଇଲାବେଳେ ମଟର ଇଞ୍ଜିନ୍‌ ପଛ ଚକ ଉପରେ ପ୍ରୟୋଜନାନୁରୂପ ଶକ୍ତି ପ୍ରୟୋଗ କରିପାରେ । କ୍ରମେ କ୍ରମେ ବୁଦ୍ଧିବଳରେ ମନୁଷ୍ୟ ନାନାଭାବରେ ମଟର ଇଞ୍ଜିନ୍‌ର ଉନ୍ନତି କରି ପୃଥିବୀରେ ଗୋଟିଏ ନବଯୁଗର ପ୍ରବର୍ତ୍ତନ କରି ପାରିଅଛି ।

 

ଆଜିକାଲି ମଟରଗାଡ଼ି ସାହାଯ୍ୟରେ ସୁଦୂର ପଲ୍ଲୀଗ୍ରାମମାନଙ୍କୁ ବାଣିଜ୍ୟ ଦ୍ରବ୍ୟ ସବୁ ଅକ୍ଳେଶରେ ନିଆ ଯାଉଅଛି ଏବଂ ପଲ୍ଲୀର ଉତ୍ପନ୍ନ ବସ୍ତୁସବୁ ସହରକୁ ଆସୁଅଛି । ଯୁଦ୍ଧବେଳେ ସୈନ୍ୟମାନଙ୍କୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିବାରେ ଓ ରସଦ୍‌ ଯୋଗାଇବାରେ ମଟରଗାଡ଼ି ମନୁଷ୍ୟର ବହୁ ଉପକାର କରୁଅଛି ।

 

ଇଉରୋପ ଓ ଆମେରିକାର ଅନେକ ସ୍ଥାନରେ ମଟରଗାଡ଼ି ତିଆରି ହେବାର ବଡ଼ ବଡ଼ କାରଖାନା ପ୍ରତିଷ୍ଠିତ ହୋଇଅଛି ଓ ତହିଁରୁ ପ୍ରତ୍ୟହ ଶତ ଶତ ମଟର ନିର୍ମିତ ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳରେ ଅପେକ୍ଷାକୃତ ସୁଲଭ ମୂଲ୍ୟରେ ବିକା ହେଉଅଛି ।

 

ବିନା ପେଟ୍ରୋଲ ଇଞ୍ଜିନ୍‌ରେ କେବଳ ଷ୍ପ୍ରିଙ୍ଗ୍‌ ସାହାଯ୍ୟରେ ମଟର ଚଳାଇବାକୁ ମନୁଷ୍ୟ ଏବେ ଚେଷ୍ଟା କରୁଅଛି ଆଶା କରାଯାଏ, କିଛି ଦିନ ପରେ ମନୁଷ୍ୟ ସେଭଳି ମଟର ଉଦ୍ଭାବନ କରି ପୃଥିବୀରେ ଆହୁରି ସୁଖ ସୌଭାଗ୍ୟ ଭୋଗ କରିବ ।

 

ପ୍ରଶ୍ନ

 

୧.

ମଟରଗାଡ଼ିର ପ୍ରଥମ ଉଦ୍ଭାବକ କିଏ ? ସେ କିପରି କୌଶଳରେ ଏହି ଗାଡ଼ି ପ୍ରଥମେ ଚଳାଇଥିଲେ ?

୨.

ପରବର୍ତ୍ତୀ କାଳରେ ମଟର ଗାଡ଼ିର କିଭଳି ଉନ୍ନତି ହୋଇଅଛି ?

୩.

ରେଳଗାଡ଼ି ଓ ମଟରଗାଡ଼ି ମଧ୍ୟରେ କେଉଁଟି ବିଶେଷ ସୁବିଧାଜନକ ଓ କାହିଁକି ?

Image

 

ଡାକ ବିଭାଗର ଇତିହାସ

 

ଆଜିକାଲି ଆମେ ଘରେ ବସି ପ୍ରତିଦିନ ଅନ୍ୟ ସ୍ଥାନରୁ ଚିଠି, ଖବରକାଗଜ ପ୍ରଭୃତି ପାଉଅଛୁ ଓ ଅନ୍ୟ ସ୍ଥାନକୁ ଚିଠି ପ୍ରଭୃତି ଦେଉଅଛୁଁ; ସେଠାରେ ତାହା ମଧ୍ୟ ଲୋକେ ନିର୍ଦ୍ଦିଷ୍ଟ ସମୟରେ ପାଉଅଛନ୍ତି । ଏ ଦେଶରେ ଇଂରେଜ ରାଜତ୍ୱ ହେବା ପୂର୍ବରୁ ଲୋକଙ୍କର ଏପରି ସୁବିଧା ନ ଥିଲା । ଯେଉଁ ଆତ୍ମୀୟସ୍ୱଜନମାନେ ବିଦେଶକୁ ଯାଉଥିଲେ, ସେମାନେ ଯେବେ ନିଜେ ଫେରି ଆସୁ ନ ଥିଲେ, ତେବେ ତାଙ୍କର ଖବର ଆଉ ଜଣାଯାଉ ନ ଥିଲା । ଏକାଳ ଓ ସେକାଳ ଭିତରେ କେତେ ପ୍ରଭେଦ !

 

ଇଂରେଜମାନଙ୍କ ଆସିବା ପୂର୍ବେ ଏଦେଶରେ ମୁସଲମାନମାନେ ରାଜା ହୋଇଥିଲେ । କୌଣସି କୌଣସି ମୁସଲମାନ ସମ୍ରାଟଙ୍କ ସମୟରେ ଡାକ ନେବା ଆଣିବାର ବ୍ୟବସ୍ଥା ହୋଇଥିଲା; ମାତ୍ର ସେଥିରେ ସରକାରୀ ଡାକ ଛଡ଼ା ସାଧାରଣ ଲୋକଙ୍କ ଡାକ ଯାଉ ନ ଥିଲା । ରାଜ୍ୟ ମଧ୍ୟରେ ଭଲ ସଡ଼କ ବି ନ ଥିଲା । ଯେଉଁ କେତେ ଗୋଟି ସଡ଼କ ଥିଲା, ତହିଁରେ ପ୍ରତି ୪ ମାଇଲ ଦୂରରେ ଗୋଟିଏ ଗୋଟିଏ ଘୋଡ଼ା ରହୁଥିଲେ । ଯେଉଁ ବାଟରେ ଘୋଡ଼ା ଦୌଡ଼ି ପାରିବେ ନାହିଁ, ସେ ବାଟରେ ପ୍ରତି ଏକ ମାଇଲ ଦୂରରେ ଜଣେ ଜଣେ ମନୁଷ୍ୟ ରହି ଡାକ ନେବା ଆଣିବା କରୁଥିଲେ । ଏହି ମନୁଷ୍ୟମାନଙ୍କୁ ହରକରା କୁହାଯାଉଥିଲା ।

 

ପ୍ରସିଦ୍ଧ ପଠାଣ ସମ୍ରାଟ ଶେରସାହ ଘୋଡ଼ାଡ଼ାକ ଚଳାଇବାପାଇଁ ବଙ୍ଗଦେଶରୁ ପଞ୍ଜାବ ଯାଏ ପ୍ରାୟ ଦୁଇ ହଜାର ମାଇଲ ଦୀର୍ଘ ଗୋଟିଏ ସଡ଼କ ତିଆରି କରାଇଥିଲେ । ଆକ୍‌ବର ବାଦଶାହ ଏହି ପ୍ରଥାର ଉନ୍ନତି କରି ସଡ଼କରେ ପ୍ରତି ୧୦ ମାଇଲ ଅନ୍ତରରେ ଗୋଟିଏ ଲେଖାଏଁ ଡାକଘର ବସାଇଥିଲେ; ମାତ୍ର ଏଥିରେ କେବଳ ରାଜଦରବାରର ଚିଠିପତ୍ର ଯିବା ଆସିବା କରୁଥିଲା-। ଇଷ୍ଟଇଣ୍ଡିଆ କମ୍ପାନୀଙ୍କ ରାଜତ୍ୱରେ କ୍ଳାଇବ ମଧ୍ୟ କମ୍ପାନୀଙ୍କ ବ୍ୟବସାୟ ଓ ଶାସନ ବିଷୟକ ଚିଠିପତ୍ର ଏହି ରୀତିରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠଇବାର ବ୍ୟବସ୍ଥା କରିଥିଲେ । ଯେଉଁ ବାଟରେ ଡାକ ଯିବା ଆସିବା କରୁଥିଲା, ସେହି ବାଟର ଦୁଇ ପାଖରେ ଥିବା ଜମିଦାରମାନେ ହରକରା ଯୋଗାଉଥିଲେ । କମ୍ପାନୀଙ୍କ ପ୍ରଥମ ଗଭର୍ଣ୍ଣର ଜେନେରାଲ ଉଆରେନ୍‌ ହେଷ୍ଟିଙ୍ଗସ୍‌ ସାଧାରଣ ଲୋକଙ୍କ ଚିଠିପତ୍ର ସକାଶେ ପ୍ରଥମେ ଡାକ ପ୍ରଥା ପ୍ରବର୍ତ୍ତିତ କଲେ । ସେତେବେଳେ ପ୍ରତି ୧୦୦ ମାଇଲ ଦୂରକୁ ୧ ତୋଳା ଓଜନର କୌଣସି ଚିଠି ପଠାଇବାକୁ ହେଲେ ଦୁଇ ଅଣା ଡାକଖର୍ଚ୍ଚ ଦେବାକୁ ପଡ଼ୁଥିଲା । ପୁରୀରୁ କଲିକତା ପ୍ରାୟ ୩୦୦ ମାଇଲ; ତେଣୁ ତୋଳାଏ ଓଜନର ଖଣ୍ଡେ ଚିଠି କଲିକତା ପଠାଇଲେ ସେଥିପାଇଁ ପୁରୀ ଲୋକକୁ ଟ ୦ । ୩ ମାସୁଲ ଦେବାକୁ ପଡ଼ୁଥିଲା । ବର୍ତ୍ତମାନ ତିନି ପଇସା ବା ଚାରି ପଇସାରେ ସେ କାର୍ଯ୍ୟ ହେଉଅଛି । ସେତେବେଳେ ଡାକ ଟିକେଟ୍‌ ସୃଷ୍ଟ ହୋଇ ନ ଥିଲା । ତେଣୁ ଯେଉଁ କର୍ମଚାରୀଙ୍କୁ ଚିଠି ଦେବାକୁ ହେଉଥିଲା, ତାଙ୍କ ପାଖରେ ମାସୁଲ ଦାଖଲ କରି ରସିଦ ନେବାକୁ ପଡ଼ୁଥିଲା । ଏହି ସୁଯୋଗରେ କେତେକ ବଡ଼ଲୋକ ମଧ୍ୟ ନିଜେ ନିଜେ ଘରୋଇ ଡାକ ଚଳାଇ ବେଶ୍‌ ରୋଜଗାର କରୁଥିଲେ । ମାତ୍ର ୧୮୩୭ ମସିହାରେ କମ୍ପାନୀ ଆଇନ ବଳରେ ଏହି ଘରୋଇ ଡାକପ୍ରଥା ବନ୍ଦ କରାଇଦେଇ ନିଜ ଡାକପ୍ରଥାକୁ ବଜାୟ ରଖିଲେ । ପ୍ରଧାନ ସଡ଼କରେ ଏହି କାର୍ଯ୍ୟ ଦେଖିବା ପାଇଁ କମ୍ପାନୀ କର୍ମଚାରୀ ନିଯୁକ୍ତ କରିଥିଲେ; କିନ୍ତୁ ପଲ୍ଲୀଗ୍ରାମମାନଙ୍କରେ ଜମିଦାରମାନଙ୍କ ଉପରେ ସେ ଭାର ଥିଲା ।

 

କମ୍ପାନୀଙ୍କ ଅମଳରେ ପ୍ରାୟ ୨୦ ବର୍ଷ ଏହି ରୀତିରେ କାମ ଚଳିଲା । ୧୮୫୩ ଖ୍ରୀଷ୍ଟାବ୍ଦରେ ଲର୍ଡ ଡେଲ୍‌ହାଉସିଙ୍କ ଶାସନକାଳରେ ପ୍ରଥମେ ଡାକଟିକେଟ୍‌ ଚଳିଲା । ସେ ଏ ଦେଶ ଡାକବିଭାଗର ଅମୂଳ ସଂସ୍କାର କରି ଡାକଘର କାମ ଚଳିବା ପାଇଁ ନୂଆ ଆଇନ୍‌ ଜାରି କଲେ । ଦୂରତ୍ୱ ଅନୁସାରେ ମାସୁଲ ଦେବା ପ୍ରଥା ବନ୍ଦ କରାଇ ଦେଇ ଭାରତବର୍ଷର ଯେ କୌଣସି ସ୍ଥାନକୁ ଚିଠି ଦେଲେ ସମାନ ମାସୁଲ ଦେବାକୁ ହେବ ବୋଲି ସ୍ଥିର କରିଦେଲେ ।

 

ଡେଲହାଉସିଙ୍କ ଏହି ନିୟମ ଆଜିଯାଏ ଏ ଦେଶରେ ଚଳୁଅଛି । ସେ ଡାକ ମାସୁଲର ପରିମାଣ କମାଇ ଦେଇ ସୁଉକି ଓଜନର ଚିଠି ସକାଶେ ଦୁଇ ପଇସା ମାସୁଲ ସ୍ଥିର କରିଥିଲେ । ୧୮୬୯ ଖ୍ରୀଷ୍ଟାବ୍ଦରେ ସରକାର ଏହି ମାସୁଲ ଆହୁରି କମାଇ ଦେଇ ଅଧତୋଳା ଓଜନର ଚିଠି ସକାଶେ ସେହି ଦୁଇ ପଇସା ମାସୁଲ ନିର୍ଦ୍ଧାରିତ କରିଦେଲେ । ପ୍ରଥମେ ଖୋଲାଚିଠି ପାଇଁ ଯେଉଁ ପୋଷ୍ଟକାର୍ଡ ଓ ଗୋପନ ଚିଠି ପାଇଁ ଯେଉଁ ଲଫାଫା ସୃଷ୍ଟି ହୋଇଥିଲା ତାହାର ଆକୃତି ଆଜିକାଲିକା ପୋଷ୍ଟକାର୍ଡ ଓ ଲଫାଫା ଅପେକ୍ଷା ଅନେକ ଛୋଟ ଥିଲା । କିଛି ଦିନ ପରେ ରିପ୍‌ଲାଇ କାର୍ଡ ଚଳିଲା; ତାହାର ମୂଲ୍ୟ ଥିଲା ଦୁଇ ପଇସା । କ୍ରମେ ପୋଷ୍ଟକାର୍ଡ ଓ ଲଫାପାର ଦାମ୍‌ ବଢ଼ି ଏବେ ଯଥାକ୍ରମେ ତିନି ପଇସା ଓ ଚାରି ପଇସା ଧାର୍ଯ୍ୟ ହୋଇଅଛି ।

 

ଡେଲହାଉସିଙ୍କ ଅମଳରେ ପ୍ରଥମେ ତାର ଡାକର ସୃଷ୍ଟି ହୋଇଥିଲା । ମୋଟ ଉପରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ବର୍ତ୍ତମାନ ଆମ୍ଭେମାନେ ଡାକ ବିଭାଗର ଯେଉଁସବୁ ସୁବିଧା ଭୋଗ କରୁଅଛୁଁ, ଲର୍ଡଡେଲ୍‌ହାଉସିହିଁ ତାହାର ଜନ୍ମଦାତା । ଏବେ ଏ ଦେଶରେ ଡାକବିଭାଗରେ ବହୁସଂଖ୍ୟକ ଲୋକ କାମ କରୁଅଛନ୍ତି ଏବଂ ସହର ଓ ମଫସଲରେ ଅନେକ ଡାକଘର ବସିଅଛି । ଆଗେ ହରକରାମାନେ ଡାକ ବୁହାଉଥିଲେ; କିନ୍ତୁ ଆଜିକାଲି ଅଳ୍ପ ସ୍ଥାନରେ ଏପରି କରାଯାଉଅଛି । ଅଧିକାଂଶ ସ୍ଥାନରେ ମଟର ବା ଟ୍ରେନ୍‌ ଯୋଗେ ଡାକ ଯିବାଆସିବା କରୁଅଛି । ଦୂରବର୍ତ୍ତୀ ଦେଶମାନଙ୍କୁ ଏବେ ବ୍ୟୋମଯାନରେ ମଧ୍ୟ ଡାକ ଗଲାଣି । ୧୮୮୦ ଖ୍ରୀଷ୍ଟାବ୍ଦରୁ ମନିଅର୍ଡରଦ୍ୱାରା ଟଙ୍କା ପଠାଯାଉଅଛି । ୧୮୮୫ ଖ୍ରୀଷ୍ଟାବ୍ଦରୁ ସେଭିଂସବ୍ୟାଙ୍କରେ ଟଙ୍କା ଜମା କରିବାର ବ୍ୟବସ୍ଥା ହୋଇଅଛି । ଏହାଛଡ଼ା ଡାକବିଭାଗଦ୍ୱାରା ଲୁଗା, ବହିପତ୍ର, ସୁନା, ରୂପା ଔଷଧ ପ୍ରଭୃତି ନାନାପ୍ରକାର ବସ୍ତୁ ପାର୍ଶଲରେ ଏକସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛି । ଏହିପରି ଆଲୋଚନା କଲେ ଜଣାଯିବ ଯେ, ଡାକ ବିଭାଗଦ୍ୱାରା ଏ ଯୁଗରେ ଆମ୍ଭମାନଙ୍କର ନାନା ପ୍ରକାର ଉପକାର ହେଉଅଛି-

 

ପ୍ରଶ୍ନ

 

୧.

ଦୂରତା ଅନୁସାରେ ଯେବେ ଡାକଘରେ ଚିଠିପତ୍ର ପାଇଁ ମାସୁଲ ପଡ଼ୁଥାଆନ୍ତା, ତେବେ ଆମ୍ଭମାନଙ୍କର କିପରି ଅସୁବିଧା ହୁଅନ୍ତା ?

୨.

ଇଂରେଜ ରାଜତ୍ୱ ପୂର୍ବେ ଏ ଦେଶରେ କିପରି ରୀତିରେ ଡାକ ଯାଉଥିଲା ?

୩.

ମଫସଲଠାରୁ ସହରରେ ଡାକଘରର କି ବିଶେଷ ସୁବିଧା ମିଳେ ?

Image

 

ଯିଶୁ ଖ୍ରୀଷ୍ଟ

 

ବର୍ତ୍ତମାନ ପୃଥିବୀରେ ବହୁସଂଖ୍ୟକ ଲୋକ ଖ୍ରୀଷ୍ଟିୟାନ୍‌ ବା ଯିଶୁଖ୍ରୀଷ୍ଟଙ୍କ ଧର୍ମମତ ମାନନ୍ତି । ଆଜିକାଲି ଯେଉଁ ୧୯୪୦ ଖ୍ରୀଷ୍ଟାବ୍ଦ ଚଳୁଅଛି, ତାହା ଯିଶୁଙ୍କ ଜନ୍ମ ସମୟରୁ ଗଣା ଯାଉଅଛି; ତେଣୁ ତାଙ୍କର ଜନ୍ମ ହେବାର ପ୍ରାୟ ଦୁଇହଜାର ବର୍ଷ ହୋଇଗଲାଣି ।

 

ଆମ ଭାରତବର୍ଷର ପଶ୍ଚିମରେ ପାଲେଷ୍ଟାଇନ ନାମରେ ଗୋଟିଏ ରାଜ୍ୟ ଅଛି । ସେହି ରାଜ୍ୟର ବେଥଲହେମ ନାମକ ନଗରରେ ଯିଶୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ମେରୀ ଓ ପିତାଙ୍କ ନାମ ଯୋସେଫ୍‌ । ପିତା ବଢ଼େଇ କାମ କରି ଜୀବିକା ନିର୍ବାହ କରୁଥିଲେ । ବାଲ୍ୟକାଳରୁ ଯିଶୁ ଧର୍ମପରାୟଣ ଥିଲେ; ଈଶ୍ୱର ଚିନ୍ତାରେ ତାଙ୍କର ଅଧିକାଂଶ ସମୟ ଅତିବାହିତ ହେଉଥିଲା । ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସେ ପିତାଙ୍କୁ ତାଙ୍କ ବ୍ୟବସାୟରେ ସାହାଯ୍ୟ କରୁଥିଲେ ।

 

ସେତେବେଳେ ଇହୁଦୀ ଧର୍ମ ସେ ଦେଶରେ ଚଳୁଥିଲା । ୧୪ ବର୍ଷ ବୟସରେ ଯିଶୁ ଇହୁଦୀ ଧର୍ମଗ୍ରନ୍ଥ ପାଠ କରି ଆଲୋଚନା କଲେ । ପରେ ଜନ୍‌ ନାମକ ଜଣେ ପ୍ରସିଦ୍ଧ ଧର୍ମାଚାର୍ଯ୍ୟଙ୍କ ଶିଷ୍ୟ ହୋଇ ଧର୍ମର ଗୂଢ଼ତତ୍ତ୍ୱମାନ ତାଙ୍କଠାରୁ ବୁଝିଲେ ଏବଂ ତାଙ୍କ ଉପଦେଶ ଅନୁସାରେ ବନ ମଧ୍ୟରେ ବହୁକାଳ ଯାଏ ତପସ୍ୟା କଲେ; ଶେଷରେ ତାଙ୍କ ମନରେ ଦିବ୍ୟଜ୍ଞାନ ଜାତ ହେଲା । ସେ ସ୍ୱର୍ଗରାଜ୍ୟର ଦୂତରୂପେ ଲୋକମାନଙ୍କ ମଧ୍ୟରେ ସତ୍ୟ ଧର୍ମ ପ୍ରଚାର କରିବାରେ ଲାଗିଲେ । ତାଙ୍କର ପବିତ୍ର ଉପଦେଶ ଶୁଣି ବହୁଲୋକଙ୍କ ମନରେ ଧର୍ମଭାବ ଓ ଈଶ୍ୱରବିଶ୍ୱାସ ଜାଗ୍ରତ ହୋଇ ଉଠିଲା । ତେଣୁ ପ୍ରତ୍ୟହ ଶତ ଶତ ଲୋକ ତାଙ୍କ ଉପଦେଶ ଶୁଣି କୃତାର୍ଥ ହେଉଥିଲେ । କ୍ରମେ ସେ ଦେଶ ମଧ୍ୟରେ ନାନାସ୍ଥାନରେ ବୁଲି ସତ୍ୟଧର୍ମର ପ୍ରଚାର କଲେ । ସହସ୍ର ସହସ୍ର ଲୋକ ତାଙ୍କର ଶିଷ୍ୟ ହେଲେ । ଏହି ଭାବରେ ଖ୍ରୀଷ୍ଟଧର୍ମ ପୃଥିବୀରେ ଦେଖାଦେଲା ।

 

ସେତେବେଳେ ଇହୁଦୀ ଧର୍ମର ପତନ ଆରମ୍ଭ ହୋଇଥିଲା । ପୁରୋହିତମାନେ ଧର୍ମ ନାମରେ ଲୋକଙ୍କୁ ଠକି କେବଳ ଅର୍ଥ ଉପାର୍ଜନରେ ମାତିଥିଲେ । ମିଥ୍ୟା, ଠକାମି, ଲୋଭ ଓ ହିଂସାରେ ସେ ଦେଶ ପୂରି ରହିଥିଲା । ଲୋକଙ୍କ ଦୁଃଖ ଦେଖି ଯିଶୁଙ୍କ ପ୍ରାଣ କାନ୍ଦି ଉଠିଲା । ସେ ପୁରୋହିତମାନଙ୍କ ଦୋଷ ଦେଖାଇ ତହିଁରୁ ନିବୃତ୍ତ ହେବା ପାଇଁ ସେମାନଙ୍କୁ ଉପଦେଶ ଦେଲେ । ମାତ୍ର ପୁରୋହିତମାନେ ସ୍ୱାର୍ଥନାଶ ଦେଖି ଯିଶୁଙ୍କ ଅନିଷ୍ଟ କରିବାକୁ ସର୍ବଦା ଜଗି ରହିଲେ ।

 

ଦେଶ ମଧ୍ୟରେ ଯିଶୁଙ୍କ ଉପରେ ଲୋକଙ୍କର ଅସାଧାରଣ ଭକ୍ତି ଓ ବିଶ୍ୱାସ ଦେଖି ଇହୁଦୀ ପୁରୋହିତମାନଙ୍କ ମନରେ ଭାରି ଈର୍ଷା ଜାତ ହେଲା । ସେମାନେ ସୁଯୋଗ ଦେଖି ରାଜାଙ୍କ ବିଚାରାଳୟରେ ତାଙ୍କ ନାମରେ ଅଭିଯୋଗ କଲେ ଯେ, ଯିଶୁ ଇତର ଲୋକଙ୍କ ମଧ୍ୟରେ ଧର୍ମପ୍ରଚାର କରି ସମାଜରେ ବିପ୍ଳବ ଆଣୁଛନ୍ତି ଏବଂ ନୂତନ ଧର୍ମ ପ୍ରଚାର କରୁଅଛନ୍ତି । ଅନ୍ୟାୟ ବିଚାରରେ ତାଙ୍କର ପ୍ରାଣଦଣ୍ଡ ଆଦେଶ ହେଲା । ଶତ୍ରୁମାନେ ଯେତେବେଳେ କ୍ରୁଶ୍‌ ନାମକ ଯନ୍ତ୍ରରେ ତାଙ୍କୁ ବଡ଼ ଛଟପଟ କରି ମାରୁଥିଲେ, ସେତେବେଳେ ସେହି ମହାପୁରୁଷ କହୁଥିଲେ, ‘‘ହେ ପିତା, ଏମାନେ କଣ କରୁଅଛନ୍ତି ବୁଝିପାରୁ ନାହାନ୍ତି । ଏମାନଙ୍କୁ କ୍ଷମା ଦିଅ ।’’ ଯିଶୁ ଯେଉଁ ଦିନ ପ୍ରାଣତ୍ୟାଗ କରିଥିଲେ, ତାକୁ ‘ଗୁଡ୍‌ଫ୍ରାଇଡେ’ କୁହାଯାଏ । ଗୁଡ୍‌ ଫ୍ରାଇଡେ ଖ୍ରୀଷ୍ଟିୟାନମାନଙ୍କର ଗୋଟିଏ ବଡ଼ ପର୍ବ ।

 

ଯିଶୁ ବହୁକାଳ ହେଲା ପୃଥିବୀରୁ ବିଦାୟ ନେଇ ଯାଇଅଛନ୍ତି; କିନ୍ତୁ ତାଙ୍କର ସୁନ୍ଦର ପବିତ୍ର ଉପଦେଶ ପୃଥିବୀର ପ୍ରତ୍ୟେକ ଦେଶର ଲୋକଙ୍କ ହୃଦୟକୁ ଆଲୋକିତ କରୁଅଛି ।

 

ପ୍ରଶ୍ନ

 

୧.

ଯିଶୁ କି ହେତୁରୁ ଇହୁଦୀ ପୁରୋହିତମାନଙ୍କ ବିଷଦୃଷ୍ଟିରେ ପଡ଼ିଥିଲେ ?

୨.

ବର୍ତ୍ତମାନ ପୃଥିବୀର କେଉଁ କେଉଁ ଦେଶର ଲୋକେ ଯିଶୁଙ୍କ ଧର୍ମ ଅବଲମ୍ବନ କରିଅଛନ୍ତି-?

୩.

ଯିଶୁଙ୍କ ମୃତ୍ୟୁ ସମୟର ପ୍ରାର୍ଥନାରୁ ତାଙ୍କର କେଉଁ ଗୁଣର ପରିଚୟ ମିଳୁଅଛି ?

Image

 

ଆମ ଦେଶର ଶାସନପ୍ରଣାଳୀ

 

ଆମ ଭାରତ ଗୋଟିଏ ପ୍ରାଚୀନ ଦେଶ; ଅତି ପ୍ରାଚୀନ କାଳରେ ଏହି ଦେଶର ଲୋକମାନେ ସଭ୍ୟ ଓ ଶିକ୍ଷିତ ହୋଇଥିଲେ । ଶାସନପ୍ରଣାଳୀ ଉନ୍ନତ ନ ହେଲେ କୌଣସି ଦେଶ ଶିକ୍ଷିତ ବା ସଭ୍ୟ ହୋଇ ନ ପାରେ; ତେଣୁ ଜଣାଯାଉଅଛି ଯେ, ଆଗେ ଆମ ଦେଶର ଶାସନପ୍ରଣାଳୀ ଭଲ ଥିଲା । ପ୍ରାଚୀନ ଭାରତର ବିଭିନ୍ନ ପ୍ରଦେଶରେ ଜଣେ ଜଣେ ରାଜା ରାଜତ୍ୱ କରୁଥିଲେ । ଅତି ଅଳ୍ପ ରାଜା ସମୁଦାୟ ଭାରତବର୍ଷକୁ ଜୟ କରି ଏକ ଶାସନରେ ରଖିଥିଲେ । ଭିନ୍ନ ଭିନ୍ନ ପ୍ରଦେଶ ଭିନ୍ନ ଭିନ୍ନ ନିୟମରେ ଶାସିତ ହେଉଥିଲା; ରାଜାମାନେ ସେ ସବୁ ଶାସନର ନିୟମ ନିଜେ ତିଆରି କରୁଥିଲେ । ପ୍ରଜାମାନଙ୍କର ଶାସନ ଆଇନ ତିଆରି କରିବାରେ ହାତ ନ ଥିଲା । ତେବେ ପୂର୍ବକାଳରେ କୌଣସି କୌଣସି ପ୍ରଦେଶର ରାଜାମାନେ ରାଜ୍ୟବାସୀ ବିଦ୍ୱାନ୍‌ ଓ ବୁଦ୍ଧିମାନ୍‌ ଲୋକଙ୍କ ପରାମର୍ଶ ନେଇ ଶାସନକାର୍ଯ୍ୟ କରୁଥିଲେ ।

 

ହିନ୍ଦୁ ରାଜାମାନଙ୍କ ପରେ ମୁସଲମାନ୍‌ମାନେ ଏ ଦେଶରେ ରାଜତ୍ୱ କରିଥିଲେ । ଆକବରଙ୍କ ଭଳି ଅତି ଅଳ୍ପ ସଂଖ୍ୟକ ମୁସଲ୍‌ମାନ ରାଜା ଭାରତବର୍ଷର ଅଧିକାଂଶ ପ୍ରଦେଶକୁ ଏକ ଶାସନ ନିୟମରେ ଚଳାଉଥିଲେ । ମୁସଲମାନ୍‌ ସମ୍ରାଟ୍‌ମାନେ ମଧ୍ୟ ନିଜ ଇଚ୍ଛା ଅନୁସାରେ ଆଇନ ତିଆରି କରି ସେହି ଆଇନ ଅନୁସାରେ ଚଳିବା ପାଇଁ ଲୋକଙ୍କୁ ବାଧ୍ୟ କରୁଥିଲେ ।

 

ପ୍ରାୟ ଦୁଇ ଶହ ବର୍ଷ ହେଲା ଏ ଦେଶ ଇଂରେଜମାନଙ୍କ ଅଧୀନ ହୋଇଅଛି; କିନ୍ତୁ ସମୁଦାୟ ଭାରତବର୍ଷ ଇଂରେଜମାନଙ୍କ ପ୍ରତ୍ୟକ୍ଷ ଶାସନରେ ନାହିଁ । ବଡ଼ ସାନ ଅନେକ ଦେଶୀୟ ରାଜ୍ୟରେ ସେ ଦେଶର ପ୍ରାଚୀନ ରାଜାଙ୍କ ବଂଶଧରମାନେ ଅଦ୍ୟାବଧି ରାଜତ୍ୱ କରୁଅଛନ୍ତି । ଭିନ୍ନ ଭିନ୍ନ ଦେଶୀୟ ରାଜ୍ୟରେ ଭିନ୍ନ ଭିନ୍ନ ଆଇନ ଚଳେ । ଦେଶର ରାଜାମାନେ ନିଜ ନିଜ ଦେଶ ପାଇଁ ଆଇନ ତିଆରି କରନ୍ତି । କୌଣସି କୌଣସି ଦେଶୀୟ ରାଜ୍ୟର ରାଜା ଆଇନ ତିଆରି କଲାବେଳେ ତାଙ୍କ ଦେଶର ବିଦ୍ୱାନ୍‌ ଓ ବୁଦ୍ଧିମାନ ଲୋକଙ୍କର ପରାମର୍ଶ ମଧ୍ୟ ଗ୍ରହଣ କରନ୍ତି ।

 

ଇଷ୍ଟଇଣ୍ଡିଆ କମ୍ପାନୀ ଏ ଦେଶ ଶାସନ କରିବା ପାଇଁ ପ୍ରଥମେ ଜଣେ ଗଭର୍ଣ୍ଣର ଜେନେରାଲ୍‌ ନିଯୁକ୍ତ କରିଥିଲେ । ତାଙ୍କର ଗୋଟିଏ ସଭା ଥିଲା; ସେହି ସଭାର ସଭ୍ୟମାନଙ୍କ ପରାମର୍ଶରେ ସେ ଦେଶ ଶାସନ ପାଇଁ ଆଇନ ତିଆରି କରୁଥିଲେ । ପ୍ରଥମ ଗଭର୍ଣ୍ଣର ଜେନେରାଲ ଉଆରେନ୍‌ ହେଷ୍ଟିଂସ୍‌ ଇଂରେଜ ଅଧିକୃତ ରାଜ୍ୟକୁ କେତେଗୁଡ଼ିଏ ଜିଲାରେ ବିଭକ୍ତ କରି ପ୍ରତି ଜିଲାର ଶାସନକାର୍ଯ୍ୟ ଚଳାଇବା ପାଇଁ ଜଣେ ଜଣେ କଲେକ୍‌ଟର ନିଯୁକ୍ତ କରିଥିଲେ । କେତେଗୁଡ଼ିଏ ଜିଲା ମିଶି ଗୋଟିଏ ଗୋଟିଏ ବିଭାଗ ହୋଇଥିଲା ଓ ପ୍ରତ୍ୟେକ ବିଭାଗ ଜଣେ ଜଣେ କମିଶନରଙ୍କ ଅଧୀନ ଥିଲା । ଏ ପ୍ରଥା ଆଜିଯାଏ ମଧ୍ୟ ପ୍ରଚଳିତ ଅଛି । ଲାଟସାହେବଙ୍କ ସଭାରେ ଯେଉଁ ଆଇନ ତିଆରି ହୁଏ, କମିଶନର ଓ କଲେକ୍‌ଟରମାନେ ତଦନୁସାରେ ଦେଶ ଶାସନ କରନ୍ତି ।

 

୧୮୫୮ ଖ୍ରୀଷ୍ଟାବ୍ଦରୁ କମ୍ପାନୀଙ୍କ ହାତରୁ ଇଂଲଣ୍ଡର ରାଜସରକାର ଏ ଦେଶରେ ଶାସନଭାର ସ୍ୱହସ୍ତରେ ଗ୍ରହଣ କରିଅଛନ୍ତି । ସୁତରାଂ ସେ ସମୟରୁ ଏ ଦେଶରେ ଯେଉଁ ଗଭର୍ଣ୍ଣର ଜେନେରାଲମାନେ ନିଯୁକ୍ତ ହେଉଅଛନ୍ତି, ସେମାନେ ଇଂଲଣ୍ଡର ରାଜା ବା ଭାରତ ସମ୍ରାଟଙ୍କ ପ୍ରତିନିଧିରୂପେ ଏ ଦେଶ ଶାସନ କରନ୍ତି । ଇଂଲଣ୍ଡ ଦେଶରେ ରାଜା ଅଛନ୍ତି, ମାତ୍ର ତାଙ୍କ ଦେଶର ଶାସନରେ ରାଜାଙ୍କର ବିଶେଷ କିଛି କ୍ଷମତା ନାହିଁ । ସେ ଦେଶର ପ୍ରଜାମାନଙ୍କର ଯେଉଁ ସଭା ଅଛି, ସେହି ସଭାର ନାମ ପାର୍ଲିଆମେଣ୍ଟ । ପାର୍ଲିଆମେଣ୍ଟ ରାଜ୍ୟ ଶାସନ ପାଇଁ ଆଇନ କରେ । ସେଥିରେ ରାଜା ବାଧା ଦେଇ ପାରନ୍ତି ନାହିଁ । ଏହି ପ୍ରକାର ଶାସନପ୍ରଣାଳୀକୁ ପ୍ରଜାତନ୍ତ୍ର ଶାସନପ୍ରଣାଳୀ କୁହାଯାଏ । ଇଉରୋପ ଓ ଆମେରିକାର ଅଧିକାଂଶ ଦେଶରେ ଏବେ ଆଉ ରାଜା ନାହାନ୍ତି । ପାର୍ଲିଆମେଣ୍ଟ ସଭା ବା ପ୍ରଜାପ୍ରତିନିଧି ସଭା ଦେଶ ଶାସନ କରନ୍ତି ।

 

ସେ ସବୁ ଦେଶ ପରି ଆମ ଦେଶରେ ପ୍ରଜାପ୍ରତିନିଧି ଶାସନ ଚଳାଇବା ପାଇଁ ଏ ଦେଶରେ ଲୋକେ ଅନେକ ଦିନରୁ ଆନ୍ଦୋଳନ ଚଳାଉଥିଲେ । ଲର୍ଡ ରିପନ୍‌ ଓ ଲର୍ଡ ମିଣ୍ଟୋ ପ୍ରଭୃତି କେତେକ ଉଦାରଚେତା ରାଜପ୍ରତିନିଧି ପ୍ରଜାପ୍ରତିନିଧି ଶାସନର ଆଦର୍ଶରୂପେ ଏ ଦେଶର ଡିଷ୍ଟ୍ରିକ୍‌ବୋର୍ଡ ଓ ମ୍ୟୁନିସିପାଲିଟି ପରିଚାଳନାର ଦାୟିତ୍ୱ ଆଗରୁ ଏ ଦେଶ ଲୋକଙ୍କ ହାତରେ ଦେଇଥିଲେ । ବହୁ ଆନ୍ଦୋଳନ ପରେ ଗଲା ୧୯୩୭ ମସିହା ଏପ୍ରିଲ ମାସ ପହିଲାରୁ ଇଂଲଣ୍ଡର ପାର୍ଲିଆମେଣ୍ଟ ସଭା ଇଂରେଜ ଅଧିକୃତ ଭାରତବର୍ଷରେ ଏକପ୍ରକାର ପ୍ରଜାପ୍ରତିନିଧି ଶାସନ ଚଳାଇବାକୁ ଆଇନ କରିଅଛନ୍ତି । ଏବେ ସେହି ଆଇନ ଅନୁସାରେ ପ୍ରଜାପ୍ରତିନିଧି ଶାସନ ଏ ଦେଶରେ ଚଳୁଅଛି ।

 

ପ୍ରଜାପ୍ରତିନିଧି ଶାସନ କାହାକୁ କହନ୍ତି, ଏ କଥା ପ୍ରଥମେ ବୁଝିବା ଆବଶ୍ୟକ । ରାଜ୍ୟବାସୀ ସମସ୍ତ ପ୍ରଜା ଏକ ସ୍ଥାନରେ ସଭା କରି ରାଜ୍ୟଶାସନ କରିପାରିବେ ନାହିଁ । ତେଣୁ ସେମାନଙ୍କ ମଧ୍ୟରେ ଯେଉଁମାନେ ଯୋଗ୍ୟ ଓ ବିଦ୍ୱାନ୍‌, ସେମାନେ ବଛା ହୋଇ ସଭାକୁ ଯାଆନ୍ତି । ଇଂରେଜ ଶାସିତ ଭାରତ ବର୍ତ୍ତମାନ ୧୧ଟି ପ୍ରଦେଶରେ ବିଭକ୍ତ ହୋଇଅଛି । ପ୍ରତ୍ୟେକ ପ୍ରଦେଶରେ ଜଣେ ଜଣେ ଶାସନକର୍ତ୍ତା ବା ଗଭର୍ଣ୍ଣର ଇଂଲଣ୍ଡ ରାଜସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଅଛନ୍ତି । ଏହି ୧୧ଟି ପ୍ରଦେଶ ମଧ୍ୟରୁ ଓଡ଼ିଶା ଗୋଟିଏ ପ୍ରଦେଶ । ଓଡ଼ିଶା ରାଜଧାନୀ କଟକ ସହରରେ ରାଜ୍ୟଶାସନ ପାଇଁ ଏବେ ଯେଉଁ ସଭା ହୋଇଅଛି, ତାହାକୁ ‘ଆସେମ୍ବ୍‌ଲି’ କହନ୍ତି । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସେ ଅଞ୍ଚଳର ଯୋଗ୍ୟତମ ଲୋକଙ୍କୁ ବାଛିବା ପାଇଁ ଭୋଟ ନିଆହୁଏ । ଯେଉଁ ଲୋକ ସବୁଠାରୁ ବେଶି ଭୋଟ ପାଆନ୍ତି, ସେହି ଲୋକ ଆସେମ୍ବ୍‌ଲି ସଭାକୁ ଆସନ୍ତି । ଆମ ଓଡ଼ିଶା ଆସେମ୍ବ୍‌ଲିର ସଭ୍ୟ ସଂଖ୍ୟା ୬୦ । ଏହି ସଭ୍ୟମାନେ ଭୋଟ ଦେଇ ଆପଣା ଭିତରୁ ତିନି ଜଣ ବିଶିଷ୍ଟ ସଭ୍ୟଙ୍କୁ ମନ୍ତ୍ରୀ କରିଅଛନ୍ତି । ମନ୍ତ୍ରୀମାନେ ଶାସନର ସମସ୍ତ କାର୍ଯ୍ୟ ଚଳାନ୍ତି । କୌଣସି ସଭ୍ୟ ଗୋଟିଏ ନୂଆ ଆଇନ ଚଳାଇବାର ପ୍ରସ୍ତାବ କଲେ, ସେ ଆଇନ ସଭାରେ ଆଲୋଚିତ ହୁଏ-। ସଭାର ଅଧିକାଂଶ ସଭ୍ୟ ଯେବେ ସେ ଆଇନ ମଞ୍ଜୁର କରନ୍ତି, ତେବେ ତାହା ଚଳିବା ପାଇଁ ଧାର୍ଯ୍ୟ ହୁଏ । ଶେଷରେ ଗଭର୍ଣ୍ଣର ମଞ୍ଜୁର ଦେଲେ ସେ ଆଇନ ଦେଶରେ ଚଳେ । ଦେଶର ଆୟ, ବ୍ୟୟ ଓ ବିଭିନ୍ନ ବିଭାଗର ପରିଚାଳନା ଏହି ଆସେମ୍ବ୍‌ଲି ସଭା ହାତରେ ଦିଆଯାଇଅଛି ।

 

ପ୍ରଜାମାନଙ୍କଠାରୁ ଖଜଣା ଆଦାୟ କରିବା କଲେକ୍‌ଟରମାନଙ୍କର ପ୍ରଧାନ କାର୍ଯ୍ୟ; ତା ଛଡ଼ା ନିଜ ନିଜ ଜିଲାରେ ଶାନ୍ତି ରଖିବା ପାଇଁ କଲେକ୍‌ଟରମାନେ ଦାୟୀ । ଏହି ଶାନ୍ତି ରଖିବା କାର୍ଯ୍ୟରେ ଦୋଷୀମାନଙ୍କୁ ଦଣ୍ଡଦେବା ପାଇଁ କଲେକ୍‌ଟରମାନେ ବିଚାର କାର୍ଯ୍ୟ ମଧ୍ୟ କରନ୍ତି । କଲେକ୍‌ଟର ରୂପେ ସେ ଖଜଣା ଆଦାୟ ବିଷୟରେ ମକଦ୍ଦମାମାନ ବୁଝନ୍ତି ଓ ମାଜିଷ୍ଟ୍ରେଟ୍‌ ରୂପେ ଶାସନରକ୍ଷା କାର୍ଯ୍ୟରେ ଦୋଷୀକୁ ଦଣ୍ଡ ଦେବାପାଇଁ ଫୌଜଦାରୀ ମକଦ୍ଦମାମାନ ମଧ୍ୟ ବୁଝନ୍ତି । ଏହିସବୁ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବାପାଇଁ ଡେପୁଟି ଓ ସବ୍‌ଡେପୁଟି କଲେକ୍‌ଟରମାନେ ମଧ୍ୟ ନିଯୁକ୍ତ ହୋଇଅଛନ୍ତି ଏବଂ ପୁଲିସ ବିଭାଗରେ ଅନେକ କର୍ମଚାରୀ ରହିଅଛନ୍ତି । ଅଦାଲତ ବା ଦେବାନି ବିଭାଗରେ କେବଳ ବିଚାର କରାଯାଏ । କଲେକ୍‌ଟରଙ୍କ ବିଚାରରେ ଅସନ୍ତୁଷ୍ଟ ହେଲେ ଲୋକେ ଜିଲା ଜଜ୍‌ଙ୍କ ପାଖରେ ଅପୀଲ କରନ୍ତି ଏବଂ ଜିଲା ଜଜ୍‌ଙ୍କ ବିଚାର ବିରୁଦ୍ଧରେ ହାଇକୋର୍ଟରେ ଅପୀଲ କରନ୍ତି ।

 

ଶାନ୍ତି ଓ ବିଚାର ବିଭାଗ ଛଡ଼ା ଶିକ୍ଷା ବିଭାଗ, ବାରିକମିସ୍ତ୍ରୀ ବିଭାଗ, ଜେଲ୍‌ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ, ଅରଣ୍ୟ ବିଭାଗ ପ୍ରଭୃତି ଆହୁରି କେତେଗୁଡ଼ିଏ ବିଭାଗ ମଧ୍ୟ ପ୍ରତ୍ୟେକ ପ୍ରଦେଶରେ ଅଛି । ମନ୍ତ୍ରୀମାନଙ୍କ ଅଧୀନ ସେକ୍ରେଟାରିମାନେ ସେ ସବୁ ବିଭାଗର କାର୍ଯ୍ୟ ଦେଖନ୍ତି ।

 

ଗଭର୍ଣ୍ଣର ଜେନେରାଲ ବା ବଡ଼ଲାଟ ସମଗ୍ର ଭାରତବର୍ଷର ଶାସନ ପାଇଁ ଦାୟୀ । ତାଙ୍କର ମଧ୍ୟ ଗୋଟିଏ ସଭା ଅଛି । କୌଣସି ଆଇନ ସମସ୍ତ ଭାରତବର୍ଷରେ ଚଳାଇବା ଦରକାର ହେଲେ ତାହା ବଡ଼ଲାଟ ସଭାରେ ମଞ୍ଜୁର ହୁଏ । ସୈନ୍ୟବିଭାଗ, ରେଲଓୟେ ବିଭାଗ, ଡାକ ବିଭାଗ, ଦେଶୀୟରାଜ୍ୟ ବିଭାଗ, ବାଣିଜ୍ୟ ବିଭାଗ, ଆୟକର ବିଭାଗ ଓ ଅନ୍ୟ ଦେଶ ସଙ୍ଗେ ଭାରତର ସମ୍ବନ୍ଧ ରଖିବା ପ୍ରଭୃତି କାର୍ଯ୍ୟ ବଡ଼ଲାଟଙ୍କ ସଭାରେ କରାଯାଏ ।

 

ପ୍ରଶ୍ନ

 

୧.

ରାଜାଙ୍କଦ୍ୱାରା ଶାସନ ଓ ପ୍ରଜାପ୍ରତିନିଧିଙ୍କ ଦ୍ୱାରା ଶାସନ ଏ ଉଭୟ ମଧ୍ୟରେ କେଉଁଟି ଭଲ ଓ କାହିଁକି ?

୨.

ଇଂଲଣ୍ଡରେ କି ରୀତିରେ ଶାସନକାର୍ଯ୍ୟ ଚଳେ ?

୩.

‘ଆସେମ୍ବ୍‌ଲି’ କାହାକୁ କହନ୍ତି ? କେଉଁମାନେ ଆସେମ୍ବ୍‌ଲି ସଭାରେ ସଭ୍ୟ ହୁଅନ୍ତି ?

୪.

ବାରିକମିସ୍ତ୍ରୀ ବିଭାଗ ଓ ଶିକ୍ଷା ବିଭାଗର କାର୍ଯ୍ୟ କଅଣ ?

Image

 

ରେଲଗାଡ଼ିର ଜନ୍ମକଥା

 

ଏ ଯୁଗରେ ଯେତେ ନୂଆ କଳ ବାହାରିଛି, ତନ୍ମଧ୍ୟରେ ରେଲଗାଡ଼ି ଦ୍ୱାରା ଆମ୍ଭମାନଙ୍କର ବେଶି ଉପକାର ହେଉଅଛି । ଯେ ପ୍ରଥମେ ଏହି ରେଲଗାଡ଼ି ଉଦ୍ଭାବନ କରିଥିଲେ ତାଙ୍କ ନାମ ଜର୍ଜ ଷ୍ଟିଫେନ୍‌ସନ୍‌ । ୧୭୮୧ ଖ୍ରୀଷ୍ଟାବ୍ଦରେ ଷ୍ଟିଫେନ୍‌ସନ୍‌ଙ୍କ ଜନ୍ମ । ପିଲାଦିନେ ସେ ଗୋରୁ ଜଗି ପେଟ ପୋଷୁଥିଲେ । ତାଙ୍କ ବାପା ନିଉକାସ୍‌ଲ କୋଇଲାଖଣିରେ ଷ୍ଟିମ୍‌ ଇଞ୍ଜିନରେ ଫାୟାରମ୍ୟାନ ବା ଅଗ୍ନିରକ୍ଷକ କାମ କରୁଥିଲେ । କିଛିଦିନ ପରେ ଷ୍ଟିଫେନ୍‌ସନ ମଧ୍ୟ ସେଇ କୋଇଲାଖଣିରେ ମୂଲିଆ କାମ କଲେ । ସେ ଲେଖା ପଢ଼ା ଶିଖି ନ ଥିଲେ । ୧୮ ବର୍ଷ ବୟସରେ ଗୋଟିଏ ନୈଶ ବିଦ୍ୟାଳୟରେ ଭର୍ତ୍ତି ହୋଇ ବିଭିନ୍ନ ଯନ୍ତ୍ରର କୌଶଳ ସମ୍ବନ୍ଧରେ ମନୋଯୋଗ ସହକାରେ ସେ କେତେକ କଥା ଶିଖିଥିଲେ । ତତ୍ପରେ ପିତାଙ୍କ ସାହାଯ୍ୟକାରୀ ଫାୟାରମ୍ୟାନ କାମରେ ନିଯୁକ୍ତ ହୋଇ ସେ ପୂର୍ବୋକ୍ତ ନୈଶ ବିଦ୍ୟାଳୟର ଶିକ୍ଷା ଫଳରେ ଶେଷରେ ଇଞ୍ଜିନିୟର କାମକୁ ଉନ୍ନୀତ ହୋଇଥିଲେ । ତାଙ୍କ ବୁଦ୍ଧି, ଉତ୍ସାହ ଓ ପରିଶ୍ରମ ଦେଖି ସେ ସମୟର ଲୋକେ ବିସ୍ମିତ ହୋଇ ଯାଉଥିଲେ ।

 

ଚଳନ୍ତା ଇଞ୍ଜିନ୍‌କିପରି ତିଆରି ହେବ, ଏଥିପାଇଁ ଷ୍ଟିଫେନ୍‌ସନ ସବୁବେଳେ ବୁଦ୍ଧି ଖେଳାଉଥିଲେ । ଏଥିପୂର୍ବେ ଟ୍ରାଭେଥିକ୍‌ ନାମକ ଜଣେ ଲୋକ ଗୋଟିଏ ଚଳନ୍ତା ବାଷ୍ପୀୟ ଗାଡ଼ି ନିର୍ମାଣ କରିଥିଲେ । ଷ୍ଟିଫେନସନ ସେ ଗାଡ଼ି ଦେଖି ସନ୍ତୁଷ୍ଟ ହେଲେ ନାହିଁ । ତାଠାରୁ ଉତ୍କୃଷ୍ଟ ଧରଣର ଗାଡ଼ି କିପରି ନିର୍ମିତ ହେବ, ସେଥିପାଇଁ ସେ ଗଭୀର ଭାବରେ ଦିନ ରାତି ଭାବିଲେ । ବାରମ୍ବାର ଆଲୋଚନା ଫଳରେ ଅନ୍ୟାନ୍ୟ ଇଞ୍ଜିନର ଦୋଷଗୁଣ ନିର୍ଣ୍ଣୟ କରି ସେ ନୂଆ ଧରଣର ଚଳନ୍ତା ଇଞ୍ଜିନ୍‌ କିପରି ତିଆରି କରିପାରିବେ ମନେ ମନେ ଭାବି ସ୍ଥିର କରିନେଲେ । ତତ୍ପରେ ସେ ଯେଉଁ କୋଇଲାଖଣିରେ ସେତେବେଳେ କାମ କରୁଥିଲେ, ତାହାର ମାଲିକଙ୍କୁ ଏ କଥା ଜଣାଇବାରୁ ସେ ତାଙ୍କୁ ପ୍ରୟୋଜନୀୟ ଅର୍ଥ ସାହାଯ୍ୟ କଲେ । ଷ୍ଟିଫେନ୍‌ସନ ଏଥର ନିଶ୍ଚିନ୍ତ ହୋଇ ଚଳନ୍ତା ଇଞ୍ଜିନ୍‌ ତିଆରି କରିବାରେ ଲାଗିଲେ । ୧୦ ମାସ ପରେ କାମ ଶେଷ ହେଲା; ସେ ତାଙ୍କ ପ୍ରଥମ ଇଞ୍ଜିନର ନାମ ଦେଇଥିଲେ ‘‘ମାଇଁ ଲର୍ଡ ।’’

 

୧୮୧୪ ଖ୍ରୀଷ୍ଟାବ୍ଦ ଜୁଲାଇ ମାସ ତା ୨୫ ତାରିଖରେ ତାଙ୍କର ଏହି ନୂଆ ଗାଡ଼ି ୮୪୦ ମହଣ ମାଲ ଭର୍ତ୍ତି ହୋଇଥିବା ୮ଖଣ୍ଡ ମାଲଗାଡ଼ିକୁ ଘଣ୍ଟାରେ ୪ମାଇଲ ବେଗରେ ଯେତେବେଳେ ଟାଣି ନେଲେ, ସେତେବେଳେ ନିର୍ମାଣକାରୀ ଓ ଦର୍ଶକମାନେ ଅପୂର୍ବ ଆନନ୍ଦରେ ଉନ୍ମତ୍ତ ହୋଇ ଉଠିଲେ ।

 

ତାଙ୍କର ଏହି ନୂତନ ଇଞ୍ଜିନ୍‌ ସେତେବେଳେ ଅନ୍ୟାନ୍ୟ ଇଞ୍ଜିନ୍‌ଠାରୁ ବହୁଗୁଣରେ ଉତ୍କୃଷ୍ଟ ହେଲେହେଁ ସେଥିରେ ମଧ୍ୟ ଅନେକ ଦୋଷ ରହି ଯାଇଥିଲା । ସେଥିରେ ଷ୍ପ୍ରିଙ୍ଗ ବ୍ୟବହାର କରାଯାଇ ନ ଥିବାରୁ ଚାଲିଲାବେଳେ ଗୋଟାଏ ପାଖକୁ ଆଉଜି ପଡ଼ୁଥିଲା ଓ ଯେଉଁ ବାଟରେ ଚାଲୁଥିଲା, ସେ ବାଟକୁ ନଷ୍ଟ କରି ଦେଉଥିଲା । ଏହି ଦୋଷ ଦୂର କରି ସେ ପରେ ଆଉ ଗୋଟିଏ ଇଞ୍ଜିନ୍‌ ତିଆରି କଲେ । ପ୍ରଥମ ଇଞ୍ଜିନରେ ତାଙ୍କର ଆଉ ଗୋଟିଏ ଦୋଷ ରହିଯାଇଥିଲା । ଇଞ୍ଜିନରୁ ଯେତେବେଳେ ବାଷ୍ପ ବାହାରି ଆସୁଥିଲା, ସେତେବେଳେ ଏପରି ଗୋଟାଏ ବିକଟ ଏବଂ ଭୟଙ୍କର ଶବ୍ଦ ହେଉଥିଲା ଯେ, ଗୋରୁ, ଘୋଡ଼ା ପ୍ରଭୃତି ଜୀବମାନେ ଭୟରେ ବହୁଦୂରକୁ ପଳାଉଥିଲେ ଏବଂ ମନୁଷ୍ୟମାନେ ସେ ଶବ୍ଦ ଶୁଣି ବଡ଼ ବିରକ୍ତ ହୋଇ ଉଠୁଥିଲେ । ଗୋଟିଏ ନଳ ସାହାଯ୍ୟରେ ବାଷ୍ପର ଯିବା ଆସିବା ନିୟମିତ କରିଦେବାରୁ ଏ ଦୋଷ ଦୂର ହୋଇଗଲା ଏବଂ ଇଞ୍ଜିନର କାର୍ଯ୍ୟ ଆହୁରି ସୁନ୍ଦର ରୂପେ ଚଳିଲା । ଏହା ଦେଖି ଷ୍ଟିଫେନ୍‌ସନ୍‌ ଭାରି ଆନନ୍ଦିତ ହେଲେ-। ପରେ ଅନ୍ୟ କେତେକ କମ୍ପାନୀଙ୍କ ଅନୁରୋଧରେ ସେ ତଦପେକ୍ଷା ଆହୁରି ନିର୍ଦ୍ଦୋଷ ଇଞ୍ଜିନ୍‌ ତିଆରି କରି ସେ ସମୟର ଲୋକଙ୍କ ମଧ୍ୟରେ ବହୁ ସମ୍ମାନ ଲାଭ କରିଥିଲେ ।

 

ଏହା କରିସାରି ଷ୍ଟିଫେନ୍‌ସନ୍‌ ରେଲପଥ ନିର୍ମାଣରେ ମନୋଯୋଗୀ ହେଲେ । ତାଙ୍କର ଧାରଣା ହେଲା ଯେ, ରେଲଗାଡ଼ି ଯିବା ଆସିବା କାର୍ଯ୍ୟରେ ଇଞ୍ଜିନ ଅପେକ୍ଷା ରେଲପଥର ପ୍ରୟୋଜନୀୟତା ଅଳ୍ପ ନୁହେ । ଭଲ ରେଲପଥ ନିର୍ମାଣ ହେବାରୁ ଏଥର ତାଙ୍କ ନୂଆ ଗାଡ଼ି ସୁନ୍ଦର ଭାବରେ ଆହୁରି ଚଞ୍ଚଳ ଗତିରେ ଚାଲିଲା ।

 

ଚାହୁଁ ଚାହୁଁ ଇଂଲଣ୍ଡର ଅନେକ କୋଇଲା କୋମ୍ପାନୀ ଷ୍ଟିଫେନ୍‌ସନ୍‌ଙ୍କ ଇଞ୍ଜିନ୍‌ କିଣି ରେଲପଥ ନିର୍ମାଣ କରାଇ କୋଇଲା ନବା ଆଣିବା କଲେ । ତାପରେ ସେ ଆହୁରି ଉନ୍ନତ ଧରଣର ଗୋଟିଏ ଇଞ୍ଜିନ୍‌ ତିଆରି କରି ୭୫୦୦ ଟଙ୍କା ପୁରସ୍କାର ପାଇଥିଲେ ।

 

ଏହି ନୂତନ ଉଦ୍ଭାବନ ଦେଖି ସେତେବେଳେ ଇଂଲଣ୍ଡରେ ଭାରି ଆନ୍ଦୋଳନ ଆରମ୍ଭ ହେଲା । ଅନେକ ଲୋକ ରେଲପଥର ବିରୋଧୀ ହୋଇ ନାନାଭାବରେ ଷ୍ଟିଫେନ୍‌ସନ୍‌ଙ୍କୁ ଉପହାସ କଲେ ଓ ଗାଳିଦେଲେ । ମାତ୍ର ଷ୍ଟିଫେନ୍‌ସନ୍‌ ସେଥିରେ ଉତ୍ସାହଶୂନ୍ୟ ନ ହୋଇ ଗୋଟିଏ ଦୀର୍ଘ ରେଲପଥ ନିର୍ମାଣରେ ଲାଗିଲେ । ପଥ ନିର୍ମାଣ ପରେ ସେ ୩୪ ଖଣ୍ଡ ଗାଡ଼ି ସେଥିରେ ଯୋଡ଼ି ତହିଁରେ ଇଞ୍ଜିନ୍‌ ଲଗାଇଲେ ଓ ନିଜେ ତାହାର ଚାଳକ ହେଲେ । ଏହି ଯାତ୍ରୀବାହୀ ଗାଡ଼ି ଯେଉଁଦିନ ପ୍ରଥମେ ଚାଲିଲା, ସେ ଦିନ ଗୋଟିଏ ଉତ୍ସବର ଆୟୋଜନ ହୋଇଥିଲା । ବହୁସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ । ୪୫୦ ଜଣ ଯାତ୍ରୀ, କୋଇଲା ଓ ଅନ୍ୟାନ୍ୟ କେତେକ ମାଲ ଘେନି ଯେତେବେଳେ ରେଲଗାଡ଼ି ଘଣ୍ଟାରେ ୯ମାଇଲ ବେଗରେ ପଥର ଶେଷ ସୀମାରେ ପହଞ୍ଚିଗଲା; ସେତେବେଳେ ଷ୍ଟିଫେନ୍‌ସନ୍‌ ଆନନ୍ଦରେ ନାଚି ଉଠିଲେ । ତାଙ୍କର ବହୁଦିନର ଆଶା କାର୍ଯ୍ୟରେ ପରିଣତ ହେଲା ଜାଣିପାରି ସେ ଜୀବନ ସାର୍ଥକ ହେଲା ବୋଲି ମନେ କଲେ ।

 

ବିସ୍ମୟର ବିଷୟ ଯେ, ପ୍ରଥମେ ଇଂଲଣ୍ଡର ଉଚ୍ଚ ବଂଶୀୟ ଲୋକମାନେ ଏହି ରେଲଗାଡ଼ିରେ ଚଢ଼ିବାକୁ ଘୃଣା କରୁଥିଲେ । ଦରକାର ହେଲେ ଚାକରମାନଙ୍କୁ ରେଲରେ ପଠାଇଦେଇ ସେମାନେ ନିଜେ ଘୋଡ଼ାରେ ଚଢ଼ି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ । ସ୍ୱୟଂ ମହାରାଣୀ ଭିକ୍‌ଟୋରିୟା ୧୮୪୨ ଖ୍ରୀଷ୍ଟାବ୍ଦରେ ରେଲଗାଡ଼ିରେ ପ୍ରଥମେ ବସି ଲଣ୍ଡନରୁ ଉଇଣ୍ଡସର୍‌ ଗଲେ । ଏହା ପରେ ଆଉ କାହାରି ରେଲଗାଡ଼ିରେ ଯିବାଆସିବା କରିବାରେ ଘୃଣା ରହିଲା ନାହିଁ ।

 

ଷ୍ଟିଫେନ୍‌ସନ୍‌ ତାଙ୍କ ଶେଷ ଜୀବନରେ ବିପୁଳ ସମ୍ମାନ ଓ ପ୍ରଚୁର ଅର୍ଥ ଲାଭ କରି ପରମସୁଖରେ କାଳ କଟାଇଲେ ।

 

ପ୍ରଶ୍ନ

 

୧.

ରେଲଗାଡ଼ି ଚାଲିବା ପୂର୍ବେ ଲୋକେ କିପରି ଏକ ସ୍ଥାନରୁ ଅନ୍ୟ ଦୂରବର୍ତ୍ତୀ ସ୍ଥାନକୁ ଯିବା ଆସିବା କରୁଥିଲେ ?

୨.

ଇଂଲଣ୍ଡର ଲୋକେ ଚଳନ୍ତା ଇଞ୍ଜିନ୍‌ ଦେଖି କି ହେତୁରୁ ଷ୍ଟିଫେନ୍‌ସନ୍‌ଙ୍କୁ ଗାଳି ଦେଉଥିଲେ-?

୩.

ଆମ ଓଡ଼ିଶାରେ ଯେଉଁ ରେଲରାସ୍ତା ଅଛି ତାହା କେଉଁଠାରୁ କେଉଁଯାଏ ବିସ୍ତୃତ ?

୪.

ରେଲରାସ୍ତାଦ୍ୱାରା ଆମ୍ଭର କୌଣସି ପ୍ରକାର ଅପକାର ହେଉଅଛି କି ନାହିଁ ଭଲକରି ବୁଝାଇଦିଅ ।

Image

 

ପୃଥିବୀର ଗଠନ

 

ଆମ୍ଭମାନଙ୍କ ବାସଭୂମି ଏହି ପୃଥିବୀର ଉପରିଭାଗ ସବୁଠାରେ ଏକାଭଳି ନୁହେ । କେଉଁଠାରେ ବଡ଼ ବଡ଼ ପର୍ବତ, କେଉଁଠାରେ ଅନନ୍ତ ମହାସାଗର, କେଉଁଠାରେ ବହୁଦୂରବ୍ୟାପୀ ବାଲୁକାମୟ ମରୁଭୂମି, କେଉଁଠାରେ ନାନା ବୃକ୍ଷଲତାପୂର୍ଣ୍ଣ ନିବିଡ଼ ବନ, କେଉଁଠାରେ ହ୍ରଦ, କେଉଁଠାରେ ବା ନଦୀ ପୃଥିବୀ ଉପରେ ଆମ୍ଭେମାନେ ଦେଖୁଥାଇଁ; କିନ୍ତୁ ଚିରକାଳକୁ କଅଣ ପୃଥିବୀର ଏହି ରୂପ ସବୁଠାରେ ଏକାପରି ରହିଅଛି ? ନା, ପୃଥିବୀ ଉପରେ ଆକୃତିର ପରିବର୍ତ୍ତନ ପ୍ରାୟ ସବୁବେଳେ ଆମ ଆଖିରେ ପଡ଼ୁଛି । ଭୂମିକମ୍ପ ବେଳେ ପୃଥିବୀପୃଷ୍ଠରେ ଯେ ବିଚିତ୍ର ପରିବର୍ତ୍ତନ ହୁଏ, ତାହା ବୋଧହୁଏ ଅନେକେ ଜାଣନ୍ତି । ବେଳେ ବେଳେ ପୃଥିବୀର କୌଣସି କୌଣସି ଅଂଶ ଭିତରକୁ ପଶିଯାଏ, ଉଚ୍ଚ ସମତଳଭୂମି ଚାହୁଁ ଚାହୁଁ ନିମ୍ନ ଖାଲଭୂମି ହୋଇଯାଏ, ଚାଷଭୂମି ମରୁଭୂମି ପରି ବାଲିରେ ପୂରିଯାଏ, ସମୁଦ୍ରଗର୍ଭରୁ ଗୋଟିଏ ଗୋଟିଏ ନୂଆ ନୂଆ ଦ୍ୱୀପ ହଠାତ୍‌ ଉପରକୁ ଉଠିପଡ଼େ, କେଉଁଠାରେ ପାଣି ପୂରିଥିବା ନଈସବୁ ଶୁଖିଲା ଉଚ୍ଚଭୂମିରେ ପରିଣତ ହୋଇଯାଏ, କେଉଁଠାରେ ବା ନଦୀର ଗତି ପରିବର୍ତ୍ତିତ ହୋଇଯାଏ । କୌଣସି କୌଣସି ପର୍ବତ ଉପରେ ଏବେ ସାମୁଦ୍ରିକ ଜୀବମାନଙ୍କର ଦେହର ଅବଶେଷ ଦୃଷ୍ଟିଗୋଚର ହୁଏ । ଏଥିରୁ ବେଶ୍‌ ଜଣାପଡ଼େ ଯେ, ଦିନେ ସେହି ପର୍ବତ ସମୁଦ୍ରଗର୍ଭରେ ଥିଲା, କାଳକ୍ରମେ ତାହା ଉପରକୁ ଉଠିଅଛି । ସମୁଦ୍ରଗର୍ଭରେ କୌଣସି କୌଣସି ସ୍ଥାନରେ ଲୁପ୍ତ ନଗର ଓ ଗ୍ରାମର ଚିହ୍ନ ଦେଖି ମନେ ହୁଏ, ସେସବୁ ସ୍ଥାନ ଦିନେ ପୃଥିବୀ ଉପରେ ମନୁଷ୍ୟମାନଙ୍କର ବାସସ୍ଥାନ ଥିଲା । ଏହି ସବୁ ଦେଖି ଆମ୍ଭେମାନେ ବର୍ତ୍ତମାନ ପୃଥିବୀର ଅବସ୍ଥା ବିଷୟ ଆଲୋଚନା କରିବା ।

 

ଭୂତତ୍ତ୍ୱବିତ୍‌ ପଣ୍ଡିତମାନେ ନିର୍ଣ୍ଣୟ କରିଅଛନ୍ତି ଯେ, ଏହି ପୃଥିବୀ ପ୍ରଥମେ ଗୋଟିଏ ଉତ୍ତପ୍ତ ଜଡ଼ପିଣ୍ଡ ଥିଲା । ସେତେବେଳେ ପୃଥିବୀ ଉପରିସ୍ଥ ଆକାଶ ଧୂଆଁଦ୍ୱାରା ଆବୃତ ଥିଲା । ଦିନ ରାତି ସବୁବେଳେ ଝଡ଼ ହେଉଥିଲା । ଚାରିଆଡ଼ ଅନ୍ଧାରରେ ପୂରିଥିଲା । ପୃଥିବୀର ଅଭ୍ୟନ୍ତରଭାଗରୁ ସବୁବେଳେ ଉତ୍ତପ୍ତ ଗଳିତ ପଦାର୍ଥ ପ୍ରବଳ ବେଗରେ ଉପରକୁ ଉଠୁଥିଲା । ଭୂପୃଷ୍ଠରେ ଶ୍ୟାମଳଶୋଭାର କୌଣସି ଚିହ୍ନ ନ ଥିଲା ।

 

ତାପରେ ପରିବର୍ତ୍ତନ ଆରମ୍ଭ ହେଲା । ନାନା ରୂପାନ୍ତର ମଧ୍ୟରେ ଧୀରେ ଧୀରେ ପୃଥିବୀ ତରଳଭାବ ତ୍ୟାଗ କରି କଠିନ ହେଲା । ବହିର୍ଭାଗ ଶୀତଳ ହୋଇ ମୃତ୍ତିକାରେ ପରିଣତ ହେଲା । ବହିର୍ଭାଗ ଶୀତଳ ହେବାରୁ ପୃଥିବୀ ଚାରିପାଖରେ ଯେଉଁ ବାଷ୍ପ ବେଢ଼ି ରହିଥିଲା, ତାହା ମଧ୍ୟ ଶୀତଳ ହୋଇ ଜଳ ହୋଇଗଲା; ତେଣୁ ଜଳ ପୃଥିବୀର ପ୍ରଥମ ସୃଷ୍ଟି । ଉପର ଶୀତଳ ହେବାରୁ ପରେ ତାହା ସୃଷ୍ଟ ଜୀବମାନଙ୍କର ଆଶ୍ରୟସ୍ଥଳ ହେଲା; କିନ୍ତୁ ପୃଥିବୀର ଅଭ୍ୟନ୍ତର ଭାଗ ଏ ପର୍ଯ୍ୟନ୍ତ ଉଷ୍ଣ ରହିଅଛି । ପୃଥିବୀ ଉପରେ ପଥରକୋଇଲା ପ୍ରଭୃତିର ଯେଉଁସବୁ ଖଣି ଅଛି, ତା ଭିତରେ ପଶିଲେ ତାପବୃଦ୍ଧି ଅନୁଭବ କରାଯାଏ । ପରୀକ୍ଷା କରି ଦେଖାଯାଇଅଛି ଯେ, ଖଣିମାନଙ୍କ ଭିତରେ ପ୍ରତି ୬୦ ଫୁଟରେ ଏକଡିଗ୍ରୀ ଲେଖାଏଁ ତାପ ବୃଦ୍ଧି ହୁଏ । ଯେବେ ଏହିପରି ଭାବରେ ତାପ ବୃଦ୍ଧି ହୁଏ, ତେବେ ଏକହଜାର ଫୁଟ ତଳେ ଥିବା ତାପରେ ପାଣି ଫୁଟୁଥିବ ଓ ଆହୁରି ତଳେ ପଥର ତରଳ ଅବସ୍ଥାରେ ଥିବ । ଏହାଛଡ଼ା ପୃଥିବୀ ଅଭ୍ୟନ୍ତରସ୍ଥ ତାପର ପରିଚୟ ଆମ୍ଭେମାନେ ଆଗ୍ନେୟଗିରି ଓ ଉଷ୍ଣପ୍ରସ୍ରବଣରୁ ମଧ୍ୟ ପାଇଥାଉଁ ।

 

ଅଗ୍ନ୍ୟୁତ୍ପାତରେ, ଜଳଧାରାବର୍ଷଣରେ ଓ ସର୍ବଦା ତାପ ବାହାର କରିବାରେ ପୃଥିବୀ ଶୀତଳ ଓ କଠିନ ହେବାରୁ ତାହା ଭିତରେ ଥିବା ତରଳ ଧାତୁସମୂହ କଠିନ ହେଲା ଓ ଏହି କଠିନ ଅବସ୍ଥାରେ ପଥର ସୃଷ୍ଟିହେଲା । ପୃଥିବୀର ଉପରିଭାଗ ଶୀତଳ ହେବା ସାଙ୍ଗେ ସାଙ୍ଗେ ତାହା ସଙ୍କୁଚିତ ହେଲା ଏବଂ ତାହାର ଚାପରେ ପୁରାତନ ଶିଳା ଭାଙ୍ଗି ବୃଷ୍ଟିଜଳଧାରା ସାହାଯ୍ୟରେ ନଦୀରେ ଆସି ପଡ଼ିଲା । ନଦୀର ଗତିରେ ତାହା ଚାଳିତ ହୋଇ ଓ ବାଲି କାଦୁଅରେ ପରିଣତ ହୋଇ ସ୍ରୋତର ବେଗ ଯେଉଁଠାରେ କମ୍‌ ସେଠାରେ ସ୍ତର ସ୍ତର ହୋଇ ଜମାହେଲା । ଏହିପରି ଭାବରେ ଏକ ସ୍ତର ଉପରେ ଆଉ ଗୋଟିଏ ସ୍ତର ପଡ଼ି ସେହି ବାଲୁକା ଓ କର୍ଦ୍ଦମରାଶି ଉପରେ ଚାପ ହେତୁରୁ କଠିନ ଓ ସ୍ଥାନେ ସ୍ଥାନେ ଶିଳା ଖଣ୍ଡରେ ପରିଣତ ହେଲା । ଏପର୍ଯ୍ୟନ୍ତ ମଧ୍ୟ ଏ କାର୍ଯ୍ୟ ଚାଲିଅଛି । ପୋଖରୀ ବା କୂଅ ଖୋଳିଲେ ପୃଥିବୀର ଏହି ସ୍ତରବିନ୍ୟାସ ସ୍ପଷ୍ଟ ଦେଖାଯାଏ । ଭୂଗର୍ଭରେ ପଥର କୋଇଲା ପ୍ରଭୃତି ମଧ୍ୟ ଏହିପରି ସ୍ତରେ ସ୍ତରେ ସଜ୍ଜିତ ଥିବା ଦେଖାଯାଏ । ଏହି ସ୍ତରଗୁଡ଼ିକ ଗୋଟିକ ଉପରେ ଗୋଟିଏ ସଜ୍ଜିତ ଥିଲେ ମଧ୍ୟ ଭୂମିକମ୍ପ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯୟରୁ କୌଣସି କୌଣସି ନିମ୍ନ ସ୍ତର ଉପରକୁ ଆସିଅଛି ଓ କୌଣସି କୌଣସି ଉପର ସ୍ତର ନିମ୍ନକୁ ଯାଇଅଛି; ତେଣୁ ପୃଥିବୀଗର୍ଭରୁ ସବୁ ସ୍ଥାନରେ ଏକାଭଳି ସ୍ତର କ୍ରମେ କ୍ରମେ ସଜ୍ଜିତ ଥିବା ଦେଖାଯାଏ ନାହିଁ । ବିଭିନ୍ନ ସ୍ତରରେ ମିଳୁଥିବା ଜୀବଦେହ ଦେଖି ପଣ୍ଡିତମାନେ ନିର୍ଣ୍ଣୟ କରିଅଛନ୍ତି ଯେ, ପ୍ରଥମେ ପୃଥିବୀରେ ମାଛ ପ୍ରଭୃତି ଜଳଜୀବ ସୃଷ୍ଟି ହୋଇଥିଲେ-ତାପରେ ଅନ୍ୟାନ୍ୟ ଜୀବର ସୃଷ୍ଟି । ମନୁଷ୍ୟର ସୃଷ୍ଟି ଯେ ସର୍ବଶେଷରେ ହୋଇଥିଲା ଏଥିରେ ସନ୍ଦେହ ନାହିଁ ।

 

ପ୍ରଶ୍ନ

 

୧.

ପ୍ରଥମାବସ୍ଥାରେ ପୃଥିବୀ କିପରି ଥିଲା ?

୨.

ପୃଥିବୀର ଅଭ୍ୟନ୍ତର ଉତ୍ତପ୍ତ ଥିବା ଦେଖି ତହିଁରୁ କି ଅନୁମାନ କରାଯାଏ ?

୩.

କୂଅ, ପୋଖରୀ ପ୍ରଭୃତି ଖୋଳିଲେ ସବୁଠାରେ ଭୂଗର୍ଭରେ ଏକପ୍ରକାର ସ୍ତର ଦେଖାଯାଏ ନାହିଁ କାହିଁକି ?

Image

 

ଉଡ଼ାଜାହାଜ

 

ମନୁଷ୍ୟ ଅନେକ ଦିନରୁ ଚଢ଼େଇ ପରି ଆକାଶରେ ଉଡ଼ିବାପାଇଁ ବ୍ୟାକୁଳ ଥିଲା । ଭଗବାନଙ୍କ କୃପାରୁ ବହୁ ଚେଷ୍ଟାରେ ବର୍ତ୍ତମାନ ତାର ସେ ଆଶା କେତେକ ପରିମାଣରେ ପୂର୍ଣ୍ଣ ହୋଇଅଛି । ଅବଶ୍ୟ ସାଧାରଣ ଲୋକେ ଏପର୍ଯ୍ୟନ୍ତ ଆକାଶରେ ଉଡ଼ି ଯିବା ଆସିବା କରିବାର ସୁଯୋଗ ଲାଭ କରି ନାହାନ୍ତି ଓ ଆକାଶରେ ଉଡ଼ିବା ଏପର୍ଯ୍ୟନ୍ତ ନିରାପଦ ହୋଇନାହିଁ; ତଥାପି ଆଶା କରାଯାଏ ଦିନେ ମନୁଷ୍ୟ ଏ ବିଷୟରେ ସମ୍ପୂର୍ଣ୍ଣରୂପେ କୃତକାର୍ଯ୍ୟ ହେବ । ରେଲଗାଡ଼ି ଓ ଜାହାଜରେ ଯେପରି ଡାକ ଯାଏ ଓ ଯାତ୍ରୀ ଯିବାଆସିବା କରନ୍ତି, ଏବେ କୌଣସି କୌଣସି ସ୍ଥାନରେ ଉଡ଼ାଜାହାଜରେ ସେପରି ହେଲାଣି । କେବେ କିପରି ପ୍ରଥମେ ଏ ଯନ୍ତ୍ର ତିଆରି ହେଲା, ସେ ସମ୍ବନ୍ଧରେ ସଂକ୍ଷେପରେ ଦୁଇ ଚାରି କଥା ଏଠାରେ କୁହାଯାଉଅଛି ।

 

ରୋଷେଇଘରୁ ଯେଉଁ ଧୂଆଁ ବାହାରେ, ତାହା ବାୟୁରାଶି ଉପରକୁ ଉଠିଯାଏ । ଏହି ବିଷୟକୁ ଲକ୍ଷ୍ୟ କରି ଫ୍ରାନ୍‌ସ ଦେଶବାସୀ ଜଣେ କାଗଜ ବ୍ୟବସାୟୀଙ୍କର ଦୁଇ ପୁଅ କାଗଜରେ ପ୍ରଥମେ ଗୋଟିଏ ବେଲୁନ୍‌ ବା ଫ୍ରାନୁସ୍‌ ତିଆରି କରି ତା ଭିତରେ ଗରମ ଧୂଆଁ ପୂରାଇ ତାକୁ ଉଡ଼ାଇଦେଲେ । ଫାନୁସ୍‌ ଭିତର ଧୂଆଁ ଯେତେବେଳେ ଥଣ୍ଡା ହୋଇଗଲା, ସେତେବେଳେ ତାହା ତଳକୁ ଖସି ଆସିଲା । ସେହି ଧୂଆଁକୁ ଗରମ ରଖିବା ପାଇଁ ସେ ଦୁହେଁ ଫାନୁସ୍‌ ତଳେ ଗୋଟିଏ ଧୂଆଁ ବାହାରୁଥିବା ନିଆଁର ପାତ୍ର ବାନ୍ଧିଦେଲେ ।

 

ଏଥର ଫାନୁସ୍‌ଟା ବେଶି ଉପରକୁ ଉଠିଗଲା; ଏହି ଧୂଆଁପୂରା ଫାନୁସ୍‌ର ଉଡ଼ିବାରୁ ବ୍ୟେମଯାନ ବା ଉଡ଼ାଜାହାଜର ଜନ୍ମ । ଏଠାରେ ଗୋଟିଏ କଥା ମନେ ରଖିବାକୁ ହେବ ଯେ, ଉତ୍ତପ୍ତ ହେଲେ ପ୍ରତ୍ୟେକ ପଦାର୍ଥର ଆୟତନ ବଢ଼ିଯାଏ । ବାୟବୀୟ ପଦାର୍ଥର ଏହି ଗୁଣଟି ଅନ୍ୟ ସମସ୍ତ ପଦାର୍ଥଠାରୁ ବେଶି; ତେଣୁ ବାୟୁ ଗରମ ହେଲେ ଖୁବ୍‌ ବିସ୍ତାରିତ ହୋଇଯାଏ ଓ ଚାରିଆଡ଼ର ଥଣ୍ଡା ବାୟୁଠାରୁ ଓଜନରେ ଅନେକ ହାଲୁକା ହୁଏ । ବାୟୁ ହାଲୁକା ହେଲେ ଉପରକୁ ଉଠେ; କିନ୍ତୁ ଯେତେବେଳେ ତାହା ପୁଣି ଥଣ୍ତା ହୋଇଯାଏ, ସେତେବେଳେ ତଳକୁ ଖସି ଆସେ । ଫାନୁସ୍‌ ଏହି କାରଣରୁ ଉପରକୁ ଉଠେ ଓ ପରେ ତଳକୁ ଖସେ । ଏହି ସବୁ ଦେଖି ଦେଖି ପୂର୍ବୋକ୍ତ ଦୁଇ ଭାଇ ୧୫୦ ଫୁଟ ପରିଧିବିଶିଷ୍ଟ ଗୋଟାଏ ବଡ଼ ବେଲୁନ୍‌ କାଗଜରେ ତିଆରି କରି ଦିନେ ସହର ବାହାରେ ଗୋଟାଏ ଖୋଲା ଜାଗାରେ ତାକୁ ଉଡ଼ାଇ ଦେଲେ । ଏ ଦୃଶ୍ୟ ଦେଖିବା ପାଇଁ ଅନେକ ଲୋକ ରୁଣ୍ଡ ହୋଇଥିଲେ । ଏ ଫାନୁସ ତଳେ ଅଗ୍ନିର ପାତ୍ର ରଖା ଯାଇ ନ ଥିଲା; ଭିତର ପବନ ଥଣ୍ଡା ହୋଇଯିବାରୁ କିଛିକ୍ଷଣ ପରେ ଫାନୁସଟା ତଳେ ପଡ଼ିଗଲା ।

 

ଏଥିରେ ସେ ଦୁଇ ଭାଇ ଭାରି ଉତ୍ସାହିତ ହୋଇ ମୋଟା କନାରେ ଗୋଟାଏ ବଡ଼ ଫାନୁସ୍‌ ଅତି ଯତ୍ନରେ ତିଆରି କଲେ । ଚାରିଆଡ଼େ ପ୍ରଚାର ହେଲା ଯେ, ଏଥର ଫାନୁସ ଯାତ୍ରୀ ଘେନି ଉପରକୁ ଉଠିବ । ଫ୍ରାନସ ଦେଶର ଅନେକ ଲୋକ ଏ ଦୃଶ୍ୟ ଦେଖିବା ପାଇଁ ଜମା ହେଲେ-। ୧୭୮୩ ଖ୍ରୀଷ୍ଟାବ୍ଦ ସେପ୍‌ଟେମ୍ବର ମାସ ୯ ତାରିଖରେ ବେଲୁନ୍‌ ଆକାଶରେ ଉଡ଼ିଲା; ଏଥିରେ ସର୍ବ ପ୍ରଥମେ ଯେଉଁମାନେ ଆକାଶଯାତ୍ରୀ ହେଲେ, ତାଙ୍କ ନାମ ଶୁଣିଲେ ତୁମ୍ଭଙ୍କୁ ହସ ମାଡ଼ିବ । ନିର୍ମାତା ଦୁଇଭାଇ ଏହି ଯାତ୍ରୀମାନଙ୍କୁ ଗୋଟାଏ ବଡ଼ ଟୋକାଇରେ ପୂରାଇ ବେଲୁନ ତଳେ ଖୁବ୍‌ ଦୃଢ଼ କରି ବାନ୍ଧି ଦେଲେ । ଗୋଟିଏ ମେଣ୍ଢା, ଗୋଟିଏ କୁକୁଡ଼ା ଓ ଗୋଟିଏ ହଂସ-ଏମାନେ ହୋଇଥିଲେ ପ୍ରଥମ ଆକାଶଯାତ୍ରୀ । ଯେତେବେଳେ ଏହି ଯାତ୍ରୀମାନଙ୍କୁ ସାଙ୍ଗରେ ଘେନି ଫାନୁସ୍‌ ଉପରକୁ ଉଠିଲା, ସେତେବେଳେ ଲୋକେ ତାଳି ମାରି ଆନନ୍ଦରେ ନାଚିଲେ । ୮ ମିନିଟ୍ କାଳ ଏହି ବେଲୁନ୍‌ ଆକାଶରେ ଭାସି ଭାସି ଶେଷରେ ନିରାପଦରେ ପୃଥିବୀକୁ ଓହ୍ଲାଇ ଆସିଲା । ଏ ଘଟନାରେ ଫରାସୀ ରାଜ୍ୟରେ ଗୋଟାଏ ଭାରି ଉତ୍ସାହ ଦେଖାଗଲା ।

 

ଏପର୍ଯ୍ୟନ୍ତ କୌଣସି ମନୁଷ୍ୟ ବେଲୁନରେ ବସିଆକାଶକୁ ଉଠିବାକୁ ସାହସ କରି ନ ଥିଲେ । ରେଜିୟାର୍‌ ନାମକ ଜଣେ ଯୁବକ ସାହସ ସହକାରେ ପ୍ରଥମେ ଗୋଟିଏ ଆବଦ୍ଧ ବେଲୁନ୍‌ରେ ଉପରକୁ ଉଠିଲେ । ଏଥର ବେଲୁନ୍‌ ଦେହରେ ୧୦୦ ଫୁଟ ଲମ୍ୱା ଖଣ୍ଡେ ଶକ୍ତ ଦଉଡ଼ି ବାନ୍ଧି ତାକୁ ମାଟିଉପରେ ଦୃଢ଼ରୂପେ ବାନ୍ଧି ଦିଆଗଲା । ରେଜିୟାର୍‌ କିଛି ସମୟ ପରେ ନିରାପଦରେ ପୃଥିବୀରେ ଆସି ଓହ୍ଲାଇଲେ । ଏ ଘଟନାର କିଛି ଦିନ ପରେ ରେଜିୟାର ତାଙ୍କର ଜଣେ ସାହସୀ ବନ୍ଧୁଙ୍କ ସଙ୍ଗେ ପୁଣି ବେଲୁନରେ ଉଡ଼ିଲେ । ଏଥର କିନ୍ତୁ ବେଲୁନ ଦଉଡ଼ିରେ ବନ୍ଧା ହେଲା ନାହିଁ ବା ବେଲୁନକୁ ଆବଦ୍ଧ କରାଗଲା ନାହିଁ । ସେମାନେ ପ୍ରାୟ ୨୦ ମିନିଟ୍‌ ଆକାଶରେ ଉଡ଼ି ସୁସ୍ଥ ଦେହରେ ଓହ୍ଲାଇଲେ । ନିର୍ମାଣକାରୀ ଭାଇ ଦୁହେଁ ଏ ଘଟନାରେ କିପରି ଆନନ୍ଦ ଲାଭ କରିଥିବେ, ଏଥିରୁ ଅନୁମାନ କରିପାର । ଫ୍ରାନସ ସରକାର ଏ କଥା ଶୁଣି ନିର୍ମାତାଙ୍କୁ ଯଥେଷ୍ଟ ପୁରସ୍କାର ଦେଲେ ଓ ତାଙ୍କ ପିତାଙ୍କୁ ପୁତ୍ରମାନଙ୍କର କାର୍ଯ୍ୟ ପାଇଁ ଉଚ୍ଚ ସମ୍ମାନ ପ୍ରଦାନ କଲେ । କ୍ରମେ ଇଉରୋପ ଓ ଆମେରିକାରେ ଆବଦ୍ଧ ବେଲୁନ୍‌ ସାହାଯ୍ୟରେ ଅନେକ କାର୍ଯ୍ୟ ହେଲା । ୧୮୬୧ ଖ୍ରୀଷ୍ଟବ୍ଦରେ ଆମେରିକା ଅନ୍ତର୍ବିପ୍ଳବ ବେଳେ ଏହି ଆବଦ୍ଧ ବେଲୁନର କାର୍ଯ୍ୟ ଦେଖି ଜର୍ମାନୀ ଦେଶବାସୀ ‘ଜେପ୍‌ଲିନ୍‌’ ନାମକ ଜଣେ ଯୁଦ୍ଧବିଭାଗର କର୍ମଚାରୀ ଭାରି ବିସ୍ମିତ ହୋଇ ଯାଇଥିଲେ ।

 

ପୂର୍ବେ କୁହାଯାଇଅଛି ଯେ, ଧୂଆଁ ବାହାରୁଥିବା ଗୋଟିଏ ଅଗ୍ନିପାତ୍ର ବେଲୁନ୍‌ ତଳେ ବନ୍ଧା ହେଉଥିଲା । ସେହି ଉତ୍ତପ୍ତ ହାଲୁକା ଧୂଆଁବଳରେ ବେଲୁନ୍‌ ଉପରେ ଉଡ଼ୁଥିଲା । ଏହି ସମୟରେ ବାୟୁଠାରୁ ଅନେକ ପରିମାଣରେ ହାଲୁକା ହାଇଡ୍ରୋଜେନ୍‌ ଗ୍ୟାସ୍‌ ନାମରେ ଏକପ୍ରକାର ବାୟବୀୟ ପଦାର୍ଥ ଆବିଷ୍କୃତ ହେଲା । ଗରମ ଧୂଆଁ ଦ୍ୱାରା ବେଲୁନ୍‌ଚଳାଇବାଠାରୁ ଏହି ହାଇଡ୍ରୋଜେନ୍‌ ବାଷ୍ପରେ ବେଲୁନ ଚଳାଇବା ସୁବିଧାଜନକ ବୋଧହେଲା । କାରଣ ଏଥିରେ ଆଉ ନିଆଁର ପାତ୍ର ବେଲୁନ୍‌ ତଳେ ବାନ୍ଧିବାକୁ ହେଲା ନାହିଁ କିମ୍ୱା ଅଧିକ ଉଚ୍ଚ ଆକାଶକୁ ଉଠିବାରେ ଅସୁବିଧା ହେଲା ନାହିଁ । ଫ୍ରାନ୍‌ସ ଦେଶବାସୀ ରବର୍ଟ ନାମରେ ଦୁଇ ଭାଇ ପ୍ରଥମେ ଗୋଟିଏ ହାଇଡ୍ରୋଜେନ୍‌ ପୂର୍ଣ୍ଣ ବେଲୁନ୍‌ ତିଆରି କରି ଉଡ଼ାଇ ଦେଲେ । ଏଥିରେ କୌଣସି ମନୁଷ୍ୟ ବସି ନ ଥିଲେ । ତାହା ପ୍ରାୟ ଏକ ହଜାର ଫୁଟ ଉପରକୁ ଉଡ଼ିଯାଇ ବହୁଦୂରରେ ଗୋଟାଏ ଶସ୍ୟକ୍ଷେତ୍ର ଭିତରେ ଯାଇ ପଡ଼ିଲା । ସେଠା ଲୋକେ ଏ ଅଦ୍ଭୁତ ପଦାର୍ଥକୁ ଦେଖି ପ୍ରଥମେ ଭୟରେ ପଳାଇଗଲେ । ପରେ ଠେଙ୍ଗା, ବାଡ଼ି, ବନ୍ଧୁକ, ବର୍ଚ୍ଛା ପ୍ରଭୃତି ସାଙ୍ଗରେ ଧରି ତା ପାଖକୁ ଆସି ତାକୁ ଏକାବେଳକେ ଭାଙ୍ଗି ନଷ୍ଟ କରିଦେଲେ।

 

ହାଇଡ୍ରୋଜେନ ସାହାଯ୍ୟରେ ବେଲୁନ୍‌ ଖୁବ୍‌ ଉପରକୁ ଉଠିଲା; ମାତ୍ର ଚାଳକ ଇଚ୍ଛା ଅନୁସାରେ ତାକୁ ଆକାଶରେ ଚଳାଇ ପାରିଲା ନାହିଁ । ପବନର ଗତି ଯେଉଁ ଆଡ଼କୁ ହେଉଥିଲା, ତାହା ସେହି ଆଡ଼କୁ ଗତି କରୁଥିଲା ।

 

ଚାଳକର ଇଚ୍ଛା ଅନୁସାରେ ବେଲୁନ୍‌ର ଗତିକୁ ନିୟମିତ କରିବା ପାଇଁ ଜର୍ମାନୀ ଦେଶବାସୀ ପୂର୍ବୋକ୍ତ କାରଣ୍ଟ୍‌ ଜେପଲିନ୍‌ ସର୍ବ ପ୍ରଥମେ ଚିନ୍ତା କରିଥିଲେ । ବହୁ ଚେଷ୍ଟା ପରେ ସେ ଏଥିରେ କୃତକାର୍ଯ୍ୟ ହୋଇ ଥିବାରୁ ତାଙ୍କ ନାମ ଅନୁସାରେ ଉଡ଼ାଜାହାଜର ନାମ ହେଲା ‘ଜେପ୍‌ଲିନ୍‌’ । ଜର୍ମାନ ସରକାର ଏହା ଦେଖି ତାଙ୍କୁ ପ୍ରଚୁର ଅର୍ଥ ପ୍ରଦାନ କଲେ ଏବଂ ସେ ତହିଁରେ ଉତ୍ସାହିତ ହୋଇ ପରେ ଅନେକ ଜେପ୍‌ଲିନ୍‌ ତିଆରି କଲେ । ଗଲା ଇଉରୋପ ମହାଯୁଦ୍ଧ ବେଳେ ଜର୍ମାନମାନେ ଏହି ଜେପ୍‌ଲିନ୍‌ ବା ଉଡ଼ାଜାହାଜ ବ୍ୟବହାର କରୁଥିଲେ । ଶତ୍ରୁପକ୍ଷ ପ୍ରଥମେ ଏହାର ନିର୍ମାଣ କୌଶଳ ବୁଝିପାରି ନ ଥିଲେ । ପରେ ଯେତେବେଳେ ବୁଝି ପାରିଲେ, ସେତେବେଳେ ଏହାର ହାଇଡ୍ରୋଜେନ୍‌ ଗ୍ୟାସ୍‌ ପୂରା ଥଳିକୁ ଗୁଳି ମାରି ନଷ୍ଟ କରି ଦେଉଥିଲେ । ହାଇଡ୍ରୋଜେନ୍‌ ଅତି ସହଜରେ ଜଳି ଉଠେ । ଗୁଳି ବାଜିଲା କ୍ଷଣି ଜେପ୍‌ଲିନ୍‌ରେ ନିଆଁ ଲାଗି ଯାଉଥିଲା; ତେଣୁ ଏହି ଜେପଲିନ୍‌ ସେତେବେଳେ ଯୁଦ୍ଧରେ ଜର୍ମାନମାନଙ୍କୁ ବେଶି ସାହାଯ୍ୟ କରି ପାରି ନ ଥିଲା ।

 

ଫ୍ରାନ୍‌ସ ଓ ଇଂଲଣ୍ଡରେ ଜେପ୍‌ଲିନ ବଦଳରେ ଆଉ ଏକ ପ୍ରକାର ଉଡ଼ାକଳ ବାହାରିଥିଲା; ତା ନାମ ‘ଏରୋପ୍ଳେନ୍‌’ । ଏରୋପ୍ଳେନ୍‌ ଦେଖିବାକୁ ଏକ ପ୍ରକାର ଚଢ଼େଇ ପରି । ପକ୍ଷୀର ଡେଣା ଭଳି ଏଥିରେ ସାଧାରଣତଃ ଦୁଇଟା ଲମ୍ୱା ପଙ୍ଖା ଲାଗିଥାଏ । ଇଞ୍ଜିନ ସାହାଯ୍ୟରେ ଏହା ଚାଳକର ଇଚ୍ଛା ଅନୁସାରେ ବାୟୁରେ ଗତି କରିପାରେ । ଜେପଲିନ୍‌ ଅପେକ୍ଷା ଏହା ଆକାରରେ ଅନେକ କ୍ଷୁଦ୍ର ଏବଂ ତା ଅପେକ୍ଷା ଅଧିକ ଦ୍ରୁତ ବେଗରେ ଉଡ଼େ । ଯୁଦ୍ଧବେଳେ ଇଂଲଣ୍ଡ ଓ ଫ୍ରାନସର ଲୋକମାନେ ଏରୋପ୍ଳେନ ବ୍ୟବହାର କରୁଥିଲେ ଏବଂ ତଦ୍ଦ୍ୱାରା ସେମାନଙ୍କର ଯୁଦ୍ଧରେ ନାନା ପ୍ରକାର ଉପକାର ହୋଇଥିଲା । ଆଜିକାଲି ଆମ ଦେଶରେ ଯେଉଁ ଉଡ଼ାଜାହାଜ ଆକାଶରେ ଉଡ଼େ, ତାହା ଜେପ୍‌ଲିନ୍‌ ନୁହେଁ, ଏରୋପ୍ଳେନ୍‌ । ଏହି ଏରୋପ୍ଳେନ୍‌ ଏବେ ଯାତ୍ରୀ ଓ ଡାକ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରୁଅଛି ।

 

ପ୍ରଶ୍ନ

 

୧.

ଫାନୁସ୍‌ କି ହେତୁରୁ ଆକାଶରେ ଉଡ଼େ ?

୨.

ଜେପ୍‌ଲିନ୍‌ ଓ ଏରୋପ୍ଳେନ୍‌ ଭିତରେ କିଏ ସୁବିଧାଜନକ ଓ କାହିଁକି ?

୩.

କି କୌଶଳରେ ଫାନୁସ୍‌ର ଉନ୍ନତି ହେଲା ? ଫାନୁସ୍‌ ଅପେକ୍ଷା ଜେପ୍‌ଲିନ୍‌ରେ କିପରି ଅଧିକତର ସୁବିଧା ହୋଇଥିଲା ?

Image

 

ଦେବଦାରୁ ଗଛର ନିଜକଥା*

(ସଂଗୃହୀତ)

 

ସମୁଦ୍ରକୂଳରେ ମୋର ଜନ୍ମ । ମୁଁ ଯେଉଁ ବଣରେ ଜନ୍ମିଥିଲି, ମୋ ଭଳି ଆହୁରି ଅନେକ ବଡ଼ ଗଛ ସେ ବଣରେ ଜନ୍ମିଥିଲେ । ନିୟମିତ ବୃଷ୍ଟି ଓ ସୂର୍ଯ୍ୟକିରଣ ପାଇ ମୋ ଜୀବନ ସେଠାରେ ଭାରି ସୁଖରେ କଟିଗଲା । ସମୁଦ୍ର ପବନ ମୋ ପତ୍ରକୁ ଦୋହଲାଇ ସବୁବେଳେ ମୋ ସଙ୍ଗରେ ଖେଳୁଥିଲା । ପାଖ ଗାଁର ପିଲାମାନେ ମୋ ଛାଇରେ ବସି ଗୀତ ଗାଉଥିଲେ ଓ ନାନା ପ୍ରକାର କ୍ରୀଡ଼ା କୌତୁକ କରୁଥିଲେ । କେତେ ଗୁଣ୍ଡିଚିମୂଷା ଓ ଚଢ଼େଇ ମୋ ଡାଳରେ ଆଶ୍ରୟ ନେଇଥିଲେ ।

 

* ଇଂରେଜୀରେ ଯାହାକୁ Fir tree କହନ୍ତି, ତାହା ଦେବଦାରୁ ଜାତୀୟ ଏକ ପ୍ରକାର ଗଛ ।

 

ଦିନେ ଦଳେ କାଠକଟାଳୀ ଆସି ମୋତେ ମୂଳରୁ କାଟି ଦେଲେ । ମୋ ପାଖରେ ଅନ୍ୟ ଯେଉଁସବୁ ବଡ଼ ବଡ଼ ଗଛ ଥିଲେ, ସେସବୁକୁ ମଧ୍ୟ ସେମାନେ କାଟି ପକାଇଲେ । କାଠକଟାଳୀମାନଙ୍କ କଥା ଭାଷାରୁ ଯେତେବେଳେ ମୁଁ ବୁଝିଲି ଯେ, ସେମାନେ ମୋତେ ନେଇ ଖବରକାଗଜ କରିବେ, ସେତେବେଳେ ମୁଁ ଭାରି ଖୁସି ହେଲି । ବଡ଼ ଓ ଭଲ ହେବାକୁ କାହାର ବା ଇଚ୍ଛା ନ ହୁଏ ? ଲୋକେ ମୋତେ ପଢ଼ିବେ ଓ ଅନେକ ଭଲ କଥା ମୋ ଦେହରେ ଲେଖା ହେବ-ଏ କଥା ଶୁଣି ମୋର ଭାରି ଆନନ୍ଦ ହେଲା ।

 

ତା ପରେ ମୋତେ ଗଡ଼ ଗଡ଼ କରି କାଟି ଦୂରକୁ ନେଇ ଗଲେ । ସେଠାରେ କରତିମାନେ କରତରେ ମୋତେ ଚିରି ପକାଇଲେ । ଚିରାଖଣ୍ଡଗୁଡ଼ାକୁ ଗୋଟାଏ କଳ ଭିତରେ ପୁରାଇ ଦିଆଗଲା । ଓଃ, ସେ କଳ ଭିତରେ କି ଭୟଙ୍କର ଯନ୍ତ୍ରଣା । ମୋତେ ଏତେ କଷ୍ଟ ହେଲା ଯେ, ମୁଁ ବଡ଼ପାଟିରେ କାନ୍ଦିଲି । ଗୋଟାକ ପରେ ଗୋଟାଏ ଏହି ଭଳି ୭।୮ଟା କଳରେ ମୋତେ ପଶିବାକୁ ହେଲା । ଶେଷ କଳ ଭିତରୁ ମୁଁ ଚିକ୍‌କଣ କାଦୁଅ ପରି ଏକ ପ୍ରକାର ମଣ୍ଡ ହୋଇ ବାହାରିଲି । ତା ପରେ ପୁଣି କଳରେ ପଶିଲି । ଶେଷରେ ତହିଁରୁ ବଡ଼ ବଡ଼ ଧଳାକାଗଜ ଫର୍ଦ୍ଦ ହୋଇ ବାହାରିଲି । ସେତେବେଳେ ଭାବିଲି, ଏଥର ମୋ ଅବସ୍ଥା ଟିକିଏ ଉନ୍ନତ ହେଲା; ମାତ୍ର ସମୁଦ୍ରକୂଳ ବଣରେ ଥିଲାବେଳେ ମୁଁ ଯେପରି ସୁଖରେ ଥିଲି, ଏ ଅବସ୍ଥାରେ ମୋର ଆଉ ସେ ସୁଖ ରହିଲା ନାହିଁ ।

 

ତା ପରେ ମୋତେ ପୁଣି ଗୋଟାଏ କଳ ଭିତରେ ପୂରାଇ ଲୋକେ ବଡ଼ ବଡ଼ ଗଣ୍ଠିରେ ବାନ୍ଧିଲେ ଏବଂ ସମୁଦ୍ରକୂଳକୁ ଆଣି ଜାହାଜ ଭିତରେ ରଖିଲେ । ମୋ ଜନ୍ମସ୍ଥାନ ଛାଡ଼ି ମୋତେ ଅନ୍ୟ ଦେଶକୁ ଯିବାକୁ ହେଲା । ଓଃ, ଜାହାଜ ଭିତରେ ଏକ ସପ୍ତାହ ଯାଏ ମୋତେ ଭାରି କଷ୍ଟ ହେଲା । ମୁଁ କେବେହେଲେ ଜାହାଜରେ ଚଢ଼ି ନ ଥିଲି । ମୁଁ ଯେଉଁ ଗଣ୍ଠିରାରେ ବନ୍ଧା ହୋଇଥିଲି, ସେ ଗଣ୍ଠିରାଟାକୁ ନେଇ ଜାହାଜର ମାସ୍ତୁଲ ପାଖରେ ରଖିଥିଲେ । ମାସ୍ତୁଲଟା ଆମ ଦେବଦାରୁ କାଠରେ ତିଆରି । ସେ ମୋର ପିଲାଦିନର ଚିହ୍ନା ସାଙ୍ଗ । ମୋର ଅବସ୍ଥା ଦେଖି ସେ କହିଲା, ‘‘ଭାଇ, ଖବରକାଗଜ ହେବାଠାରୁ ମାସ୍ତୁଲ ହେବା ଖୁବ୍‌ ଭଲ; କାରଣ ଖବରକାଗଜକୁ ଲୋକେ ଦିନେ ମାତ୍ର ଆଦର କରନ୍ତି, ମାତ୍ର ମାସ୍ତୁଲ ଅନେକ ଦିନ ଯାଏ ରହେ ଓ ନିଜେ ଜାହାଜର ମାଲିକ କାପ୍ତାନ୍‌ ମୋ ଦେହରେ ଆଉଜି କରି ବସନ୍ତି । ଏହା କଅଣ ଅଳ୍ପ ଭାଗ୍ୟର କଥା ? ତା ଛଡ଼ା କେତେ ସୁନ୍ଦର ଦୃଶ୍ୟ ମୁଁ ପ୍ରତିଦିନ ଦେଖୁଅଛି ।’’ ଏହି ସବୁ କଥା ମାସ୍ତୁଲଠାରୁ ଶୁଣି ମୋତେ ଭାରି କାନ୍ଦ ମାଡ଼ିଲା । ମୁଁ ଆଉ କଥା ନ କହି କାନ୍ଦି କାନ୍ଦି ଶୋଇ ପଡ଼ିଲି ।

 

କିଛି ଦିନ ପରେ ବନ୍ଦରରେ ଜାହାଜ ଲାଗିଲା । ମୁଁ ଯେଉଁ ଗଣ୍ଠିରାରେ ବନ୍ଧା ହୋଇଥିଲି, ସେ ଗଣ୍ଠିରା ଓ ଅନ୍ୟାନ୍ୟ କାଗଜ ଗଣ୍ଠିରାଗୁଡ଼ାକୁ ଲୋକେ ଜାହାଜରୁ ବାହାର କରି ତଳେ ଫୋପାଡ଼ି ଦେଲେ । ତା ପରେ ଗାଡ଼ିରେ ଲଦି ଆମ ସମସ୍ତଙ୍କୁ ଗୋଟାଏ ଖବରକାଗଜ ଛପାଖାନାର ତଳମହଲା ଅନ୍ଧାରିଆ ମାଲଗୋଦାମ ଘରେ ରଖିଲେ । ସେଠାରେ ପବନ କି ସୂର୍ଯ୍ୟକିରଣ କିଛି ମିଳିଲା ନାହିଁ । ଯନ୍ତ୍ରଣାରେ ଛଟପଟ ହୋଇ ସେଠାରେ ପଡ଼ି ରହିଲି । ଦିନେ ରାତିରେ ମୁଁ ସେଠାରୁ ଛପାକଳ ଘରକୁ ନିଆ ହେଲି । ସେଠାରେ ଛାପାକଳ ଉପରେ ମୋତେ ଦୃଢ଼ରୂପେ ବସାଇ ଦିଆଗଲା । ଏହି ସମୟରେ ଖୁବ୍‌ ଭାରି କାଳିବୋଳା ଗୁଡ଼ାଏ ଅକ୍ଷର ମୋ ଉପରେ ମାଡ଼ି ହୋଇଗଲେ । ଶେଷରେ ମୁଁ ଯେତେବେଳେ ପଦାକୁ ବାହାରି ଆସିଲି, ସେତେବେଳେ ଦେଖିଲି ଯେ ମୋ ଦେହସାରା କେବଳ ଶବ୍ଦ ଗୁଡ଼ାଏ ପୂରି ରହିଛି । ସେ ଗୁଡ଼ାକ ସେ ଭଳି ସୁନ୍ଦର ବା ଭଲ ଶବ୍ଦ ନୁହେ । ‘ଛାଡ଼ପତ୍ର ମକଦ୍ଦମା’, ‘ପାତିମାଙ୍କଡ଼ଙ୍କ ଉପଦ୍ରବ’, ‘ଭୟଙ୍କର ରେଳ ଦୁର୍ଘଟଣା’ ‘ଧର୍ମଘଟ ବଢ଼ିଲା’, ‘ସରକାରଙ୍କ ଦୃଷ୍ଟି ପଡ଼ୁ’, ଏହିଭଳି ଗୁଡ଼ାଏ ବାଜେ ବିଷୟରେ ମୋ ଦେହ ପୂରିଥିଲା । ଯେତେବେଳେ ମୁଁ ଦେଖିଲି, ଗୋଟାଏ ହେଲେ ଭଲ ଶବ୍ଦ ମୋ ଉପରେ ଛପା ହୋଇ ନାହିଁ, ସେତେବେଳେ ଭାବିଲି, ମାସ୍ତୁଲ ହେବା ସବୁଠାରୁ ଭଲ । ଯେବେ ମୁଁ ଏଠାରୁ ମୁକ୍ତି ପାଏଁ, ତେବେ ଭବିଷ୍ୟତରେ ମୁଁ ଆଉ ଖବରକାଗଜ ହେବାକୁ କେବେହେଁ ଇଚ୍ଛା କରିବି ନାହିଁ-

 

ମୁଁ ଭାବୁଛି, ଏହି ସମୟରେ ମୋତେ କଳରେ ନେଇ କାଟି ପୁଣି ବିଡ଼ା ବିଡ଼ା କରି ବାନ୍ଧିଲେ । ଜଣେ ଲୋକ ସକାଳଶୀତରେ ମୋତେ ନେଇ ରେଲଷ୍ଟେସନକୁ ଦଉଡ଼ିଲା ଓ ସେଠାରେ ଗୋଟିଏ ପଇସା ମୂଲ୍ୟରେ ମୋତେ ବିକିଦେଲା । ଜଣେ ବାବୁ ମୋତେ କିଣି ନେଇ ମୋ ଉପରେ ଟିକିଏ ଆଖି ପକାଇ କିଛି କ୍ଷଣ ପଢ଼ିଲେ; ମାତ୍ର ଭଲ ଖବର କିଛି ନ ଥିବାରୁ ମୋତେ ତାଙ୍କ ବିଛଣା ତଳକୁ ଫୋପାଡ଼ି ଦେଲେ । କିଛି କ୍ଷଣ ପରେ ଆଉ ଜଣେ ବାବୁଙ୍କ ଆଖି ମୋ ଉପରେ ପଡ଼ିଲା । ସେ ବି ଟିକିଏ ପଢ଼ିଲେ; ଶେଷରେ ଘରକୁ ଗଲାବେଳେ ବଜାରରୁ ମାଛ କିଣି ମୋ ଦେହରେ ଗୁଡ଼ାଇ କରି ନେଲେ । ମାଛ ଘରକୁ ଗଲା; ମାତ୍ର ମୁଁ ପଦାରେ ରାତିଟା ଯାକ ପଡ଼ି ରହିଲି । ମାଛ ଗନ୍ଧ ମୋ ପକ୍ଷରେ ଏଡ଼େ ଅସହ୍ୟ ହେଲା ଯେ, ତହିଁରେ ମୋର ମୂର୍ଚ୍ଛା ହୋଇଗଲା । ସମୁଦ୍ରକୂଳ ବଣରେ ମୁଁ କେଡ଼େ ସୁଖରେ ଥିଲି, ସେତେବେଳେ ସେସବୁ କଥା ମୋ ମନେ ପଡ଼ିଲା । ରାତି ପାହିଲାରୁ ଗୋଟିଏ ନେକଡ଼ୀ ବୁଢ଼ୀ ମୋତେ ନେଇ ଯାଇ ନିଆଁ ଜାଳିଲା ଏବଂ ଚାହୁଁ ଚାହୁଁ ମୁଁ ପାଉଁଶ ହୋଇଗଲି ।

 

ପ୍ରଶ୍ନ

 

୧.

କେଉଁ କେଉଁ ପଦାର୍ଥରୁ କାଗଜ ତିଆରି ହୁଏ ? ଓଡ଼ିଶାରେ କାଗଜର କି କି ଉପକରଣ ମିଳେ ?

୨.

ଖବରକାଗଜ କି ରୀତିରେ ଛାପା ହୋଇ ବଜାରରେ ବିକା ହୁଏ ?

୩.

କୌଣସି କାଠ ପକ୍ଷରେ ମାସ୍ତୁଲ ହେବା ଭଲ କି କାଗଜ ହେବା ଭଲ ? କାହିଁକି ?

Image

 

ଆଫ୍ରିକାରେ କାଫ୍ରିଦେଶ ଆବିଷ୍କାର

 

ପୃଥିବୀରେ ଆଫ୍ରିକା ଗୋଟିଏ ବଡ଼ ମହାଦେଶ । ବଣ, ଜଙ୍ଗଲ, ପାହାଡ଼ରେ ସେ ରାଜ୍ୟ ପୂର୍ଣ୍ଣ । ସାହାରା ବୋଲି ଗୋଟିଏ ବଡ଼ ମରୁଭୂମି ମଧ୍ୟ ସେ ମହାଦେଶରେ ଅଛି । ବାଘ, ସିଂହ, ହାତୀ ପ୍ରଭୃତି ହିଂସ୍ରଜନ୍ତୁ ଆଫ୍ରିକା ବଣରେ ଯେତେ ଅଛନ୍ତି ବୋଧହୁଏ ଅନ୍ୟ ମହାଦେଶରେ ସେତେ ନାହାନ୍ତି । କାଫ୍ରି, ନିଗ୍ରୋ ପ୍ରଭୃତି ଅସଭ୍ୟ ଜାତି ସେହି ସବୁ ବଣରେ ବାସ କରନ୍ତି । ସେମାନେ ମଧ୍ୟ ବାଘ, ସିଂହଙ୍କ ପରି ହିଂସ୍ର; ଅନ୍ୟ ଦେଶ ମଣିଷକୁ ଦେଖିଲେ ମାରି ଖାଇ ଯାଆନ୍ତି । କାଫ୍ରିଗୁଡ଼ାକ ଦେଖିବାକୁ କଳା ଓ ଭାରି ଅସୁନ୍ଦର । ଆଜିକି ୬୦।୭୦ ବର୍ଷତଳେ ଆଫ୍ରିକା ଭିତରର ଅବସ୍ଥା ସମ୍ୱନ୍ଧରେ ପୃଥିବୀର ଅନ୍ୟ ଦେଶର ଲୋକମାନେ ପ୍ରାୟ କିଛି ଜାଣି ନ ଥିଲେ । ଏପରି ଭୟଙ୍କର ବଣୁଆ ଦେଶ ଭିତରେ ପଶିବାକୁ କିଏ ବା ସାହସ କରିବ ?

 

କିନ୍ତୁ ଜଣେ ଲୋକ ଭାରି ସାହସରେ ସେ ମହାଦେଶ ମଧ୍ୟରେ ପଶିଥିଲେ; ସେହି ସାହସ ହେତୁରୁ ସେ ଆଜି ପୃଥିବୀରେ ପରିଚିତ ହୋଇଅଛନ୍ତି । ତାଙ୍କ ନାମ ଡାକ୍ତର ଲିଭିଂଷ୍ଟୋନ୍‌; ସର୍ବଶ୍ରେଷ୍ଠ ଦେଶ-ଆବିଷ୍କାରକ ବୋଲି ସେ ପୃଥିବୀରେ ବିଖ୍ୟାତ ।

 

ଭିଲିଂଷ୍ଟୋନ୍‌ ଖ୍ରୀଷ୍ଟଧର୍ମପ୍ରଚାରକ ଜଣେ ଡାକ୍ତର । ଏହି ଧର୍ମପ୍ରଚାରକମାନଙ୍କୁ ପାଦ୍ରି ବା ମିଶନାରୀ କହନ୍ତି । ୧୮୪୦ ଖ୍ରୀଷ୍ଟାବ୍ଦରେ ଆଫ୍ରିକାରେ ପଦାର୍ପଣ କରି ସେଠାରେ ଦଶ ବର୍ଷ କାର୍ଯ୍ୟ କରିବା ପରେ ମହାଦେଶ ଭିତରେ ପ୍ରବେଶ କରିବାପାଇଁ ତାଙ୍କର ଇଚ୍ଛା ହେଲା ।

 

ଆଫ୍ରିକା ଦକ୍ଷିଣରେ କେପ୍‌ଟାଉନ୍‌ ନାମରେ ଗୋଟିଏ ବନ୍ଦର ଅଛି । ସେଠାରେ ଲିଭିଂଷ୍ଟୋନ୍‌ ଡାକ୍ତରୀ କରୁଥିଲେ । ୧୮୫୨ ଖ୍ରୀଷ୍ଟାବ୍ଦରେ ସେଠାରୁ ସେ ଉତ୍ତର ଦିଗକୁ ଯାତ୍ରା ଆରମ୍ଭ କଲେ । ୧୦ଟା ଷଣ୍ଢ, କେତେ ଜଣ ଲୋକ ଓ ପ୍ରୟୋଜନୀୟ ଜିନିଷପତ୍ର ସାଙ୍ଗରେ ନେଲେ । କିଛିଦୂର ଯିବା ପରେ ‘କାଲାହାରୀ’ ନାମରେ ଗୋଟାଏ ମରୁଭୂମି ପଡ଼ିଲା । ତା ଆଗରୁ ଲୋକେ ମନେ କରୁଥିଲେ ଯେ, ଏ ମରୁଭୂମି ପାର ହେବା ଏକାନ୍ତ ଅସମ୍ଭବ; କିନ୍ତୁ ଲିଭିଂଷ୍ଟୋନ୍‌ ଦେଖିଲେ କାଲାହାରୀ ଭୟଙ୍କର ମରୁଭୂମି ନୁହେ । ମଝିରେ ମଝିରେ ମରୁଦ୍ୱୀପ ଅଛି; କିନ୍ତୁ ଏହି ମରୁଭୂମି ଚାରି ପାଖରେ ଭୟଙ୍କର ବନ୍ୟଜନ୍ତୁ ଏବଂ ସେମାନଙ୍କ ଅପେକ୍ଷା ଆହୁରି ଭୟଙ୍କର ବଣୁଆ ଲୋକମାନେ ରହନ୍ତି । ସେହି ଦିଗନ୍ତବିସ୍ତୃତ ବାଲୁକାରାଶି ମଧ୍ୟରେ ନିର୍ଜନ ରାତିରେ ଯାଉଁ ଯାଉଁ କେତେ ଥର ସେ ଭୀଷଣ ସିଂହ ଗର୍ଜନ ଶୁଣି ସ୍ତବ୍‌ଧ ହୋଇ ଯାଇଥିଲେ । କି ଭୟଙ୍କର ସେ ଗର୍ଜନ-। ସତେ ଯେପରି ସେ ଗର୍ଜନ ଶୁଣି ଆକାଶର ଚନ୍ଦ୍ର ଭୟରେ ଥରି ଉଠୁଥିଲା ।

 

ମରୁଭୂମି ପାରି ହୋଇ ସେ ୧୮୫୩ ଖ୍ରୀଷ୍ଟାବ୍ଦ ମେ ମାସରେ ଲିନିୟାନ୍ତୀ ନାମକ ଗୋଟିଏ ବଣୁଆ ମୁଲକରେ ପହଞ୍ଚିଲେ । ସେ ଭଲ ଡାକ୍ତର; ଅନେକ ଲୋକଙ୍କୁ ଔଷଧ ଦେଇ ଭଲ କରିବାରୁ ସେ ଦେଶର ରାଜା ତାଙ୍କୁ ଭାରି ଆଦରରେ ସେଠାରେ ରଖିଲେ । ସେଠାରୁ ବାହାରି ଲୀବା ନାମକ ନଈ କୂଳେ କୂଳେ ସେ ପଶ୍ଚିମ ସୀମାନ୍ତ ପର୍ଯ୍ୟନ୍ତ ଅଗ୍ରସର ହେଲେ । ବାଟରେ ଆଫ୍ରିକା ମହାଦେଶର ଜୀବଜନ୍ତୁଙ୍କ ବିଷୟରେ ସେ ଅନେକ ତଥ୍ୟ ସଂଗ୍ରହ କରିଥିଲେ । ଭୟଙ୍କର ଶବ୍ଦ କରୁଥିବା ଏକପ୍ରକାର ପକ୍ଷୀ ତାଙ୍କ ଆଖିରେ ପଡ଼ିଥିଲା; ସେ ପକ୍ଷୀ କୁମ୍ଭୀରଙ୍କର ପରମବନ୍ଧୁ । କୁମ୍ଭୀର ମୁହଁ ଭିତରେ ବେଳେ ବେଳେ ଅନେକ ପାଣିପୋକ ପଶି ତାକୁ ଭାରି କଷ୍ଟ ଦିଅନ୍ତି । ସେ ପାଣିରୁ ମୁହଁ କାଢ଼ି ଆଁ କଲା ମାତ୍ରେ ଏ ପକ୍ଷୀ ତା ମୁହଁ ଭିତରେ ନିର୍ଭୟରେ ପଶିଯାଇ ତାର ସରୁ ଲମ୍ୱ ଥଣ୍ଟ ସାହାଯ୍ୟରେ ପୋକଗୁଡ଼ାଙ୍କୁ ଖାଇଯାଏ । କୁମ୍ଭୀର ଏହାର କୌଣସି ଅନିଷ୍ଟ କରେ ନାହିଁ । ପୋକଗୁଡ଼ାଙ୍କୁ ଖାଇସାରି ସେ ଉଡ଼ି ଚାଲିଯାଏ । ଏଠାରେ ଆଉ ଏକ ପ୍ରକାର ବିଚିତ୍ର ଚଢ଼େଇ ମଧ୍ୟ ସେ ଦେଖିଥିଲେ । ତା ମୁହଁଟା ଚଢ଼େଇ ମୁହଁ ପରି; କିନ୍ତୁ ଦେହଟା ସାପ ଦେହ ଭଳି । ମୁହଁ ଟେକି ସେ ପାଣିରେ ଖୁବ୍‌ ପହଁରିପାରେ । ବଣରେ ଦଳ ଦଳ ହୋଇ ବଣଜନ୍ତୁ ବୁଲୁଥାଆନ୍ତି । ସେ ବାଟେ ଯିବାବେଳେ ଦୁଇ ଜଣ ରାଣୀଙ୍କ ସଙ୍ଗେ ତାଙ୍କର ପରିଚୟ ହୋଇଥିଲା । ସେ ମୁଲକରେ ଏପରି କେତେକ ସ୍ଥାନ ଅଛି, ଯେଉଁଠାରେ ସ୍ତ୍ରୀମାନେ ବଂଶପରଂପରାକ୍ରମେ ଆଜିଯାଏ ରାଜୁତି କରୁଅଛନ୍ତି-

 

ସେ ସମୟରେ ଇଉରୋପର ବେପାରୀମାନେ ଆଫ୍ରିକାର ସମୁଦ୍ରକୂଳରେ ଜାହାଜ ରଖି ସମୁଦ୍ରକୂଳିଆ ବଣୁଆ ଲୋକମାନଙ୍କୁ ଧରି ଜାହାଜରେ ବସାଇ ଆମେରିକା ଓ ଇଉରୋପରେ ନେଇ ବିକ୍ରି କରୁଥିଲେ । ଏହାର ନାମ ଦାସବ୍ୟବସାୟ । ଲୋକେ ଦାସମାନଙ୍କୁ ପଶୁ ପରି ଭାରି କଷ୍ଟ ଦେଇ କାମ କରାଉଥିଲେ । ତାପରେ ଲିଭିଂଷ୍ଟୋନ୍‌ ଚିକୋବୀ ନାମକ ରାଜ୍ୟରେ ପହଞ୍ଚି ଦେଖିଲେ ଯେ, ସେଠାରେ କେତେକ ଲୋକ ବେପାରୀମାନଙ୍କୁ ଦାସ ବ୍ୟବସାୟରେ ସାହାଯ୍ୟ କରି ଚଳନ୍ତି । ସେମାନେ ଲିଭିଂଷ୍ଟୋନ୍‌ଙ୍କୁ ଦେଖି ମନେ କଲେ ଯେ, ଦାସବ୍ୟବସାୟକୁ ଧ୍ୱଂସ କରିବାପାଇଁ ସେ ତାଙ୍କ ଦେଶକୁ ଆସିଅଛନ୍ତି; ତେଣୁ ଗୋପନରେ ତାଙ୍କୁ ମାରି ପକାଇବା ପାଇଁ ସେମାନେ ଚେଷ୍ଟା କଲେ । ଦିନେ ସକାଳେ ଲିଭିଂଷ୍ଟୋନ୍‌ ତାଙ୍କ ତମ୍ୱୁ ଭିତରେ ବସିଅଛନ୍ତି, ଏହି ସମୟରେ କେତେ ଜଣ କାଫ୍ରି ଆସି ତାଙ୍କ ଜିନିଷପତ୍ର ଲୁଟିକଲେ । ସେ କାହାକୁ କିଛି ନ କହି ବା କୌଣସି ପ୍ରକାର ବାଧା ନ ଦେଇ ନିଶ୍ଚିନ୍ତ ମନରେ ବନ୍ଧୁକଟି କୋଳରେ ରଖି ବସି ରହିଲେ । କାଫ୍ରିମାନେ ତାଙ୍କ ସାହସ ଦେଖି ଏକାବେଳକେ ଦବିଗଲେ । ତା ପରେ ସେ କାଫ୍ରିଙ୍କ ଭାଷାରେ ତାଙ୍କର ସେ ଦେଶକୁ ଆସିବା କଥା ଭଲ କରି ବୁଝାଇ ଦେବାରୁ ସେମାନେ ଭାରି ଖୁସି ହୋଇ ତାଙ୍କ ଜିନିଷପତ୍ର ଆଣି ତମ୍ୱୁରେ ରଖିଦେଲେ । ଏହା ଦେଖି ଲିଭିଂଷ୍ଟୋନ୍‌ ନିଜ ଇଚ୍ଛାରେ ସେମାନଙ୍କୁ ଖାଇବା ପାଇଁ ଗୋଟାଏ ଷଣ୍ଢ ଦେଲେ; ତେଣୁ ସେଠାରେ ଆଉ କିଛି ଗୋଳମାଳ ହେଲା ନାହିଁ । ସେଠାରୁ ସେ ସିଧା ପଶ୍ଚିମ ଉପକୂଳକୁ ଚାଲିଲେ । ବାଟରେ ଯାଉଁ ଯାଉଁ ଦେଖିଲେ ଯେ, ଅନେକ କାଫ୍ରି ଗାଁ ଜନଶୂନ୍ୟ ହୋଇ ପଡ଼ିଅଛି । ଦାସବ୍ୟବସାୟୀମାନେ ସେ ସବୁ ଗ୍ରାମର ବୁଢ଼ା, ଯୁବା, ସ୍ତ୍ରୀ, ବାଳକ ସମସ୍ତଙ୍କୁ ଯେ ଧରି ନେଇ ଯାଇଅଛନ୍ତି, ଏଥିରେ ଆଉ ତାଙ୍କର ସନ୍ଦେହ ରହିଲା ନାହିଁ । ବାଟରେ ତାଙ୍କୁ ଭାରି ମ୍ୟାଲେରିଆ ଜ୍ୱର ହେଲା । ସେଠାରୁ ସେ ଲିନିୟନ୍ତୀ ଫେରିଆସି ସ୍ଥିର କଲେ ଯେ, ଏଥର ଜାମ୍ୱେଜୀ ନଦୀତୀରରେ ପୂର୍ବ ଉପକୂଳ ଯାଏ ଯିବେ । ଜରରେ ତାଙ୍କ ଶରୀର ଭାରି ଦୁର୍ବଳ ହୋଇ ପଡ଼ିଥିଲେ ସୁଦ୍ଧା ତାଙ୍କ ମନବଳ କମି ନ ଥିଲା । ଏଥର ବାଟରେ ଯାଉଁ ଯାଉଁ ଗୋଟାଏ ବିଚିତ୍ର ଦୃଶ୍ୟ ତାଙ୍କ ଆଖିରେ ପଡ଼ିଲା । ସେ ଦେଖିଲେ, ଦୂରରୁ ଧୂଆଁ ଖମ୍ୱ ଧରି କଅଣ ଗୁଡ଼ାଏ ଦେଖାଯାଉଅଛି । ସେହି ଆଡ଼କୁ ସେ ଅଗ୍ରସର ହେଲେ । କିଛିଦୂର ଯିବା ପରେ ଗୋଟାଏ ଭୟଙ୍କର ଗଭୀର ଗର୍ଜନ ତାଙ୍କ କାନରେ ପଡ଼ିଲା । ସାଙ୍ଗରେ ଥିବା କାଫ୍ରିମାନେ ଆଉ ଆଗକୁ ଯିବା ପାଇଁ ତାଙ୍କୁ ମନା କଲେ । ସେମାନେ କହିଲେ, ତାଙ୍କ ବାପଅଜାଙ୍କ ଅମଳରୁ ଏହି ଶବ୍ଦ ଶୁଣାଯାଉଅଛି । ସେ ଦୈତ୍ୟଦାନବଙ୍କ ଦେଶ; ମାତ୍ର ଲିଭିଂଷ୍ଟୋନ୍‌ ତାଙ୍କ କଥା ନ ଶୁଣି ଯେତେବେଳେ ସେ ସ୍ଥାନ ନିକଟରେ ପହଞ୍ଚିଲେ, ସେତେବେଳେ ସମ୍ମୁଖର ଦୃଶ୍ୟ ଦେଖି ତାଙ୍କ ଦେହ ଓ ମନ ଏକାବେଳକେ ଜଡ଼ହୋଇ ଆସିଲା । ପ୍ରକୃତିର ଅନନ୍ତ ସୌନ୍ଦର୍ଯ୍ୟ ମଧ୍ୟରେ ଜଗତର ସର୍ବଶ୍ରେଷ୍ଠ ଜଳପ୍ରପାତ ଦିନରାତି ଭୟଙ୍କର ଗର୍ଜନ କରି ପ୍ରବାହିତ ହେଉଅଛି । ଏପର୍ଯ୍ୟନ୍ତ ତାହା କାହାରି ଆଖିରେ ପଡ଼ି ନ ଥିଲା । ସେ ଏହି ଜଳପ୍ରପାତ ପ୍ରଥମେ ଆବିଷ୍କାର କରି ମହାରାଣୀ ଭିକ୍‌ଟୋରିୟାଙ୍କ ନାମ ଅନୁସାରେ ତାକୁ ‘ଭିକ୍‌ଟୋରିୟା ପ୍ରପାତ’ ନାମ ଦେଲେ । ଏହାର ଚଉଡ଼ା ପ୍ରାୟ ଏକମାଇଲ ଏବଂ ଉଚ୍ଚତା ୪୩୦ ଫୁଟ ।

 

ସେଠାରୁ ଆଉ କିଛି ଦୂର ଆଗକୁ ଯିବା ପରେ ଦଳେ ବଣୁଆ ଷଣ୍ଢ ଆସି ତାଙ୍କୁ ଆକ୍ରମଣ କଲେ । ଆଫ୍ରିକାର ବଣରେ ଏ ଷଣ୍ଢଗୁଡ଼ାକ ଭୟଙ୍କର ରାଗୀ ଜନ୍ତୁ । ଏମାନଙ୍କ ଶିଙ୍ଗରେ ଏତେ ବଳ ଯେ, ଏମାନେ ହାତୀ ପରି ଜୀବକୁ ମଧ୍ୟ ଶିଙ୍ଗରେ ଟେକି ଦୂରକୁ ଫିଙ୍ଗି ଦିଅନ୍ତି । ଗୋଟାଏ ଷଣ୍ଢ ଲିଭିଂଷ୍ଟୋନଙ୍କ ପାଖକୁ ଚାଲିଆସିବାରୁ ତାଙ୍କ ଦଳର ଜଣେ କାଫ୍ରି ଗୋଟାଏ ବର୍ଚ୍ଛାରେ ତାକୁ ଭୁଷିଦେଲା । ଆଘାତ ପାଇ ଷଣ୍ଢଟା ଭୟଙ୍କର ଭାବରେ ରାଗିଯାଇ କାଫ୍ରିକୁ ଶିଙ୍ଗରେ ଏପରି ଜୋରରେ ଟେକି ଫିଙ୍ଗିଦେଲା ଯେ, ସେ ପ୍ରାୟ ୨୦ ହାତ ଉଚ୍ଚରୁ ଗୋଟାଏ ବୁଦାଗଛ ଉପରେ ପଡ଼ି କୌଣସିମତେ ବଞ୍ଚିଗଲା । ଏହି ସମୟରେ ଲିଭିଂଷ୍ଟୋନ୍‌ ବନ୍ଧୁକରେ ଗୁଳି ମାରି ଷଣ୍ଢଟାକୁ ମାଟିରେ ଶୁଆଇଦେଲେ । ଆଉ ଥରେ ଗୋଟାଏ ସିଂହ ହାବୁଡ଼ରେ ସେ ପଡ଼ିଥିଲେ-। ଜଣେ କାଫ୍ରି ସାହସ କରି ସିଂହ ମୁହଁରେ ଗୋଟାଏ ବର୍ଚ୍ଛା ପୂରାଇ ଦେବାରୁ ସେ ଦବିଗଲା; ସମସ୍ତେ ମିଶି ତାକୁ ମାରି ପକାଇଲେ ।

 

ଆଫ୍ରିକାର ବଣୁଆ ଲୋକେ ବନ୍ୟ ଜୀବଙ୍କ ଅପେକ୍ଷା ଆହୁରି ହିଂସ୍ର । ସେମାନେ ଲିଭିଂଷ୍ଟୋନ୍‌ଙ୍କୁ ମାରି ପକାଇବାକୁ ଅନେକ ଥର ଚେଷ୍ଟା କରିଥିଲେ; ମାତ୍ର ସେ ଔଷଧ ଦେଇ ତାଙ୍କ ଭିତରୁ ଅନେକ ରୋଗୀଙ୍କୁ ଭଲ କରିଦେବାରୁ ସେମାନେ ତାଙ୍କୁ ଶେଷରେ ଭାରି ଭକ୍ତି କରି ଦେବତା ବୋଲି ମନେକଲେ । କାଫ୍ରିମାନେ କେବେ କଳଘଡ଼ି ଦେଖି ନ ଥିଲେ । ଲିଭିଂଷ୍ଟୋନ ଯେତେବେଳେ ତାଙ୍କ ଘଡ଼ି ଦେଖାଇଲେ, ସେତେବେଳେ ସେମାନେ ଅବାକ୍‌ ହୋଇ ଭାବିଲେ, ଏ ଧଳାଚମଡ଼ାବାଲା ଲୋକର କ୍ଷମତା ଅସାଧାରଣ; ସେ ଯାହା ଇଚ୍ଛା ତାହା କରି ପାରନ୍ତି ।

 

୧୮୫୮ ଖ୍ରୀଷ୍ଟାବ୍ଦରେ ଲିଭିଂଷ୍ଟୋନ୍‌ ଆଫ୍ରିକା ସମ୍ୱନ୍ଧରେ ଅନେକ ତଥ୍ୟ ସଂଗ୍ରହ କରି ଭଗ୍ନସ୍ୱାସ୍ଥ୍ୟରେ ଇଂଲଣ୍ଡକୁ ଫେରିଲେ । ସେଠା ଲୋକେ ତାଙ୍କ ଆବିଷ୍କାର ଓ ସାହସ କଥା ଶୁଣି ନାନାଭାବରେ ତାଙ୍କ ପ୍ରତି ଭକ୍ତି ଓ ସମ୍ମାନ ପ୍ରଦର୍ଶନ କଲେ । ସ୍ୱଦେଶରେ ନିଜ ସ୍ତ୍ରୀପୁତ୍ରଙ୍କ ସଙ୍ଗେ ମିଳି ସେ କିଛି କାଳ ଭାରି ସୁଖରେ କଟାଇଲେ । ମାତ୍ର କିଛିଦିନ ପରେ ତାଙ୍କୁ ଆଉ ନିଜଦେଶ ଭଲ ଲାଗିଲା ନାହିଁ । ଆଫ୍ରିକାର ସେହି ବନ୍ୟ ଅସଭ୍ୟ ଦେଶର ଲୋକଙ୍କ ଭିତରେ କିପରି ସଭ୍ୟତା-ଆଲୋକ ପ୍ରବେଶ କରିବ; ସେଥିପାଇଁ ସେ ବ୍ୟାକୁଳ ହୋଇ ପଡ଼ିଲେ; ପୁଣି ଆଫ୍ରିକାକୁ ଯାତ୍ରା ଆରମ୍ଭ କଲେ ।

 

୨ବର୍ଷ ପରେ ତାଙ୍କ ପୂର୍ବସ୍ଥାନକୁ ଫେରିଯାଇ ଦେଖିଲେ ଯେ, କାଫ୍ରିମାନେ ତାଙ୍କ ଜିନିଷପତ୍ରରେ ହାତ ଦେଇ ନାହାନ୍ତି । ସେ ସବୁ ସେ ଯେପରି ଭାବରେ ରଖିଦେଇ ଆସିଥିଲେ, ସେହିପରି ଭାବରେ ରହିଅଛି; ମାତ୍ର ଦାସବ୍ୟବସାୟୀଙ୍କ ଅତ୍ୟାଚାରରେ ଅନେକ କାଫ୍ରିଗାଁ ଜନଶୂନ୍ୟ ହୋଇ ପଡ଼ିଅଛି । ଏହା ଦେଖି ତାଙ୍କ ମନରେ ଭାରି କଷ୍ଟ ହେଲା । ବେଳେ ବେଳେ ଏହି ଦାସବ୍ୟବସାୟୀଙ୍କ ସଙ୍ଗେ ତାଙ୍କର ହଠାତ୍‌ ଦେଖାହୋଇ ଯାଉଥିଲା । ସେମାନେ କାଫ୍ରିମାନଙ୍କୁ ଲୁହା ଶିକୁଳିରେ ବାନ୍ଧି ଜାହାଜ ପାଖକୁ ଘେନି ଯାଉଥାଆନ୍ତି । ଏ ଦୃଶ୍ୟ ଲିଭିଂଷ୍ଟୋନ୍‌ ସହି ନ ପାରି ଦାସବ୍ୟବସାୟୀଙ୍କ ସଙ୍ଗେ କଳିଗୋଳ, ମାଡ଼ ଫୌଜଦାରୀ କରି କାଫ୍ରିମାନଙ୍କୁ ଖଲାସ କରି ଦେଉଥିଲେ ।

 

ନୟାସା ନାମକ ହ୍ରଦ ଆବିଷ୍କାର କଲାବେଳେ ସେ ଏକ ସ୍ଥାନରେ ଦେଖିଲେ ଯେ, ଅନେକ କ୍ଷୁଦ୍ର କ୍ଷୁଦ୍ର ପୋକ ମାଟିରୁ ବାହାରି ଆକାଶରେ ଉଡ଼ୁଅଛନ୍ତି । ସ୍ଥାନୀୟ ଲୋକ ଏକ ପ୍ରକାର ଜାଲରେ ତାଙ୍କୁ ରାତିରେ ଧରନ୍ତି ଓ ସକାଳେ ସେଥିରେ ପିଠା ତିଆରି କରି ଭାରି ଆନନ୍ଦରେ ଖାଆନ୍ତି ।

 

୧୮୬୬ ଖ୍ରୀଷ୍ଟାବ୍ଦରେ ସେ ପୁଣି ଇଂଲଣ୍ଡକୁ ଫେରିଲେ । ସେତେବେଳକୁ ବୁଢ଼ା ହୋଇ ନ ଥିଲେ ସୁଦ୍ଧା ସେ ରୋଗରେ ଏକାନ୍ତ ଜୀର୍ଣ୍ଣଶୀର୍ଣ୍ଣ ହୋଇ ପଡ଼ିଥିଲେ । କିଛି ଦିନ ପରେ ସେ ଏକା ହୋଇ ପୁଣି ଆଫ୍ରିକାକୁ ଫେରିଲେ । ସେଠାରୁ ୧୮ଜଣ କାଫ୍ରି ଓ ୧୨ଜଣ ବମ୍ୱେବାସୀ ସିପାହୀଙ୍କୁ ସାଙ୍ଗରେ ଘେନି ଜାଞ୍ଜିବାରରୁ ଏକାବେଳକେ ଭିତର ଆଡ଼କୁ ଯାତ୍ରା କଲେ । ତାଙ୍କ ସାଙ୍ଗରେ ରହିବାପାଇଁ ବମ୍ୱେ ଗଭର୍ଣ୍ଣର ଏହି ୧୨ ଜଣ ସିପାହୀଙ୍କ ଉପହାର ଦେଇଥିଲେ । ମଣିଷଙ୍କ ଛଡ଼ା ତାଙ୍କ ସାଙ୍ଗରେ ୬ଟା ଓଟ କେତେଗୁଡ଼ିଏ ଗଧ ଓ ଘୋଡ଼ା ମଧ୍ୟ ଥିଲେ । କାଫ୍ରିମାନେ କେବେ ଗଧ ଦେଖି ନ ଥିଲେ । ଗଧ ବୋବାଇବା ବେଳେ ସେମାନେ ହସି ହସି ଭୂଇଁରେ ଲୋଟି ଯାଉଥିଲେ ।

 

ଯାତ୍ରାର ପ୍ରଥମ କେତେ ଦିନ ବେଶ୍‌ ସୁଖରେ କଟିଗଲା; ତା ପରେ ପଡ଼ିଲା ଜନଶୂନ୍ୟ ଘୋର ଅରଣ୍ୟ; ଖାଦ୍ୟଜିନିଷ ସରିଗଲା; ଅନେକ ଲୋକ ଜରରେ ପଡ଼ିଲେ; ବମ୍ୱେର ସିପାହୀମାନେ ଏସବୁ ଦେଖି ପଳାଇ ଆସିଲେ । କିଛିଦିନ ପରେ କାଫ୍ରିମାନେ ମଧ୍ୟ ବିରକ୍ତ ହୋଇ ପଡ଼ିଲେ । ଦିନେ ରାତିରେ ସେମାନେ ମେଳି ବାନ୍ଧି ତାଙ୍କ ଜିନିଷପତ୍ର ଘେନି ପଳାଇଗଲେ । କେବଳ ଗୋଟିଏ ବିଶ୍ୱାସୀ କାଫ୍ରି ଚାକର ତାଙ୍କୁ ଛାଡ଼ି ଯାଇ ପାରିଲା ନାହିଁ । ଲିଭିଂଷ୍ଟୋନ ନିରାଶ୍ରୟ ହୋଇ ସେହି ଚାକରଟି ସଙ୍ଗରେ କ୍ରମେ ଅଗ୍ରସର ହେଲେ । ସେ ଜାଣି ପାରିଥିଲେ ଯେ, ସେହି ଅଚିହ୍ନା ରାଜ୍ୟରେ ତାଙ୍କୁ ଶେଷ ନିଃଶ୍ୱାସ ତ୍ୟାଗ କରିବାକୁ ହେବ; ସଭ୍ୟ ଦେଶ ଆଉ ତାଙ୍କ ଆଖିରେ ପଡ଼ିବ ନାହିଁ । ଏପରି ଅବସ୍ଥାରେ ସେ ନିର୍ଭୀକ ହୃଦୟରେ ଚାକରଟିକୁ ସାଙ୍ଗରେ ଘେନି ଆଗକୁ ଚାଲିଲେ । ଯେଉଁମାନେ ତାଙ୍କ ଜିନିଷପତ୍ରଚୋରି କରି ପଳାଇ ଥିଲେ, ସେମାନେ ଜାଞ୍ଜିବାରରେ ପହଞ୍ଚି ରାଷ୍ଟ୍ର କଲେ ଯେ ବଣରେ କାଫ୍ରିମାନେ ଲିଭିଂଷ୍ଟୋନଙ୍କୁ ମାରି ପକାଇଲେ । ଚାହୁଁ ଚାହୁଁ ଏ ସମ୍ୱାଦ ଖବରକାଗଜମାନଙ୍କରେ ବାହାରିଗଲା । ଲୋକେ ସଭା ସମିତି କରି ଦୁଃଖ ପ୍ରକାଶ କଲେ; ମାତ୍ର ଇଂଲଣ୍ଡ, ଆମେରିକାରେ ଏ ବିଷୟରେ କେତେ ଲୋକଙ୍କର ସନ୍ଦେହ ହେଲା । ସେମାନେ ଖବରକାଗଜରେ ଘୋଷଣା କଲେ ଯେ, ଯେଉଁ ଲୋକ ଜୀବିତ ବା ମୃତ ଲିଭିଂଷ୍ଟୋନଙ୍କର ଠିକ୍‌ ଖବର ଦେଇ ପାରିବେ, ତାଙ୍କୁ ଖୋଜିବା ଖର୍ଚ୍ଚ ଛଡ଼ା ଷାଠିଏ ହଜାର ଟଙ୍କା ପୁରସ୍କାର ଦିଆଯିବ । ମାତ୍ର ଘୋର ଅରଣ୍ୟପୂର୍ଣ୍ଣ ଆଫ୍ରିକା ମହାଦେଶ ମଧ୍ୟରୁ ଜଣେ ଲୋକକୁ ଖୋଜି ବାହାର କରିବାକୁ ସାହସ କାହାର ? ଆମେରିକାବାସୀ ଷ୍ଟାନ୍‌ଲି ନାମକ ଜଣେ ସାହେବ ଏ ବିଷୟରେ ଚେଷ୍ଟା କରିବା ପାଇଁ ଆଫ୍ରିକା ବାହାରିଲେ । ସେ ଆଠମାସ କାଳ କେତେ ରାଜ୍ୟରେ ବୁଲିଲେ; କିନ୍ତୁ କିଛି ସନ୍ଧାନ ପାଇଲେ ନାହିଁ । ଦିନେ ଖରାବେଳେ ଷ୍ଟାନ୍‌ଲି ବୁଲି ବୁଲି ଗୋଟିଏ କାଫ୍ରିଗାଁଆରେ ପହଞ୍ଚିଲେ । ଏହି ସମୟରେ ଦୂରରୁ ଦେଖିଲେ ଯେ, ଜଣେ ଶ୍ୱେତାଙ୍ଗ ବୃଦ୍ଧ ଦଳେ କାଫ୍ରିଙ୍କ ସାଙ୍ଗରେ ଧୀରେ ଧୀରେ ତାଙ୍କ ଆଡ଼କୁ ଆସୁଅଛନ୍ତି । ତାଙ୍କୁ ଦେଖି ଷ୍ଟାନ୍‌ଲି ପଚାରିଲେ, ‘‘ଆପଣଙ୍କ ନାମ କଅଣ ?’’ ବୃଦ୍ଧଙ୍କ ଉତ୍ତର ଶୁଣି ଷ୍ଟାନ୍‌ଲି କୃତକୃତ୍ୟ ହୋଇଗଲେ । ସେତେବେଳକୁ ଲିଭିଂଷ୍ଟୋନ୍‌ ଭାରି ବୁଢ଼ା ହୋଇ ପଡ଼ିଥିଲେ । ଏ ଘଟନାର ଦେଢ଼ ବର୍ଷ ପରେ ତାଙ୍କର ମୃତ୍ୟୁ ହେଲା । ଷ୍ଟାନ୍‌ଲି ଯେତେ ଅନୁରୋଧ କଲେ ସୁଦ୍ଧା ସେ ଫେରିବାକୁ ଆଦୌ ମଙ୍ଗିଲେ ନାହିଁ । ସେ ବୟସରେ ମଧ୍ୟ ସେ ଆଶା କରୁଥିଲେ ଯେ, ଆଫ୍ରିକାର ଅନ୍ୟ ଅନାବିଷ୍କୃତ ସ୍ଥାନମାନ ଦେଖି ସେ ସ୍ଥାନମାନଙ୍କର ବିବରଣ ସଭ୍ୟସମାଜରେ ପ୍ରଚାର କରିବେ । ତେଣୁ ଲିଭିଂଷ୍ଟୋନ୍‌ ଯେଉଁ ଖାତାରେ ଯାତ୍ରାର ଯାବତୀୟ ଘଟନା ଲେଖିଥିଲେ, ସେ ଖାତା ଖଣ୍ଡି ଷ୍ଟାନ୍‌ଲିଙ୍କ ହାତରେ ଦେଇଦେଲେ ଏବଂ ନୂତନ ଦେଶର ଅନୁସନ୍ଧାନରେ ବହିର୍ଗତ ହେଲେ । ୧୮୭୩ ଖ୍ରୀଷ୍ଟାବ୍ଦରେ ଏହି ବିଶ୍ୱବିଖ୍ୟାତ ଭ୍ରମଣକାରୀ ଚିତାମ୍ୱୋ ନାମକ ଆଫ୍ରିକା ଅରଣ୍ୟ ମଧ୍ୟବର୍ତ୍ତୀ ଗୋଟିଏ କ୍ଷୁଦ୍ର ଗ୍ରାମରେ ମାନବଲୀଳା ଶେଷ କଲେ ।

 

ପ୍ରଶ୍ନ

 

୧.

ପୂର୍ବେ ଦାସବ୍ୟବସାୟ କିପରି ଭାବରେ ଚଳୁଥିଲା ।

୨.

ଲିଭିଂଷ୍ଟୋନ୍‌ କି ଲକ୍ଷ୍ୟରେ ତାଙ୍କର ଦୁର୍ଲଭ ଜୀବନକୁ ଆଫ୍ରିକାରେ କଟାଇଥିଲେ ?

୩.

ଆବିଷ୍କାର ଓ ଉଦ୍ଭାବନ ମଧ୍ୟରେ ପ୍ରଭେଦ କଅଣ ?

Image

 

ମୁକୁନ୍ଦଦେବ

(ଓଡ଼ିଶାର ଶେଷ ସ୍ୱାଧୀନ ରାଜା)

 

ଆମ ଓଡ଼ିଶା ଭାରତବର୍ଷ ମଧ୍ୟରେ ଗୋଟିଏ କ୍ଷୁଦ୍ର ପ୍ରଦେଶ ହେଲେହେଁ ପ୍ରାଚୀନ କାଳରେ ଭାରି ଉନ୍ନତ ଥିଲା । ଏ ଦେଶରେ ସ୍ୱାଧୀନ ଓଡ଼ିଆ ରାଜାମାନେ ବହୁକାଳ ଯାଏ ରାଜତ୍ୱ କରୁଥିଲେ । ସେମାନଙ୍କ ଶାସନରେ ଏ ଦେଶର ଲୋକେ ଶିଳ୍ପ, ବାଣିଜ୍ୟ, କୃଷି, ଯୁଦ୍ଧବିଦ୍ୟାରେ ଏପରି ନିପୁଣ ହୋଇଥିଲେ ଯେ, ଭାରତର ଅନ୍ୟ ପ୍ରଦେଶବାସୀମାନେ ଆମ ଓଡ଼ିଶାର ଲୋକଙ୍କୁ ଭାରି ଭୟ ଓ ସମ୍ମାନ କରୁଥିଲେ । ବିଶେଷରେ ଏ ପ୍ରଦେଶର ପୁରୀଧାମରେ ହିନ୍ଦୁଧର୍ମର ସର୍ବଶ୍ରେଷ୍ଠ ଦେବତା ଜଗନ୍ନାଥ ବିରାଜିତ ଅଛନ୍ତି; ତେଣୁ ଆମ ଦେଶ ସମଗ୍ର ଭାରତବର୍ଷ ମଧ୍ୟରେ ଅତି ପ୍ରାଚୀନକାଳରୁ ପୁଣ୍ୟଭୂମି ବୋଲି ପରିଚିତ ।

 

ମୁସଲମାନ୍‌ମାନେ ପ୍ରାୟ ୧୨୦୦ ଖ୍ରୀଷ୍ଟାବ୍ଦରୁ ଭାରତବର୍ଷର ବିଭିନ୍ନ ପ୍ରଦେଶ ଅଧିକାର କରି ରାଜତ୍ୱ କରୁଥିଲେ । ବଙ୍ଗାଳାପ୍ରଦେଶ ଆମ ଓଡ଼ିଶାର ଉତ୍ତର ଦିଗକୁ ଲାଗିଛି । ଅନେକ ଆଗରୁ ମୁସଲମାନ୍‌ମାନେ ବଙ୍ଗଦେଶ ଅଧିକାର କରି ସେଠାରେ ରାଜତ୍ୱ କରୁଥିଲେ; କିନ୍ତୁ ଆମ ଓଡ଼ିଶା ଅଧିକାର କରିବାକୁ ସେମାନେ ସାହସ କରୁ ନ ଥିଲେ; କାରଣ ଓଡ଼ିଆମାନେ ସେତେବେଳେ ଭାରି ବଳବାନ୍‌ ଓ ଯୁଦ୍ଧନିପୁଣ ଥିଲେ । ପ୍ରସିଦ୍ଧ ମୋଗଲ ସମ୍ରାଟ୍‌ ଆକ୍‌ବରଙ୍କ ରାଜତ୍ୱକାଳ ପର୍ଯ୍ୟନ୍ତ ଓଡ଼ିଶାର ରାଜାମାନେ ସ୍ୱଦେଶର ସ୍ୱାଧୀନତା ରକ୍ଷା କରି ପାରିଥିଲେ ।

 

ମୁକୁନ୍ଦଦେବ ୧୫୫୧ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ସିଂହାସନରେ ବସିଥିଲେ । ସେ ଦକ୍ଷିଣରେ ତେଲଙ୍ଗା ଦେଶରେ ଜନ୍ମଥିବାରୁ ଲୋକେ ତାଙ୍କୁ ତେଲଙ୍ଗା ମୁକୁନ୍ଦଦେବ ବୋଲି କହୁଥିଲେ । ପ୍ରସିଦ୍ଧ ରାଜା ପ୍ରତାପରୁଦ୍ରଙ୍କ ରାଜତ୍ୱକାଳରେ ସେ ତାଙ୍କର ସେନାପତି ଥିଲେ । ପ୍ରତାପରୁଦ୍ରଙ୍କ ପରେ ଦେଶରେ ଅରାଜକତା ବ୍ୟାପିଥିଲା । ଶେଷରେ ଉତ୍କଳର ରାଜଲକ୍ଷ୍ମୀ ସେନାପତି ମୁକୁନ୍ଦଦେବଙ୍କ ପ୍ରତି ପ୍ରସନ୍ନ ହେଲେ ।

 

ସେତେବେଳେ ଓଡ଼ିଶାର ସୀମା ଦକ୍ଷିଣରେ ଗୋଦାବରୀ ନଦୀଠାରୁ ଉତ୍ତରରେ ଗଙ୍ଗାନଦୀ ଯାଏ ବିସ୍ତୃତ ଥିଲା । ମୁକୁନ୍ଦଦେବ ଉତ୍ତରରେ ଉତ୍କଳର ଶେଷ ସୀମା ଗଙ୍ଗା (ହୁଗୁଳୀ) ନଦୀରେ ତ୍ରିବେଣୀ ଘାଟ ପ୍ରତିଷ୍ଠା କରି ସେଠାରେ ଗୋଟିଏ ମନ୍ଦିର ନିର୍ମାଣ କରାଇଥିଲେ । ପ୍ରୟାଗ ବା ଏଲାହାବାଦରେ ଗଙ୍ଗାଯମୁନାର ସଙ୍ଗମ ସ୍ଥାନରେ ସ୍ନାନ କଲେ ଯେଉଁ ପୁଣ୍ୟ ଲାଭ ହୁଏ, ତ୍ରିବେଣୀ ଘାଟରେ ସ୍ନାନ କଲେ ସେହି ପୁଣ୍ୟ ଲାଭ ହୁଏ ବୋଲି ଆମ୍ଭେମାନେ ବିଶ୍ୱାସ କରୁଁ । ତାଙ୍କ ମାଆଙ୍କ ଅନୁରୋଧରେ ସେ ତ୍ରିବେଣୀଠାରୁ କଟକ ମହାନଦୀ ଯାଏ ଗଙ୍ଗାରୁ ଗୋଟିଏ ନାଳ ଖୋଳାଇ ଆଣିବେ ବୋଲି ଚେଷ୍ଟା କରିଥିଲେ । ତା ହୋଇଥିଲେ ଓଡ଼ିଶାବାସୀମାନେ ସ୍ୱଦେଶରେ ଗଙ୍ଗାସ୍ନାନ ଫଳ ଲାଭ କରୁଥାଆନ୍ତେ । କାର୍ଯ୍ୟ ଆରମ୍ଭ ହୋଇଥିଲା, ଏହି ସମୟରେ ମୁକୁନ୍ଦଦେବ ସଂସାରଲୀଳା ସାଙ୍ଗ କରିବାରୁ କାମ ଆଉ ଅଧିକ ହୋଇ ପାରିଲା ନାହିଁ ।

ଅନ୍ୟ ରାଜାଙ୍କ ପରି ସେ ଅନେକ କୂଅ ଓ ପୋଖରୀ ଖୋଳାଇଥିଲେ ଓ ବ୍ରାହ୍ମଣ ଶାସନ ବସାଇଥିଲେ । ପୁରୀ ଜିଲା ପିପିଲି ନିକଟରେ ଦାଣ୍ଡମୁକୁନ୍ଦପୁର ନାମରେ ଯେଉଁ ଶାସନ ଅଛି, ତାହା ଏହି ମୁକୁନ୍ଦଦେବଙ୍କ କୀର୍ତ୍ତି ।

ଅନଙ୍ଗ ଭୀମଦେବ କଟକରେ ଯେଉଁ ବାରବାଟୀ ଦୁର୍ଗ ନିର୍ମାଣ କରିଥିଲେ, ମୁକୁନ୍ଦଦେବ ତାହାର ସଂସ୍କାର କରି ସେଠାରେ ଗୋଟିଏ ନଅମହଲା କୋଠା ତିଆରି କରାଇଥିଲେ । ମହାନଦୀକୂଳରେ ତାହା ଯେପରି ସୁନ୍ଦର, ସେହିପରି ବିଶାଳ ଥିଲା । ଏହି ନବତଳ ପ୍ରାସାଦର ପ୍ରତ୍ୟେକ ତଳ ଭିନ୍ନ ଭିନ୍ନ କାର୍ଯ୍ୟରେ ଲାଗୁଥିଲା । ପ୍ରଥମ ତଳରେ ହାତୀ, ଘୋଡ଼ା, ଓଟ ପ୍ରଭୃତି ପାଳିତ ପଶୁମାନେ ରହୁଥିଲେ; ଦ୍ୱିତୀୟ ତଳରେ ଗୋଳା, ଗୁଳି, ଅସ୍ତ୍ରଶସ୍ତ୍ର ପ୍ରଭୃତି ଯୁଦ୍ଧ ଉପକରଣ ରଖାଯାଉଥିଲା, ଦୁର୍ଗରକ୍ଷକ ଓ ପ୍ରହରୀମାନେ ଏହି ତଳରେ ରହୁଥିଲେ । ତୃତୀୟ ତଳ ଭୃତ୍ୟ ଓ କର୍ମଚାରୀମାନଙ୍କର ଓ ଚତୁର୍ଥ ତଳ କାରିଗରିମାନଙ୍କର ବାସସ୍ଥାନରୂପେ ନିର୍ଦ୍ଦିଷ୍ଟ ଥିଲା । ପଞ୍ଚମ ତଳରେ ଆଗନ୍ତୁକ ଓ ଅତିଥିମାନେ ରହୁଥିଲେ ଏବଂ ଏହାର ଏକ ଅଂଶ ରନ୍ଧନଶାଳା ହୋଇଥିଲା । ଷଷ୍ଠ ତଳରେ ରାଜାଙ୍କର ଦରବାର ବସୁଥିଲା । ସପ୍ତମ ତଳରେ କେହି ରହୁ ନ ଥିଲେ । ପ୍ରୟୋଜନ ବେଳେ ଯୁଦ୍ଧ ଓ ରାଜ୍ୟ ବିଷୟରେ ରାଜା ଏଠାରେ ମନ୍ତ୍ରୀମାନଙ୍କ ସଙ୍ଗେ ଗୁପ୍ତ ମନ୍ତ୍ରଣା କରୁଥିଲେ । ସ୍ତ୍ରୀମାନେ ଅଷ୍ଟମ ତଳରେ ରହୁଥିଲେ । ନବମ ତଳ ରାଜାଙ୍କର ଶୟନ ଓ ବିଶ୍ରାମ ପାଇଁ ନିର୍ଦ୍ଦିଷ୍ଟ ଥିଲା । ଏହି ପ୍ରକାଣ୍ଡ ପ୍ରାସାଦ ଓ ତା ପାଖରେ ଥିବା ଅନ୍ୟ ଗୃହମାନ କାଳକ୍ରମେ ନଷ୍ଟ ହୋଇ ଗଲାଣି । ସେଠାରେ ବର୍ତ୍ତମାନ କେବଳ ମାଟିଗଦା ଠିଆ ହୋଇଅଛି ।

ମୁକୁନ୍ଦଦେବଙ୍କ ରାଜତ୍ୱ ପୂର୍ବରୁ ମୁସଲମାନମାନେ ଓଡ଼ିଶା ଆକ୍ରମଣ କରି ପରାସ୍ତ ହୋଇ ପଳାଇ ଯାଇଥିଲେ । ଏହି ସମୟରେ ବଙ୍ଗଦେଶରେ ସୁଲେମାନ କରାଣି ନାମରେ ଜଣେ ପଠାଣ ନବାବ ହୋଇଥିଲେ । ଆକ୍‌ବର ସେତେବେଳେ ଦିଲ୍ଲୀର ସମ୍ରାଟ୍‌; ସୁଲେମାନ ଆକବରଙ୍କୁ ମାନୁ ନ ଥିଲେ; ତେଣୁ ଆକ୍‌ବର ତାଙ୍କୁ ପରାସ୍ତ କରି ବଙ୍ଗ ଅଧିକାର କରିବା ପାଇଁ ମୁକୁନ୍ଦଦେବଙ୍କ ସାହାଯ୍ୟ ଲୋଡ଼ିଲେ । ମୁକୁନ୍ଦଦେବ ସାହାଯ୍ୟ କରିବେ ବୋଲି ଆକ୍‌ବରଙ୍କ ପ୍ରେରିତ ଦୂତଦ୍ୱାରା ସଂବାଦ ପଠାଇଲେ । ମୁକୁନ୍ଦଦେବଙ୍କ ଶକ୍ତି ଓ ପରାକ୍ରମ କଥା ସୁଲେମାନଙ୍କୁ ଆଗରୁ ଜଣାଥିଲା; ତେଣୁ ସେ ଭୟରେ ଆକବରଙ୍କ ଶରଣାପନ୍ନ ହୋଇ ତାଙ୍କୁ ଅନେକ ଧନରତ୍ନ ଭେଟି ଦେଲେ ଓ ତାଙ୍କ ଅଧୀନତା ସ୍ୱୀକାର କଲେ । ଆକ୍‌ବରଙ୍କ ସଙ୍ଗେ ଏହି ଭାବରେ ସନ୍ଧିକରି ସୁଲେମାନ୍‌ ଓଡ଼ିଶା ଆକ୍ରମଣ କଲେ । ଏହି ସମୟରେ ଦକ୍ଷିଣ ଆଡ଼େ ଆଉ ଦଳେ ମୁସଲମାନ ସେତେବେଳେ ଓଡ଼ିଶାର ଅନ୍ତର୍ଗତ ଥିବା ରାଜମହେନ୍ଦ୍ରୀ ଆକ୍ରମଣ କଲେ । ସୁଲେମାନ ଅଧୀନ ହୋଇଯିବାରୁ ଆକ୍‌ବର ନିଶ୍ଚିନ୍ତ ହୋଇଗଲେ ଓ ମୁକୁନ୍ଦଦେବଙ୍କୁ ବିପଦରେ ସାହାଯ୍ୟ ଦେଲେ ନାହିଁ । ଉତ୍ତର ଦକ୍ଷିଣ ଉଭୟ ଆଡ଼େ ଶତ୍ରୁମାନେ ଆକ୍ରମଣ କରିବାରୁ ମୁକୁନ୍ଦଦେବ ବ୍ୟସ୍ତ ହୋଇ ପଡ଼ିଲେ । ପ୍ରଥମେ ସେ ଦକ୍ଷିଣରେ ମୁସଲମାନମାନଙ୍କୁ ପରାସ୍ତ କରି ଦୂରକୁ ତଡ଼ିଦେଲେ । ଉତ୍ତରରେ ସୁଲେମାନଙ୍କ ସୈନ୍ୟଙ୍କ ସଙ୍ଗେ ତାଙ୍କର ଭୟଙ୍କର ଯୁଦ୍ଧ ହେଲା । ପଠାଣମାନେ ପରାଜିତ ହୋଇ ପଳାଇବାରୁ ମୁକୁନ୍ଦଦେବ ବଙ୍ଗଦେଶ ଆକ୍ରମଣ କଲେ । ଗଙ୍ଗାକୂଳରେ ପଠାଣସୈନ୍ୟମାନେ ତାଙ୍କର ଆକ୍ରମଣରେ ବାଧା ଦେଲେ । ଏହି ସମୟରେ ତାଙ୍କ ଅଧୀନ ସାରଙ୍ଗଗଡ଼ ଦୁର୍ଗର ସାମନ୍ତ ରାଜା ରାମଚନ୍ଦ୍ରଦେବ ବିଦ୍ରୋହୀ ହୋଇ ବାରବାଟୀ ଦୁର୍ଗ ଅବରୋଧ କଲେ । ଏ ସମ୍ୱାଦ ପାଇ ମୁକୁନ୍ଦଦେବ ବାଧ୍ୟହୋଇ କଟକକୁ ଫେରିଲେ । ସେ ବାରବାଟୀ ଉଦ୍ଧାର କରି ସାରଙ୍ଗଗଡ଼ ଆକ୍ରମଣ କଲେ । ସେଠାରେ ରାମଚନ୍ଦ୍ରଙ୍କ ସଙ୍ଗେ ତାଙ୍କର ଘୋର ଯୁଦ୍ଧ ହେଲା । ଶେଷରେ ଅସ୍ତ୍ରାଘାତରେ ମୁକୁନ୍ଦଦେବ ଧରାଶାୟୀ ହେଲେ । ମୁକୁନ୍ଦଦେବଙ୍କ ସାଙ୍ଗେ ସାଙ୍ଗେ ୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ସ୍ୱାଧୀନତା ଚିରଦିନ ପାଇଁ ଲୋପ ହେଲା ।

ଏ ସୁଯୋଗ ଦେଖି ସୁଲେମାନ ଓଡ଼ିଶା ଅଧିକାର କରିବାପାଇଁ କଳାପାହାଡ଼ ନାମକ ସେନାପତିକୁ ପ୍ରେରଣ କଲେ । କଳାପାହାଡ଼ ବାରବାଟୀ ଅଧିକାର କରି କ୍ରମେ ଓଡ଼ିଶା ଦଖଲ କଲା । ଏତେଦିନେ ସ୍ୱାଧୀନ ଉତ୍କଳ ବଙ୍ଗଳାର ପଠାଣ ରାଜ୍ୟର ଅନ୍ତର୍ଭୁକ୍ତ ହେଲା ।

କଳାପାହାଡ଼ର ପ୍ରକୃତି ବଡ଼ ଭୟଙ୍କର ଥିଲା । ସେ ମୁକୁନ୍ଦଦେବଙ୍କ ବିଧବା ରାଣୀଙ୍କୁ ବନ୍ଦୀ କରିବାପାଇଁ ଚେଷ୍ଟା କରିବାରୁ ରାଣୀ ଅନେକ ଧନରତ୍ନ ଦେଇ ତାର ଶରଣାପନ୍ନ ହେଲେ । ଏ ସମ୍ୱନ୍ଧରେ ଗୋଟିଏ ଗୀତ ଆମ ଓଡ଼ିଶାରେ ଅନେକ ଲୋକ ଏବେ ମଧ୍ୟ ବୋଲନ୍ତି–

ଅଇଲା କଳାପାହାଡ଼ ଭାଙ୍ଗିଲା ଲୁହାର ବାଡ଼

ପିଇଲା ମହାନଦୀ ପାଣି,

ସୁବର୍ଣ୍ଣ ଥାଳିରେ ହୀରା ପରଷିଲେ

ମୁକୁନ୍ଦଦେବଙ୍କ ରାଣୀ ।

 

କଳାପାହାଡ଼ ପ୍ରଥମେ ବ୍ରାହ୍ମଣ ଥିଲା, ପରେ ଜଣେ ପଠାଣ ସ୍ତ୍ରୀକୁ ବିବାହ ହୋଇ ପଠାଣ ହୋଇଯାଇଥିଲା । ହିନ୍ଦୁ ଦେବଦେବୀଙ୍କ ଉପରେ କଳାପାହାଡ଼ର ଭୟଙ୍କର ରାଗ; ତେଣୁ ସେ ଓଡ଼ିଶା ଅଧିକାର କରିବା ସାଙ୍ଗେ ସାଙ୍ଗେ ହିନ୍ଦୁ ଦେବଦେବୀଙ୍କ ମନ୍ଦିର ଓ ମୂର୍ତ୍ତିମାନଙ୍କୁ ଭାଙ୍ଗିବାରେ ଲାଗିଲା । ଯାଜପୁର, ଭୁବନେଶ୍ୱର ପ୍ରଭୃତି ସ୍ଥାନରେ ବର୍ତ୍ତମାନ ଯେଉଁ ଶତ ଶତ ଭଗ୍ନମୂର୍ତ୍ତି ଓ ମନ୍ଦିର ଦେଖାଯାଏ, ସେସବୁ ଏହି ନରାଧମର କାର୍ଯ୍ୟ । ସେ ଯେତେବେଳେ ପୁରୀ ଆକ୍ରମଣ କଲା, ତା ପୂର୍ବରୁ ପଣ୍ଡାମାନେ ଜଗନ୍ନାଥଙ୍କୁ ନେଇ ଚିଲିକା ମଧ୍ୟବର୍ତ୍ତୀ ପାରିକୁଦରେ ଲୁଚାଇ ରଖିଥିଲେ । ଏହା ଜାଣିପାରି କଳାପାହାଡ଼ ସେଠାକୁ ଯାଇ ଜଗନ୍ନାଥଙ୍କୁ ହାତୀରେ ଥୋଇ ଗଙ୍ଗାକୂଳକୁ ଘେନିଗଲା । ସେଠାରେ ନିଆଁରେ ପୋଡ଼ି ପକାଇବାବେଳେ ବିଶର ମହାନ୍ତି ନାମରେ ଜଣେ ଭକ୍ତ ଜଗନ୍ନାଥଙ୍କ ନାଭିସ୍ଥଳ ଘେନି ଆସିଥିଲେ । କୁଜଙ୍ଗ ରାଜା ସେହି ନାଭିସ୍ଥଳ ସାହାଯ୍ୟରେ ପୁନର୍ବାର ନୂତନ ମୂର୍ତ୍ତି ନିର୍ମାଣ କରାଇ ପ୍ରତିଷ୍ଠା କରାଇଥିଲେ ।

 

ଏହି ଦୁରନ୍ତ କଳାପାହାଡ଼ଦ୍ୱାରା କୋଣାର୍କର ବିଶ୍ୱବିଖ୍ୟାତ ସୂର୍ଯ୍ୟମନ୍ଦିର ଧ୍ୱଂସପ୍ରାପ୍ତ ହୋଇଥିଲା ।

 

ପ୍ରଶ୍ନ

 

୧.

ପ୍ରାଚୀନ ଓଡ଼ିଶାର ସୀମା ଓ ଆଧୁନିକ ଓଡ଼ିଶାର ସୀମା ନିର୍ଦ୍ଦେଶ କର ।

୨.

କାହିଁକି ମୁସଲମାନମାନେ ଓଡ଼ିଶା ଆକ୍ରମଣ କଲେ ?

୩.

ପ୍ରାଚୀନ ଓଡ଼ିଶା ଉନ୍ନତ ଥିଲା–ଏହାର କି ପ୍ରମାଣ ଅଛି ?

୪.

କଳାପାହାଡ଼ ଓଡ଼ିଶାର କିପରି ଅନିଷ୍ଟ କରିଥିଲା ?

Image